ARTICLE AD BOX

ଭୁବନେଶ୍ବର: ଆଇନ ଅନୁଯାୟୀ ଜମି ବିକାକିଣା ହେଲା। ଗ୍ରାହକ ଧାର୍ଯ୍ୟ ମୂଲ୍ୟ ଦେଲେ ଏବଂ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକ୍ରି ଦଲିଲ ହେଲା। କିଛି ଦିନ ପରେ ଜମି ବିକିଥିବା ବିଲ୍ଡର, ଗ୍ରାହକଙ୍କୁ ପ୍ଲଟ୍ର ପଟ୍ଟା ବି ଦେଲେ। କିନ୍ତୁ ଗ୍ରାହକଙ୍କୁ ଜମି ମିଳିଲା ନାହିଁ। ଜମି ଦଖଲ ନେବାକୁ ସେ ୧୭ବର୍ଷ କାଳ ବିଲ୍ଡର୍ଙ୍କ ପାଖକୁ ଧାଇଁଲେ। ତଥାପି ତାଙ୍କ ଦଖଲକୁ ଜମି ଆସିପାରିଲା ନାହିଁ। ପଟ୍ଟା ଖଣ୍ଡିକ ଧରି ସେ ଜମି କେଉଁଠି ବୋଲି ଖୋଜିବାରେ ଲାଗିଲେ। ବିଭିନ୍ନ ବାହାନା କରି ବିଲ୍ଡର ଦିନ ଗଡ଼ାଇ ଚାଲିଲେ ଏବଂ ଶେଷରେ ଧରାଛୁଆଁ ଦେଲେ ନାହିଁ। ତେଣୁ ଗ୍ରାହକଜଣକ ପୁଲିସର ଦ୍ବାରସ୍ଥ ହେଲେ। ଏଭଳି ଏକ ଠକେଇ ମାମଲାରେ ଆଜି ଭରତପୁର ଥାନା ପୁଲିସ ଜଣାଶୁଣା ବିଲ୍ଡର ଶ୍ରୀକାନ୍ତ ରଂଜନ ବଡ଼ୁଙ୍କୁ ଗିରଫ କରିଛି।
Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର
ପୁଲିସ ସୂଚନାନୁସାରେ ୨୦୦୯ ମସିହାରେ ଅଭିଯୁକ୍ତ ଶ୍ରୀକାନ୍ତ, ‘ବଡ଼ୁ ବ୍ରଦର୍ସ’ ନାଁରେ ଏକ ବିଲ୍ଡର୍ସ ସଂସ୍ଥା କରିଥିଲେ। ଜମି କିଣି ପ୍ଲଟିଂ କରି ଗ୍ରାହକମାନଙ୍କୁ ବିକୁଥିଲେ। ସେହି ବର୍ଷ ଭୁବନେଶ୍ବର ତହସିଲ ଅନ୍ତର୍ଗତ ନରସିଂହପୁର(ନଁପୁଟ)ରେ ଶ୍ରୀକାନ୍ତଙ୍କର ପ୍ରକଳ୍ପ ଚାଲିଥିଲା। ଜଣେ ଗ୍ରାହକ ସୁବ୍ରତ ସ୍ବାଇଁ ଏକ ପ୍ଲଟ୍ କିଣିବାକୁ ବଡୁ ବ୍ରଦର୍ସ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ବଡ଼ୁ ବ୍ରଦର୍ସ ପକ୍ଷରୁ ଜମି କିଣାବିକାରେ ନିୟୋଜିତ ରମାବଲ୍ଲଭ ପରିଡ଼ା, ସୁବ୍ରତଙ୍କୁ ନେଇ ପ୍ଲଟ୍ ଦେଖାଇଥିଲେ ଏବଂ ତାଙ୍କ ମାଧ୍ୟମରେ ଟଙ୍କା ଦେଣନେଣ ହୋଇଥିଲା। ବିକ୍ରି ଦଲିଲ ହେଲା ଏବଂ ଚୁକ୍ତି ଅନୁସାରେ କିଛି ଦିନ ପରେ ସୁବ୍ରତଙ୍କୁ ପଟ୍ଟା ଦିଆଗଲା। କିନ୍ତୁ ଏହାପରେ ବି ସେ ଜମି ଦଖଲ ନେଇ ପାରିଲେ ନାହିଁ। ଏମିତିକି ତାଙ୍କ ପ୍ଲଟ୍ କେଉଁଠି, ସୁବ୍ରତ ଜାଣିପାରିଲେ ନାହିଁ। ଏହା ଭିତରେ ବଡ଼ୁ ବ୍ରଦର୍ସ ନାଁ ବଦଳି ସିଟିକନ୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ ହୋଇଗଲା। ୧୭ବର୍ଷ ଅପେକ୍ଷା କରିବା ପରେ ସୁବ୍ରତ ପ୍ଲଟ୍ ପାଇବା ଆଶା ଛାଡ଼ିଦେଲେ ଏବଂ ନ୍ୟାୟ ପାଇବାକୁ ଭରତପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଠକେଇ ଦଫାରେ ମାମଲା ରୁଜୁ କରିଛି ଏବଂ ଶ୍ରୀକାନ୍ତଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଏହି ଠକେଇ ପଛରେ ବଡ଼ଧରଣର କେଳେଙ୍କାରୀ ରହିଛି ବୋଲି ଚର୍ଚ୍ଚା ହେଉଛି। ପଟ୍ଟା ମିଳିଲା, ଅଥଚ ଜମି କୁଆଡ଼େ ଗଲା? ଯଦି ଜମି ନାହିଁ, ପଟ୍ଟା କେମିତି ସମ୍ଭବ ହେଲା? ବିଲ୍ଡର୍ସ ଓ ରାଜସ୍ବ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ଜାଲିଆତି ହୋଇପାରୁଛି ଏବଂ ଗ୍ରାହକମାନେ ଠକାମିର ଶିକାର ହେଉଛନ୍ତି। ଏହି ମାମଲା ଅଧିକ ତଦନ୍ତ ଜରୁରି ବୋଲି ଆଲୋଚନା ହେଉଛି।
Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ

3 days ago
3


