ARTICLE AD BOX
କାଳିଆପାଣି (ରବି ନାରାୟଣ କର): ବିଜ୍ଞାନର ବ୍ୟାପକ ଅଗ୍ରଗତି ସତ୍ତ୍ବେ ଅବହେଳିତ ସମାଜରୁ ଅନ୍ଧବିଶ୍ବାସ ଓ କୁସଂସ୍କାର ହଟୁନି। ଝଡ଼ାଫୁଙ୍କା, ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ରର ବଶବର୍ତ୍ତୀ ମଣିଷ ପୈଶାଚିକ ପ୍ରବୃତ୍ତି ଆପଣାଇବାକୁ ବି ପଛାଉନାହିଁ, ଯାହାର ଭୟାନକ ପରିଣତି ଯାଜପୁର-କେନ୍ଦୁଝର ଜିଲ୍ଲାର କାଳିଆପାଣି ଓ ଦୈତାରି ଥାନା ସୀମାନ୍ତବର୍ତ୍ତୀ ବଣପାହାଡ଼ ଘେରା ଉପାନ୍ତ ଇଲାକାରେ ବାରମ୍ବାର ଘଟୁଛି। ସୀମାନ୍ତରୁ ୩ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ଉଭୟ ଜିଲ୍ଲାର ୩ଟି ଗାଁରେ ହତ୍ୟାକାଣ୍ଡ ଜନିତ ୭ଟି ମୁଣ୍ଡ ଗଡ଼ିଲାଣି। ଏହା ମଧ୍ୟରେ ୩ଟି ଡବଲ ମର୍ଡର ରହିଛି। ଯାହାକି ସାଧାରଣାର ଆଲୋଡ଼ନର କାରଣ ହୋଇଛି।
ଗତମାସ ୨୫ ତାରିଖ ଦୈତାରି ଥାନା ରାସୋଳ ପଞ୍ଚାୟତ ବଳିପର୍ବତ ହୁର୍ଲାବାହାଳି ଗାଁର ୫ ଜଣ ଅଭିଯୁକ୍ତ ଶିବ ମୁଣ୍ଡା, ରେଞ୍ଜ ବାନରା, ଗଣଶା ହାଁସଦା, ଅନୁପ ଟପ୍ନୋ ଓ ଅନ୍ତୁଷ ଟପ୍ନୋ ମିଶି ପଡ଼ୋଶୀ ଯୁବ ଦମ୍ପତି ଟୁନି ଓ ଖଗେଶ୍ବର ସୋରେନଙ୍କୁ ଘରେ ପଶି ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ। ଗତ ୩ ତାରିଖରେ ଅଗ୍ନିଶମ ବାହିନୀ ସହାୟତାରେ ପୁଲିସ ମୃତ ଦମ୍ପତିଙ୍କ ଗଳିତ ମୃତଦେହ ଗାଁର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଥିଲା।
ସତ୍ସଙ୍ଗ ମଣିଷକୁ ଅନ୍ଧବିଶ୍ୱାସ ଓ କୁସଂସ୍କାରର ଅଜ୍ଞାନତାରୁ ମୁକ୍ତି ଦେବ: ରାଜ୍ୟପାଳ
୨୦୨୪ ମସିହା ଅଗଷ୍ଟ ୨୨ କାଳିଆପାଣି ଥାନା କଅଁସ ଜାରଗିସାହିରେ ବୃଦ୍ଧ ସାଲକୁ ହାଁସଦା(୬୫)ଙ୍କୁ ପଡ଼ୋଶୀ ଯୁବ ଦମ୍ପତି ଦୁଲି ଓ ମୋହନ ମାରାଣ୍ଡି, ବିଧବା ସମ୍ବାରୀ ହେମ୍ବ୍ରମ ଓ ୨ ନାବାଳକ ମିଶି ହତ୍ୟା କରିଥିଲେ। ଏହାର ଦିନକ ପୂର୍ବରୁ ଅଭିଯୁକ୍ତମାନେ ସାଲକୁଙ୍କ ପୁଅ ମଙ୍ଗଲ ଓରଫ୍ ବୁଢ଼ାନ(୪୮)ଙ୍କୁ ହାଣି ହତ୍ୟା କରିଥିଲେ ବୋଲି ମୃତକଙ୍କ ବୃଦ୍ଧା ମାଆ ଶ୍ରୀମତୀ ହାଁସଦା ଅଭିଯୋଗ କରନ୍ତି। ୨ ବର୍ଷ ଧରି ବୁଢ଼ାନଙ୍କ ପତ୍ତା ନମିଳିବା ଘଟଣାକୁ ରହସ୍ୟାବୃତ୍ତ କରିରଖିଛି।
