Chinmay Chetna: ଚିନ୍ମୟ ଚେତନା: ପ୍ରେମ ନା ପ୍ରଦର୍ଶନୀ?

12 hours ago 2
ARTICLE AD BOX

ଚିନ୍ମୟ ହୋତା

ପ୍ରେମରେ ପଡ଼ିଲେ ସାଧାରଣତଃ ପ୍ରେମିକ ପ୍ରେମିକାମାନେ ପରସ୍ପରକୁ ଚୁମ୍ବନ ଆଦାନପ୍ରଦାନ କରିଥାନ୍ତି। କିନ୍ତୁ ଗତ ମାସ ଗ୍ୱାଲିଅରର ଜଣେ ତରୁଣୀ ଏହି ଚିରାଚରିତ ପ୍ରଥାର ବିରୋଧରେ ଯାଇ ପ୍ରେମିକ ବଦଳରେ ପ୍ରେମିକଙ୍କ କାର୍‌ଟିକୁ ଚୁମ୍ବନ ଦେବାକୁ ସିଦ୍ଧାନ୍ତ କରିନେଲେ। ସେ ପୁଣି, ଥରେ କି ଦୁଇ ଥର ନୁହେଁ, ପୂରା ୩୪୦୦ ଥର! ପ୍ରାୟ ସାଢ଼େ ତିନି ଘଣ୍ଟା କାଳ ଓଠରେ ଲିପଷ୍ଟିକ ଲଗାଇ ଗାଡ଼ିର ସର୍ବାଙ୍ଗରେ ଚୁମ୍ବନର ଦାଗ ଆଙ୍କି ସେ ତାଙ୍କ ପ୍ରେମର ଏମିତି ଏକ ସ୍ମାରକୀ ତିଆରି କଲେ, ଯାହାକୁ କୌତୂହଳୀ ସାମାଜିକ ଗଣମାଧ୍ୟମ ଅଚିରେ ‘କିସିଙ୍ଗ କାର୍’ ନାଁରେ ଅଭିହିତ କରିପକାଇଲା। 

Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ

ଅବଶ୍ୟ ତରୁଣୀଙ୍କର ଉଦ୍ଦେଶ୍ୟଟି ଥିଲା ଖୁବ୍ ମହତ- ସୋସିଆଲ ମିଡିଆରେ ଭାଇରାଲ ହେବା। ଉଦ୍ଦେଶ୍ୟଟି ସଫଳ ବି ହୋଇଗଲା। ମିଳିଥିବା ଖବର ଅନୁଯାୟୀ, ଭିଡିଓଟି ଅଳ୍ପ ସମୟରେ କେତେ ମିଲିଅନ ଭିଉ ଗୋଟେଇ ପକାଇଲା। ହେଲେ ପ୍ରେମୀଯୁଗଳ ବୋଧେ ଭୁଲି ଯାଇଥିଲେ ଯେ ସୋସିଆଲ ମିଡିଆର ଦର୍ଶକ କେବଳ ତାଙ୍କରି ଭଳି ପ୍ରେମିକପ୍ରେମିକା ନୁହନ୍ତି, ସେମାନଙ୍କ ଭିତରେ ପୁଲିସ ମଧ୍ୟ ଥାଏ। ଏବଂ ପୁଲିସର ‘ଭିଉ’ ଅନ୍ୟ ରକମର। ସେମାନେ ‘ଲାଇକ’ ଦିଅନ୍ତି ନାହିଁ, ସିଧା ଚାଲାଣ କାଟନ୍ତି। 
ଭାବିଲେ ଦେଖି, ପୁଲିସ ଭିଡିଓଟି ଦେଖିସାରି ଏଇ ଚୁମ୍ବନଗୁଡ଼ିକର ଠିକ୍ ହିସାବ କରିବା ପାଇଁ ସେଦିନ କେତେ ପରିଶ୍ରମ କରିଥିବ। କାର୍ ମାଲିକଙ୍କୁ ପ୍ରଥମେ ପଚାରିଥିବ, ‘‘ଗାଡ଼ିରେ ମୋଟ କେତୋଟି କିସ୍?’’ ଉତ୍ତର ମିଳିଥିବ, ‘‘୩୪୦୦’’; ‘‘ଗଣିଛନ୍ତି?’’; ‘‘ନା, ବାନ୍ଧବୀ କହିଛନ୍ତି।’’; ‘‘ପ୍ରମାଣ?’’ ମାଲିକ ଉତ୍ତର ଦେଇଥିବେ, ‘‘ତାଙ୍କ ଲିପଷ୍ଟିକର ଦାଗ।’’ ଏହା ପରେ ଆରମ୍ଭ ହୋଇଥିବ ସରକାରୀ ଗଣତି। ୩୪୦୦ ଚୁମା, ସାଢ଼େ ତିନିଘଣ୍ଟା ପରିଶ୍ରମ, ଅନେକଗୁଡ଼ିଏ ଲିପଷ୍ଟିକର ଅପଚୟ, ଗାଡ଼ିଟି ଯୋଗୁଁ ଟ୍ରାଫିକ ଅବ୍ୟବସ୍ଥା, ଏସବୁର ହିସାବ କଷି ଶେଷରେ ପୁଲିସ ଲେଖିଦେଲା ୫୫୦୦ ଟଙ୍କାର ଚାଲାଣ। ଅବଶ୍ୟ ବାସ୍ତବରେ ପୁଲିସ ପ୍ରତି ଚୁମ୍ବନର ଦର ଧାର୍ଯ୍ୟ କରି ନ ଥିଲା। ରିପୋର୍ଟ ଅନୁଯାୟୀ ଗାଡ଼ିଟିକୁ ବିପଜ୍ଜନକ ଭାବେ ଚଲା ଯାଇଥିବାରୁ, ଝରକାରେ କଳା କାଚ ଲଗା ଯାଇଥିବାରୁ ଓ ମୋଟରଯାନ ସଂକ୍ରାନ୍ତ ଅନ୍ୟାନ୍ୟ ନିୟମ ଭଙ୍ଗ ଭିତ୍ତିରେ ଏହି ଜରିମାନା ଧାର୍ଯ୍ୟ କରାଯାଇଥିଲା। ପରେ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଗାଡ଼ିରୁ ଖୁବ୍ ଶୀଘ୍ର ଏହି ପ୍ରେମର ସନ୍ତକଗୁଡ଼ିକୁ ପୋଛି ପକାନ୍ତୁ। 
କିସିଙ୍ଗ କାର୍ ଘଟଣାରୁ ମିଳିଥିବା ସବୁଠୁ ମଜାଦାର ଶିକ୍ଷାଟି ଏଇ ରକମର। ପ୍ରେମିକାଙ୍କୁ ଚୁମ୍ବନ ଦେଲେ ପ୍ରେମିକ ଖୁସି ହୋଇପାରନ୍ତି, ଗାଡ଼ିକୁ ୩୪୦୦ ଥର ଚୁମା ଦେଲେ ବି ଗାଡ଼ିର କୌଣସି ଅନୁଭୂତି ନାହିଁ। ଅବଶ୍ୟ ଏହା ଦେଖଣାହାରିଙ୍କୁ ଆହ୍ଲାଦିତ କରେ ଓ ପୁଲିସକୁ ବିବ୍ରତ। ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ନିର୍ଦ୍ଦିଷ୍ଟ ବର୍ଗର ଦର୍ଶକ ବାଛିବାର ସୁଯୋଗ ବି ଜଣକ ପାଖରେ ନ ଥାଏ। ଯେଉଁ ଭିଡିଓଟି ପ୍ରେମର ପ୍ରଚାର କରିବା ପାଇଁ ତିଆରି କରାଯାଇଥିଲା, ସେଇଟି ପୁଲିସର ନଜରରୁ ଖସିଯାଇ ପାରିଲା ନାହିଁ। ଏଠାରେ ଅବଶ୍ୟ ଆଉ ଗୋଟିଏ ପ୍ରଶ୍ନ ବି ଉଠିପାରେ- ଏହା କ’ଣ ସତରେ ପ୍ରେମର ପରିପ୍ରକାଶ, ନା ପ୍ରେମର ପ୍ରଦର୍ଶନ? ପ୍ରେମିକକୁ ଚୁମ୍ବନ ଦେବା ପରିବର୍ତ୍ତେ ପ୍ରେମିକର କାର୍‌କୁ ୩୪୦୦ ଥର ଚୁମା ଦେଇ, ତା’ର ଭିଡିଓ ତିଆରି କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବା ଏବଂ ଭିଉ, ଲାଇକ ଓ ସେୟାର ଗୋଟେଇବା ଯଦି ଅସଲ ଲକ୍ଷ୍ୟ ହୁଏ, ତେବେ ଭଲ ପାଇବାର କେନ୍ଦ୍ର ବିନ୍ଦୁଟି କେଉଁଠି? 
ଆଜିର ଦିନରେ ଭଲପାଇବାର ଯେମିତି ଦୁଇଟି ସଂସ୍କରଣ। ଗୋଟିଏ ଅନୁଭବ କରିବା ପାଇଁ, ଅନ୍ୟଟି ଦେଖାଇବା ପାଇଁ। ପ୍ରଥମଟି ବ୍ୟକ୍ତିଗତ, ଦ୍ୱିତୀୟଟି କ୍ୟାମେରା ପାଇଁ ଉଦ୍ଦିଷ୍ଟ। ଫଳରେ ପ୍ରେମୀ ମଣିଷଟି ହୋଇଯାଏ କଣ୍ଟେଣ୍ଟ କ୍ରିଏଟର ଓ ତା’ର ଗାଡ଼ିଟି ହୋଇଯାଏ ପ୍ରେମ ନାଟକର ପ୍ରଧାନ ଚରିତ୍ର। ଗୋଟିଏ ଅର୍ଥରେ ପ୍ରେମିକକୁ ନୁହେଁ, ପ୍ରେମିକର ସମ୍ପତ୍ତିକୁ ଭଲ ପାଇବା ହୋଇଯାଏ ମୁଖ୍ୟ ଉପଲବ୍‌ଧି। ଆଉ ଦୁଇ ଜଣଙ୍କ ସମ୍ପର୍କଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ଏହିଭଳି ଭିଡିଓଗୁଡ଼ିକର ସମ୍ଭାବ୍ୟ ଭାଇରାଲ ଭବିଷ୍ୟତ। 

Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ

ତେବେ ଏହି ଘଟଣାରେ ବିଚରା କାରଟିର ଅବସ୍ଥାଟା ବି ଟିକେ ଭାବି ଦେଖିବା ଦରକାର। ଏତେଦିନ ପର୍ଯ୍ୟନ୍ତ ତାହା ଥିଲା କେବଳ ନିଆ ଅଣା କରୁଥିବା ଗୋଟେ ଯାନ। ମାଲିକକୁ ନେଇ ଅଫିସ ଯାଉଥିଲା, ମାଲିକର ପ୍ରେମିକାଙ୍କୁ ବସାଇ ଏଠି ସେଠି ବୁଲାଉଥିଲା। ହଠାତ୍ ଦିନେ ସେ ହୋଇଗଲା ପ୍ରେମର ନାୟକ! ତା’ ଶରୀରରେ ୩୪୦୦ଟି ଚୁମ୍ବନ, ଚାରିପାଖରେ କ୍ୟାମେରା, ତା’ ପରେ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଦର୍ଶକ। ଅଥଚ ଗାଡ଼ିଟିର ନିଜସ୍ୱ କୌଣସି ମତାମତ ହିଁ ନିଆଗଲା ନାହିଁ। 
ଏସବୁ ସୂଚେଇ ଦିଅନ୍ତି ଯେ ଆଗାମୀ ଦିନରେ ହୁଏତ ପ୍ରେମର ସଂଜ୍ଞା ହିଁ ବଦଳିଯିବ। ‘‘ମୁଁ ତୁମକୁ ଭଲପାଏ’’ କହିବା ବଦଳରେ କିଏ କହିବ, ‘‘ତୁମକୁ ନେଇ ଗୋଟେ ବଢ଼ିଆ ରିଲ୍ ବନେଇଛି।’’ ଆଉ ‘‘ତୁମ ପାଇଁ ସରଗରୁ ଚାନ୍ଦ ଆଣିଦେବି’’ କଥାଟିର ସ୍ଥାନ ନେବ, ‘‘ତୁମ ଗାଡ଼ିରେ ପାଞ୍ଚ ହଜାର ଚୁମ୍ବନ ଦେଇ ନୂଆ ଟ୍ରେଣ୍ଡ ସୃଷ୍ଟି କରିପକାଇବି।’’ ସେତେବେଳେ ପ୍ରେମ ଏକ ଅନୁଭୂତି ନୁହେଁ, ଏହା ହୋଇଯିବ ଗୋଟିଏ ପ୍ରଡକ୍‌ସନ; ସମ୍ପର୍କ ହୋଇଯିବ ଗୋଟିଏ ପ୍ରଜେକ୍‌ଟ; ଆଉ ଚୁମ୍ବନ? ତାହା ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଏକ ଥୋପ। 
ପ୍ରକୃତରେ ଏହି କାର ଚୁମ୍ବନ ଘଟଣାଟି ଆମ ସମୟର ଏକ ଅଦ୍ଭୁତ ସତ୍ୟର ପ୍ରକାଶ କରେ। ଆଜିକାଲି କୌଣସି କାମ କେବଳ କରିଦେଲେ ଚଳେ ନାହିଁ, ତାହା ଅନ୍ୟକୁ ତୁରୀ ଫୁଙ୍କି ଦେଖାଇବା ମଧ୍ୟ ଜରୁରି। ଆଗେ ପ୍ରେମର ପ୍ରମାଣ ଥିଲା ପ୍ରେମପତ୍ର, ଏବେ ତା’ର ପ୍ରମାଣ ଭିଡିଓ। ଆଗେ ପ୍ରିୟଜନ ନିକଟରେ ସ୍ମୃତି ଜମି ଚାଲିଥିଲା, ଆଜିକାଲି ଜମି ଚାଲିଛି ‘ଭିଉ’। ଆଗେ ଚୁମ୍ବନ ଥିଲା ଦୁଇ ଜଣ ମଣିଷର ଗୋପନ ସମ୍ପଦ, ଏବେ ତାହା ହୋଇଗଲାଣି ଏକ ସାର୍ବଜନୀନ ପ୍ରଦର୍ଶନୀ। ତେଣୁ ପ୍ରେମ ଆଜି ଯେତେଟା ବ୍ୟକ୍ତିଗତ ଅନୁଭୂତି, ତା’ଠୁ ବେଶୀ ଯେମିତି ଏକ ଲୋକଦେଖାଣିଆ ଆୟୋଜନ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

Read Entire Article
LEFT SIDEBAR AD

Hidden in mobile, Best for skyscrapers.