CEC pressmeet ନିର୍ବାଚନ ଓ ଭୋଟରଙ୍କ ମଧ୍ୟରେ ଗଣମାଧ୍ୟମ ହେଉଛି ସେତୁ: ସିଇସି

1 hour ago 1
ARTICLE AD BOX

ଭୁବନେଶ୍ୱର:   ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ୍ ଇଲେକ୍ସନ ମ୍ୟାନେଜମେଣ୍ଟ ପରିସରରେ ଭାରତ ନିର୍ବାଚନ ଆୟୋଗ (ଇଆଇସି)ଙ୍କ ଦ୍ୱାରା ଆୟୋଜିତ ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ ୨୦୨୬ ରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ଆଜି ସାମିଲ ହୋଇଛନ୍ତି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ, ଭାରତରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଭାରତୀୟ ସମ୍ବିଧାନ, ନିର୍ବାଚନ ସମ୍ବନ୍ଧୀୟ ଆଇନ୍ ଏବଂ ସମୟାନୁକ୍ରମେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହେଉଛି। ଏଥିସହ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ଏଥିରେ ସାମିଲ ଥିବା ସମସ୍ତ ଅଂଶୀଦାରମାନଙ୍କ ଦ୍ୱାରା ସମାନ୍ତରାଳ ଭାବେ ସମୀକ୍ଷା ବା ଅଡିଟ୍ କରାଯାଉଛି । ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ଦିଗ ଏବଂ ରାଜନୈତିକ ଦଳ ତଥା ପ୍ରାର୍ଥୀ ଭଳି ପ୍ରମୁଖ ଅଂଶୀଦାରମାନଙ୍କୁ ସାମିଲ କରି ଅତ୍ୟନ୍ତ ସ୍ୱଚ୍ଛତାର ସହ ଦେଶର ନିର୍ବାଚନ ପରିଚାଳନା କରିବାକୁ ପଦକ୍ଷେପ ନିଆଯାଉଛି। ଭାରତ ନିର୍ବାଚନ ଆୟୋଗର ମହାନିର୍ଦ୍ଦେଶକ(ଗଣମାଧ୍ୟମ) ଆଶିଷ ଗୋଏଲ ଗଣମାଧ୍ୟମକୁ ନିର୍ବାଚନ ଆୟୋଗର ଏକ ଅଂଶୀଦାର ଏବଂ ମତଦାତାଙ୍କ ମଧ୍ୟରେ ଏକ ସଶକ୍ତ ସେତୁ ଭାବେ ବର୍ଣ୍ଣନା କରିଥିଲେ। 

ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ "ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସଦୃଢ଼ କରିବା, ନିର୍ବାଚନରେ ଗଣମାଧ୍ୟମର ଭୂମିକା"। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ସହିତ ନିର୍ବାଚନ ସମୟରେ ଭୋଟରମାନଙ୍କୁ ସଠିକ୍ ଓ ନିରପେକ୍ଷ ତଥ୍ୟ ପ୍ରଦାନ କରି ସଚେତନ କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସଠିକ୍ ତଥ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ତା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ ପାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଗଣମାଧ୍ୟମ ମାଧ୍ୟମରେ ସ୍ୱଚ୍ଛ ସୂଚନା ପ୍ରଦାନ କରିବା ନେଇ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ନିର୍ବାଚନ ସମୟରେ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା  ଓ ଭ୍ରମାତ୍ମକ ଖବରକୁ ଚିହ୍ନଟ କରିବା ଏବଂ ତାର ତୁରନ୍ତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମ ଏ ଦିଗରେ ନିଜର ବିଶ୍ୱାସନିୟତା ବଜାୟ ରଖିବା ଏବଂ ଖବର ପ୍ରକାଶନ ବା ପ୍ରଚାର ପୂର୍ବରୁ କୌଣସି ତଥ୍ୟର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଅନୁରୋଧ କରାଯାଇଛି। 

CEC pressmeet

ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବରିଷ୍ଠ ସାମ୍ବାଦିକମାନେ ସାମ୍ପ୍ରତିକ ସମୟରେ ନିର୍ବାଚନୀ ବ୍ୟବସ୍ଥା, ସଠିକ୍ ସୂଚନାର ପ୍ରସାର ଏବଂ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଗଣମାଧ୍ୟମର ଦାୟିତ୍ୱବୋଧ ସମ୍ପର୍କରେ ନିଜ ନିଜର ମତାମତ ଓ ଅଭିଜ୍ଞତା ବାଣ୍ଟିଛନ୍ତି। ଏହି ସମ୍ମିଳନୀରେ ଓଡିଶାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଦିନମଣୀ ନାଏକଙ୍କ ନେତୃତ୍ୱରେ ୯ ଜଣ ବରିଷ୍ଠ ସାମ୍ବାଦିକ ଜ୍ୟୋତି ପ୍ରକାଶ ଦାସ, ରବି ନାରାୟଣ ଜେନା ,ଅଜିତ ଦେହୁରୀ, ଚୌଧୁରୀ ଅମିତାଭ ଦାସ, ଶକ୍ତିସାଇ ମିଶ୍ର, ମୁକେଶ ରଞ୍ଜନ ପରିଡ଼ା, ଯଯାତି କରଣ,  ଅଭିଜିତ ସାମନ୍ତରାୟ, ଯଯାତି କେଶରୀ  ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.