ARTICLE AD BOX
ଚନ୍ଦ୍ରଶେଖରପୁର: ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଲୋକଙ୍କ ଘର ଉପରେ ଚଢ଼ିଛି ବୁଲ୍ଡୋଜର୍। ଏକାଥରେ ୮ଟି ବୁଲ୍ଡୋଜର ମାଡ଼ରେ ଧରାଶାୟୀ ହୋଇଛି ନୀଳାଦ୍ରିବିହାରସ୍ଥିତ ଟ୍ରାଞ୍ଜିଟ୍ ହାଉସ୍। ଆବାସ ଯୋଜନାରେ ଥଇଥାନ ପରେ ମଧ୍ୟ ଜୋରଜବରଦସ୍ତ ସରକାରୀ ଜମି ମାଡ଼ି ବସିଥିବାରୁ ସହରର ଯୋଜନାବଦ୍ଧ ବିକାଶ ପ୍ରଭାବିତ ହୋଇଥିଲା। ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ମିଳିତ ଉଦ୍ୟମରେ ୩୩୦ଟି ଅସ୍ଥାୟୀ ଘର ସମେତ ୪୫ଟି ଶୌଚାଳୟ ଓ ସ୍ନାନାଗାର ଭଙ୍ଗାଯାଇଛି। ଏଥିସହ ପାଖାପାଖି ୫୦୦ ଫୁଟ ଲମ୍ବର ମାଙ୍କଡ଼ା ପଥର ପାଚେରି, ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଓ ୩ଟି କାଠ କ୍ୟାବିନ୍କୁ ମଧ୍ୟ ହଟାଇ ଦିଆଯାଇଛି। ଉଚ୍ଛେଦ ହୋଇଥିବା ଜମିରେ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାକୁ ସଂଯୋଗ କରୁଥିବା ଏକ ଶାଖା ରାସ୍ତା ନିର୍ମାଣ କରାଯିବ। ଗମନାଗମନରେ ସୁଧାର ଆଣିବା ସହ ଅଞ୍ଚଳର ଭିତ୍ତିଭୂମି ବିକାଶରେ ଏହା ସହାୟକ ହେବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର
୫୦୦ ଫୁଟ୍ର ପାଚେରି, ଅଙ୍ଗନବାଡ଼ି ଭଙ୍ଗାଗଲା
ଧସ୍ତାଧସ୍ତି, ୨୦ଜଣଙ୍କୁ ଉଠାଇନେଲା ପୁଲିସ
ଆତ୍ମାହୁତି ଧମକ ଦେଲେ ପରିବାର
ଉଚ୍ଛେଦ ସମୟରେ ଉଚ୍ଛେଦକାରୀ ଦଳକୁ ଆଜି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। କିଏ ଠେଙ୍ଗା ଧରି ବିରୋଧ କରିଥିଲେ ତ ଆଉ କିଏ ଆତ୍ମାହୁତିର ଧମକ ଦେଇଥିଲେ। କେହି କେହି ଆବାସ ଯୋଜନାରେ ପାଇଥିବା ଘରର ଚାବି ଯୋଗାଇ ଦେବାକୁ ବିଡିଏ ଅଧିକାରୀଙ୍କୁ କାକୁତିମିନତି ହୋଇଥିଲେ। ପ୍ରଥମେ ମହିଳାମାନେ ରାସ୍ତା ବନ୍ଦ କରିବା ସହ ଉଚ୍ଛେଦକାରୀ ଦଳକୁ ପ୍ରବେଶ କରିବାକୁ ଦେଇ ନଥିଲେ। ତେବେ ପୁଲିସର ବଳପ୍ରୟୋଗ ପରେ ବିରୋଧକାରୀ ପଛଘୁଞ୍ଚା ଦେଇଥିଲେ। ପାଖାପାଖି ୨୦ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିଲା। ଉଚ୍ଛେଦ ସମୟରେ ଯେଉଁମାନେ ବି ମୁହଁ ଖୋଲୁଥିଲେ ସେମାନଙ୍କୁ ପୁଲିସର ଧକ୍କା ଖାଇବାକୁ ପଡ଼ିଥିଲା। ତେବେ ଗୋଟିଏ ପରିବାର ପାଇଁଁ ଉଚ୍ଛେଦକାରୀ ଦଳକୁ ହଲାପଟା ହେବାକୁ ପଡ଼ିଥିଲା। ଘର ଭିତରେ ସମ୍ପୂର୍ଣ୍ଣ ପରିବାର କବାଟ ବନ୍ଦ କରି ରହିବା ସହ ଆତ୍ମାହୁତି ଧମକ ଦେବାରୁ, ପରିସ୍ଥିତି ଜଟିଳ ହୋଇଥିଲା। ପରିବାରକୁ ଘର ବାହାରକୁ ଆଣିବା ପାଇଁ ବିଏମ୍ସି, ବିଡିଏ, ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ନାକେଦମ ହୋଇଥିଲେ। ପ୍ରଥମେ ବିଏମ୍ସି ଓ ବିଡିଏ କର୍ମଚାରୀମାନେ ପରିବାର ସହ ଆଲୋଚନା କରି ବିଫଳ ହେବାରୁ ପୁଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ହୋଇଥିଲା। ପାଖାପାଖି ଗୋଟିଏ ଘଣ୍ଟା ଧରି ଝକାପଞ୍ଝା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ପରିବାର ଲୋକେ ଘର ଛାଡ଼ିବାକୁ ରାଜି ହୋଇଥିଲେ।
Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ
ବିଏମ୍ସି କର୍ମଚାରୀଙ୍କ ସୂଚନା ଅନୁସାରେ, ସମ୍ପୃକ୍ତ ପରିବାରର ରାସନକାର୍ଡ ବାରଙ୍ଗ ଅଞ୍ଚଳର ହୋଇଥିବାରୁ ତାଙ୍କୁ ବର୍ତ୍ତମାନ ଆବାସ ମିଳିନାହିଁ। ତେଣୁ ତାଙ୍କୁ ପ୍ରଥମେ ଟ୍ରାଞ୍ଜିଟ୍ ହାଉସ୍ରେ ରଖାଯିବ। ପରବର୍ତ୍ତୀ ସମୟରେ ଆବଶ୍ୟକ ଓ ଠିକ୍ ଦସ୍ତାବିଜ ଦାଖଲ କଲେ ନିୟମ ଅନୁସାରେ ଆବାସ ଯୋଗାଇଦେବାର ବ୍ୟବସ୍ଥା କରାଯାଇପାରେ। ଉଚ୍ଛେଦ ବେଳେ କିଛି ଲୋକ ଘର ପାଇ ନଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ। ତେବେ ଘର ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ ପରେ ନିୟମ ଅନୁସାରେ ଘର ଯୋଗାଇ ଦିଆଯିବ। ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ ଓ ଯୁଗ୍ମ କମିସନର ରଞ୍ଜନ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତଦାରଖରେ ଏହି ଅଭିଯାନ ହୋଇଥିଲା। ଉଚ୍ଛେଦ ସମୟରେ ବିଡିଏ ଅତିରିକ୍ତ କମିସନର(ଇଷ୍ଟେଟ୍-୧) ମନୋଜ ସ୍ୱାଇଁ, ବିଏମ୍ସି ଯୁଗ୍ମ କମିସନର(ହାଉସିଂ) ଅଜୟ କୁମାର ମହାନ୍ତିଙ୍କ ସମେତ ଉଭୟ ବିଡିଏ ଓ ବିଏମ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ୨ଜଣ ଅତିରିକ୍ତ ଡିସିପି, ୪ଜଣ ଏସିପି, ୯ଜଣ ଇନ୍ସପେକ୍ଟର ଓ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଏଥିସହ ଆବଶ୍ୟକ ସଂଖ୍ୟକ ମହିଳା ପୁଲିସ ମଧ୍ୟ ନିୟୋଜିତ ହୋଇଥିଲେ।

3 days ago
4