ଫେବ୍ରୁଆରି ୨୭ ତାରିଖରେ କାଳିଆପାଣି ଥାନା ଟିକରପଡ଼ା ଗାଁର ମଙ୍ଗଲସିଂ ବିରୁଆଙ୍କ ଜୋଇଁ ଶ୍ରୀରାମ ମୁଣ୍ଡା ଓ ନାତି ମଙ୍ଗଲ(୩)ର ଝୁଲନ୍ତା ମୃତଦେହ ପାଖ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଜରରେ ଆକ୍ରାନ୍ତ ପୁଅ ପାଇଁ ଝଡ଼ାଫୁଙ୍କା ଚାଲିଥିଲା। ଏହାକୁ ନେଇ ଶ୍ରୀରାମ ଓ ପତ୍ନୀ ମୁକୁତେଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଅ ମଙ୍ଗଲ(୩)କୁ ସାଇକଲରେ ବସାଇ ଶ୍ରୀରାମ ରାଗରେ ପଳାଇଆସିଥିଲା। ତଣ୍ଟଚିପି ହତ୍ୟା ପରେ ପୁଅର ଶବକୁ ଗଛରେ ଝୁଲାଇ ଦେଇଥିଲା। ସେଠାରେ ମାନସିକ ଭାରସାମ୍ୟ ହରାଇ ଶ୍ରୀରାମ ସେହି ଗଛ ଓ ଦଉଡ଼ିରେ ଝୁଲି ପଡ଼ିଥିଲା ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ୨୦୨୧ ମସିହାରେ ଜୁନ ୭ ତାରିଖରେ ଟିକରପଡ଼ା ଗାଁର ମାଗୁ ଜୁଆଙ୍ଗ(୪୦)ଙ୍କୁ ପଡ଼ୋଶୀ ମୁଖିଆ ଜୁଆଙ୍ଗ କଟୁରିରେ ହାଣି ହତ୍ୟା କରିଥିଲା। ସମସ୍ତ ମୃତକ ଓ ଅଭିଯୁକ୍ତମାନେ ଆଦିବାସୀ ସମ୍ପ୍ରଦାୟର। ଏହାବାଦ୍ ଗତ ମାର୍ଚ୍ଚମାସ ୨୭ ତାରିଖ ଖଣିଅଞ୍ଚଳ କୃଷ୍ଣପୁର ଗାଁର ଯୁବକ ମଣ୍ଟୁ ମହାନ୍ତ(୩୦)ଙ୍କୁ ପଡ଼ୋଶୀ ସମ୍ପର୍କୀୟ ଭାଇ ତ୍ରିଲୋଚନ ମହାନ୍ତ ଶାବଳ ଭୁଶି ହତ୍ୟା କରିଥିଲା।
ଶିକ୍ଷା ଅନଗ୍ରସର ଓ ସଚେତନତା ଅଭାବରୁ ପ୍ରଭାବିତ ପରିବାର ରୋଗ ପ୍ରତିକାର ପାଇଁ ଝଡ଼ାଫୁଙ୍କା, ପୂଜାପାଠ ଓ ଗୁଣିଗାରେଡ଼ି ସହାୟତା ଅତିରିକ୍ତ ଜଡ଼ିବୁଟି ଉପଚାର କରାଇଥାନ୍ତି। ମୃତ୍ୟୁର କାରଣ ପାଇଁ ସନ୍ଦେହ ବଳୟରେ ଥିବା ବ୍ୟକ୍ତିଙ୍କୁ ଦାୟୀ କରିଥାନ୍ତି। ଯାହାକି ହିଂସାକାଣ୍ଡର କାରଣ ହୋଇଥାଏ। ଏ ସଂପର୍କରେ କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଏସବୁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଦ୍ବାରା ଅବହେଳିତ ସମାଜରେ ସଂସ୍କାର ଅଣାଯାଇପାରିବ ବୋଲି କହନ୍ତି।

1 hour ago
1


