ARTICLE AD BOX
ନୂଆଦିଲ୍ଲୀ: ଛଠ କେବଳ ଏକ ପର୍ବ ନୁହେଁ, ଏହା ବିହାରର ଆତ୍ମା। ଏହି ପର୍ବ ପ୍ରତି ଲୋକଙ୍କ ଆସ୍ଥା ଏତେ ଗଭୀର ଯେ ଜେଲ୍ର ଉଚ୍ଚ ଓ ମଜଭୁତ କାନ୍ଥ ମଧ୍ୟ ଏହାକୁ ଅଟକାଇ ପାରିନାହିଁ। ଏହାର ଏକ ଉଦାହରଣ ମୁଜାଫରପୁରର ସହିଦ ଖୁଦୀରାମ ବୋଷ କେନ୍ଦ୍ରୀୟ କାରାଗାରରୁ ସାମ୍ନାକୁ ଆସିଛି। ଏଠାରେ ଜେଲ୍ରେ ସଜା କାଟୁଥିବା କଏଦୀମାନେ ସମସ୍ତ ଦୁଃଖ ଭୁଲି ଛଠୀ ମା’ଙ୍କ ଆରାଧନାରେ ମଗ୍ନ ହୋଇଛନ୍ତି।
୫୧ ମହିଳା ଓ ୪୭ ପୁରୁଷ କଏଦୀ ରଖିବେ ବ୍ରତ
ଏହି ମହାପର୍ବର ସବୁଠାରୁ ହୃଦୟସ୍ପର୍ଶୀ ଦିଗ ହେଉଛି, ଏହା ଧର୍ମ ଓ ସମ୍ପ୍ରଦାୟର ସବୁ ସୀମାକୁ ଦୂର କରିଦେଇଛି। ଚଳିତ ବର୍ଷ ଜେଲ୍ରେ ମୋଟ ୯୮ ଜଣ କଏଦୀ ଛଠ ବ୍ରତ ପାଳନ କରିବେ। ସେମାନଙ୍କ ମଧ୍ୟରେ ୫୧ ଜଣ ମହିଳା ଓ ୪୭ ଜଣ ପୁରୁଷ ଅଛନ୍ତି। ଏହି ବ୍ରତଧାରୀଙ୍କ ମଧ୍ୟରେ ଜଣେ ମୁସଲିମ ମହିଳା ଓ ଜଣେ ଶିଖ ପୁରୁଷ କଏଦୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ସୂର୍ଯ୍ୟଦେବ ଓ ଛଠୀ ମା’ଙ୍କ ପୂଜା କରିବେ।
ବ୍ରତଧାରୀଙ୍କ ପାଇଁ ଘର ଭଳି ବ୍ୟବସ୍ଥା
ଜେଲ୍ରେ ରହିବା ସମୟରେ ମଣିଷକୁ ସବୁଠାରୁ ଅଧିକ ନିଜ ପରିବାରର ଅଭାବ ଅନୁଭବ ହୋଇଥାଏ। ତେଣୁ ବ୍ରତଧାରୀମାନେ ଯେପରି ଘର ଭଳି ସୁବିଧା ପାଇପାରିବେ, ସେଥିପାଇଁ ମୁଜାଫରପୁର ଜିଲ୍ଲା ପ୍ରଶାସନ ଓ ଜେଲ୍ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଛନ୍ତି। ବ୍ରତ କରୁଥିବା ମହିଳାଙ୍କ ପାଇଁ ନୂଆ ଶାଢ଼ି, ଲହଠି ଓ ଚୁଡ଼ି ଭଳି ସାମଗ୍ରୀ ଯୋଗାଇ ଦିଆଯାଇଛି। ପୁରୁଷ ବ୍ରତଧାରୀଙ୍କୁ ଧୋତି, ଗଞ୍ଜି ଓ ଗାମୁଛା ଦିଆଯାଇଛି। ପୂଜାରେ ଯେପରି କୌଣସି ସାମଗ୍ରୀର ଅଭାବ ନ ରହେ, ସେଥିପାଇଁ ପ୍ରଶାସନ ପକ୍ଷରୁ , ଡାଲା, ଫଳ, ପିଠାପଣା ଓ ମିଠା ଆଦିର ବ୍ୟବସ୍ଥା କରାଯାଇଛି। ଗତ ବର୍ଷ ତୁଳନାରେ ଏଥର ଆୟୋଜନକୁ ଆହୁରି ଭବ୍ୟ କରାଯାଇଛି। ଜେଲ୍ ଭିତରେ ନିର୍ମାଣ କରାଯାଇଥିବା ଛଠ ଘାଟକୁ ଏକ ଗାଁର ଘାଟ ଭଳି ସୁନ୍ଦର ଭାବେ ସଜାଯାଇଛି। ସଫାସୁତରା ଓ ରଙ୍ଗ କାମ ସହ ଘାଟକୁ କଦଳୀ ଗଛ, ରଙ୍ଗବେରଙ୍ଗର ବେଲୁନ୍, ଆଲୋକମାଳା ଓ ଫୁଲରେ ସଜାଯାଇଛି।
ଏହି ପରିବେଶକୁ ଆହୁରି ଭକ୍ତିମୟ କରୁଛି ଜେଲ୍ ରେଡିଓ। ଏଥିରେ ମହାନ ଲୋକଗାୟିକା ସ୍ୱର୍ଗତ ଶାରଦା ସିହ୍ନାଙ୍କ ଗାଇଥିବା ଛଠ ଗୀତ ପରିବେଷଣ କରାଯାଉଛି। ବ୍ରତଧାରୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି। ଘାଟରେ କୌଣସି ଅଘଟଣ ଯେପରି ନ ଘଟେ, ସେଥିପାଇଁ ୫ ଜଣ ଗୋତାଖୋରଙ୍କୁ ନିୟୋଜିତ କରାଯାଇଛି। ମୁଜାଫରପୁର ଜେଲ୍ର ଏହି ଆୟୋଜନ ଦେଖାଇଦେଇଛି ଯେ ମଣିଷ ଯେଉଁଠି ଥାଉ କି ଯେଉଁ ପରିସ୍ଥିତିରେ ଥାଉ, ମନରେ ଯଦି ଭକ୍ତି ଓ ଆସ୍ଥା ଥାଏ, ତେବେ ପର୍ବର ମହତ୍ତ୍ୱ ଓ ଉତ୍ସାହ କେବେ ବି କମି ନଥାଏ।

2 hours ago
2


