ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ୧୫,୯୪୮.୭୦ କୋଟି ଟଙ୍କା ପୁଞ୍ଜିନିବେଶ କରିବେ। ଶକ୍ତି କ୍ଷେତ୍ରରେ ଏହା ସର୍ବବୃହତ୍ ପୁଞ୍ଜିନିବେଶ ହେବ। ଏହା ଦ୍ବାରା ରାଜ୍ୟର ଦୀର୍ଘମିଆଦି ଅର୍ଥନୈତିକ ଓ ନିରନ୍ତର ବିକାଶ ପାଇଁ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ଟ୍ରାନ୍ସମିସନ୍ ନେଟ୍ୱର୍କ ଗଠନ ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ପାରିତ ହୋଇଛି।
Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ
ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୧୨ଟି ବିଭାଗର ୧୮ ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବିଜୁଳି ଭିତ୍ତିଭୂମି ପ୍ରସ୍ତାବରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାର ପ୍ରଥମ ଥର ପାଇଁ ୭୬୫ କେଭି ଟ୍ରାନ୍ସମିସନ୍ ନେଟ୍ୱର୍କ ସ୍ଥାପନ କରିବେ। ଶିଳ୍ପ ଅଭିବୃଦ୍ଧି ଓ ଘରୋଇ ଚାହିଦା ମଧ୍ୟରେ ସମନ୍ବୟ ପାଇଁ ଖୁଣ୍ଟୁଣି, ଡୁବୁରି ଓ କୋଲାବିରାଠାରେ ତିନିଟି ନୂଆ ୭୬୫ କେଭି ଗ୍ରିଡ୍ ସବ୍ଷ୍ଟେସନ୍ ସ୍ଥାପନ କରାଯିବ। ବର୍ତ୍ତମାନ ଓଡ଼ିଶାରେ ୫ଟି ୪୦୦ କେଭି ଗ୍ରିଡ୍ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ଥିବା ବେଳେ ୬ଟି ନିର୍ମାଣାଧୀନ ଅଛି।
ପଞ୍ଚସଖା ଶିକ୍ଷାସେତୁ ଯୋଜନା ପାଇଁ ୩୧୩ କୋଟି
ଓଡ଼ିଶା ଜନ ବିଶ୍ବାସ ବିଲ୍, ୨୦୨୬ ପାରିତ
କାଂସବାହାଲ ଓ ଟିଟିଲାଗଡ଼ରେ ଆଉ ଦୁଇଟି ଗ୍ରିଡ୍ ସବ୍ଷ୍ଟେସନ୍ ଅନୁମୋଦନ ହେବା ଫଳରେ ଓଡ଼ିଶାରେ ମୋଟ ୪୦୦ କେଭି ଗ୍ରିଡ୍ ସବ୍ଷ୍ଟେସନ୍ ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୩ରେ ପହଞ୍ଚିବ। ସେହିପରି ୨୦୨୪ ସୁଦ୍ଧା ଓଡ଼ିଶାରେ ୪୮ଟି ୨୨୦ କେଭି ଗ୍ରିଡ୍ ସବ୍ଷ୍ଟେସନ୍ ଥିବା ବେଳେ ବିଗତ ଦୁଇ ବର୍ଷ ମଧ୍ୟରେ ୬ଟି ନୂଆ ୨୨୦ କେଭି ଗ୍ରିଡ୍ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ଆଉ ୧୧ଟି ନିର୍ମାଣାଧୀନ ଅଛି। ଆଜି କ୍ୟାବିନେଟ୍ରେ ଆଉ ୧୦ଟି ଗ୍ରିଡ୍ ସବ୍ଷ୍ଟେସନ୍ ଅନୁମୋଦନ ହେବା ଫଳରେ ଏହି ସଂଖ୍ୟା ୪୮ରୁ ବୃଦ୍ଧି ପାଇଁ ୭୫ ହେବ। ଏହା ଫଳରେ ରାଉରକେଲା, ସମ୍ବଲପୁର ଓ ବରଗଡ଼ରେ ୨୨୦ କେଭି ରିଂ ନେଟ୍ୱର୍କ କାର୍ଯ୍ୟକ୍ଷମ ହୋଇପାରିବ। ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ ପାଇଁ ୭୯ଟି ସବ୍ଷ୍ଟେସନ୍ ଆଧୁନିକୀକରଣ କରାଯିବ। ଓପିଟିସିଏଲ୍ ନିଜର ଟ୍ରାନ୍ସଫର୍ମେସନ୍ କ୍ଷମତାକୁ ୨୯,୮୮୯ ଏମ୍ଭିଏରୁ ୬୩,୩୬୪ ଏମ୍ଭିଏକୁ ବୃଦ୍ଧି କରିବ। ହୀରାକୁଦ ଓ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଭୂମିଭିତ୍ତିକ ସୌର ପ୍ରକଳ୍ପଗୁଡ଼ିକରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଉପଯୁକ୍ତ ନେଟ୍ୱର୍କ ସୃଷ୍ଟି ହେବ। ଓପିଟିସିଏଲ୍ ନେଟ୍ୱର୍କକୁ ରିମୋଟ୍ ପରିଚାଳନା ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ଏହା ଭୁବନେଶ୍ବର, ବ୍ରହ୍ମପୁର, ଝାରସୁଗୁଡ଼ା ଓ ବାଲେଶ୍ବରସ୍ଥିତ ଚାରିଟି ନିୟନ୍ତ୍ରଣ କେନ୍ଦ୍ରରୁ ପରିଚାଳିତ ହେବ।
Village: ସୀମାନ୍ତ ଗାଁର ବିକାଶ ପାଇଁ ୧୧,୬୩୯ କୋଟି; ୨,୬୧୬ ଗାଁ ପାଇଁ ବିକାଶ ନକ୍ସା
‘ପଞ୍ଚସଖା ଶିକ୍ଷାସେତୁ ଯୋଜନା’ରେ ରାଜ୍ୟ ସରକାର ପାଞ୍ଚ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ଏହି ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ଜଣେ ବ୍ୟକ୍ତି ବା ଅନୁଷ୍ଠାନ ଯେତିକି ଅନୁଦାନ ପ୍ରଦାନ କରିବେ, ସରକାର ତାହାର ଦୁଇ ଗୁଣ କିମ୍ବା ସର୍ବାଧିକ ୫୦ ଲକ୍ଷ ଟଙ୍କା ଅନୁଦାନ ଦେବେ। ୨୦୨୪ ଡିସେମ୍ବରରୁ ୨୦୨୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ମଧ୍ୟରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।
‘ଓଡ଼ିଶା ଜନବିଶ୍ବାସ ବିଲ୍, ୨୦୨୬’ ଆଜି କ୍ୟାବିନେଟ୍ରେ ପାରିତ ହୋଇଛି। ଏହି ବିଲ୍ ମାଧ୍ୟମରେ ଲାଇସେନ୍ସିଂ ଓ ଅନୁମତି ଆବଶ୍ୟକତାକୁ ସରଳ କରିବା, ଦ୍ବୈତ ଅନୁମୋଦନଗୁଡ଼ିକୁ ଦୂର କରିବା, ଶିଳ୍ପ ଲାଇସେନ୍ସ ଓ ପଞ୍ଜୀକରଣ ପାଇଁ ବୈଧତା ଅବଧି ବୃଦ୍ଧି ବ୍ୟବସ୍ଥା ପ୍ରଚଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୧ଟି ସରକାରୀ ବିଭାଗ ଦ୍ବାରା ପରିଚାଳିତ ୧୬ଟି ରାଜ୍ୟ ଆଇନରେ ୬୨ଟି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ରହିଛି। ବ୍ୟବସ୍ଥାଗତ ଛୋଟ ଛୋଟ ବୈଷୟିକ ଓ ପ୍ରକ୍ରିୟାଗତ ତ୍ରୁଟିକୁ ଯୁକ୍ତିସଂଗତ କରିବା ପାଇଁ ୧୧ଟି ଆଇନରେ ୩୫ଟି ସଂଶୋଧନ କରାଯାଇଛି। ଲାଇସେନ୍ସିଂ ଓ ନିୟାମକ ଆବଶ୍ୟକତାକୁ ସହଜ କରିବା ପାଇଁ ୫ଟି ଆଇନରେ ୨୭ ସଂଶୋଧନ କରାଯାଇଛି। ପ୍ରସ୍ତାବିତ ସଂସ୍କାରଗୁଡ଼ିକ ମକଦ୍ଦମା ଓ ପ୍ରକ୍ରିୟାଗତ ବିଳମ୍ବକୁ ହ୍ରାସ କରବା ସହ ନାଗରିକ ଓ ନିବେଶକମାନଙ୍କ ବିଶ୍ବାସକୁ ସୁଦୃଢ଼ କରିବ ବୋଲି ସରକାର ଆଶା ରଖିଛନ୍ତି।

14 hours ago
2


