BJP: ଇଟାଲୀୟ ନେତାଙ୍କ ‘ଭୋଟ ଚୋର’ ସ୍ଲୋଗାନକୁ ନେଇ ଝଡ଼, ରାହୁଲଙ୍କ ହସକୁ ‘ଦେଶଦ୍ରୋହ’ କହିଲା ବିଜେପି

20 minutes ago 1
ARTICLE AD BOX

ନୂଆଦିଲ୍ଲୀ,: ହାଇଦ୍ରାବାଦରେ କଂଗ୍ରେସ ଶାସିତ ତେଲେଙ୍ଗାନା ସରକାରଙ୍କ ଦ୍ୱାରା ଆୟୋଜିତ ‘ଭାରତ ସମ୍ମିଳନୀ’ରେ ଜଣେ ଇଟାଲୀୟ ନେତା ‘ଭୋଟ ଚୋର, ଗାଦି ଛାଡ଼’ ସ୍ଲୋଗାନ ଦେବା ଏବଂ ସେଥିରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହସିବାକୁ ନେଇ ବିଜେପି ରବିବାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଦେଶୀ ରାଜନୈତିକ ପ୍ରତିନିଧିମାନଙ୍କୁ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରିବାକୁ ରାହୁଲ ଗାନ୍ଧୀ ସୁଯୋଗ ଦେଉଥିବା ବିଜେପି ଅଭିଯୋଗ କରିଛି। ଶନିବାର ଏହି ସମ୍ମିଳନୀରେ ‘ପାର୍ଟି ଅଫ୍ ୟୁରୋପିଆନ୍ ସୋସିଆଲିଷ୍ଟସ୍’ (ପିଇଏସ୍)ର ସାଧାରଣ ସମ୍ପାଦକ ଜିଆକୋମୋ ଫିଲିବେକ୍ ‘ଭୋଟ ଚୋର, ଗାଦି ଛାଡ଼’ ସ୍ଲୋଗନକୁ ନେଇ ବାଗ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ‘ଏକ୍ସ’ରେ ଲେଖିଛନ୍ତି ଯେ କୌଣସି ବିଦେଶୀଙ୍କ ଦ୍ୱାରା ଭାରତ ଅପମାନିତ ହେଉଥିବା ବେଳେ କେହି ହସୁଥିବାର ଆପଣ କେବେ ଦେଖିଛନ୍ତି କି । ଆଜି ମହାରାଷ୍ଟ୍ରରେ ଏକ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଲଗାତାର ତିନୋଟି ଲୋକସଭା ନିର୍ବାଚନ ହାରିବାର ହତାଶାକୁ କଂଗ୍ରେସ ଏବେ ଜାହିର କରୁଛି। କଂଗ୍ରେସ ଦେଶ ବିଦେଶରୁ ବାମପନ୍ଥୀ ବିଚାରଧାରାର ପ୍ରଚାରକମାନଙ୍କୁ ଡାକି ଏହାର ନାଁ ‘ଭାରତ ସମ୍ମିଳନୀ’ ରଖିଛି, କିନ୍ତୁ ରାହୁଲ ଗାନ୍ଧୀ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସମଗ୍ର ବିଶ୍ୱରେ ଦେଶକୁ ବଦନାମ କରିବା କାମ କରିଛନ୍ତି ବୋଲି ଶାହ ଅଭିଯୋଗ କରିଛନ୍ତି।

ଆହୁରି ପଢନ୍ତୁ: Murder: ବେଙ୍ଗାଲୁରୁରେ ବ୍ୟବସାୟୀଙ୍କୁ ହାଣି ହତ୍ୟା

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଏହି କାର୍ଯ୍ୟକ୍ରମକୁ ‘ଭାରତ ବିରୋଧୀ ସମ୍ମିଳନୀ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦିନେ ଜଣେ ଇଟାଲୀୟ ନାଗରିକଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରିବାକୁ ଚେଷ୍ଟା କରିଥିଲା ଏବଂ ଏବେ ଜଣେ ଇଟାଲୀୟ ରାଜନେତା ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମନ୍ତବ୍ୟ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସରକାର ବିଦେଶୀ ପ୍ରତିନିଧିଙ୍କୁ ଆମ ଘରୋଇ ରାଜନୀତିରେ ହସ୍ତକ୍ଷେପ କରିବାକୁ ମଞ୍ଚ ଦେଇଛନ୍ତି ଏବଂ ରାହୁଲ ଗାନ୍ଧୀ ନିର୍ଲଜ ଭାବେ ହସୁଛନ୍ତି ବୋଲି ସେ କହିଛନ୍ତି। ସେହିପରି ତେଲେଙ୍ଗାନା ବିଜେପି ମୁଖ୍ୟ ଏନ୍ ରାମଚନ୍ଦର ରାଓ ତେଲୁଗୁରେ ପୋଷ୍ଟ କରି ବିଦେଶୀ ନେତାଙ୍କୁ ଆମ ଗଣତନ୍ତ୍ରର ଉପହାସ କରିବାକୁ ଦେବା ଏବଂ ତାହାକୁ ତାଳି ମାରି ପ୍ରଶଂସା କରିବା ‘ଦେଶଦ୍ରୋହ’ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି।

ଏହାର ଜବାବରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଦିଲ୍ଲୀରେ କହିଛନ୍ତି ଯେ ଯଦି ଜଣେ ବିଦେଶୀ ଆସି ଭାରତରେ ଭୋଟ ଚୋରି କଥା କହୁଛନ୍ତି ତେବେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। କଂଗ୍ରେସ ମୁଖପାତ୍ର ଗିରିଜା ଶେଟକର ‘ଏକ୍ସ’ରେ ପ୍ରଶ୍ନ କରିଛନ୍ତି ଯେ ୨୦୧୯ରେ ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘ଅବ୍‌କି ବାର ଟ୍ରମ୍ପ ସରକାର’ ନାରା କଣ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ମନ୍ତବ୍ୟ ନଥିଲା କି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ ଯଦି ମୋଦୀ ମେ ମାସରେ ରୋମ୍‌ ଗସ୍ତ ସମୟରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ମେଲୋଡି ଚକୋଲେଟ୍ ପ୍ୟାକେଟ୍ ଦେଇପାରୁଛନ୍ତି, ତେବେ ଜଣେ ଇଟାଲୀୟ ରାଜନେତା ଏଠାକୁ ଆସି ଭାରତ ବିଷୟରେ କହିପାରିବେ।

ଆହୁରି ପଢନ୍ତୁ: Separate Road Accidents in Khordha ଖୋର୍ଦ୍ଧାରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା: ଜଣେ ନାବାଳକ ସମେତ ୨ ମୃତ

ସୂଚନାଯୋଗ୍ୟ ଯେ ସମ୍ମିଳନୀରେ ଫିଲିବେକ୍ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବିରୋଧୀ ଆନ୍ଦୋଳନକୁ ପ୍ରଶଂସା କରିଥିଲେ। ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାଁ ବାଦ ଦିଆଯିବା ବିରୋଧରେ ଛାତ୍ର, ଯୁବକ ଓ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହି ଲଢ଼େଇର କେନ୍ଦ୍ରରେ ଭାରତୀୟ ଜାତୀୟ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ରହିଛି ବୋଲି କହିବା ସହ ସେ ‘ଭୋଟ ଚୋରି’ ନାରା ଦେଇଥିଲେ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ତାଙ୍କ ଭାଷଣ ଆରମ୍ଭରେ ଭିସା ଥିବା ସତ୍ତ୍ୱେ ଭାରତ ସରକାର ଅନେକ ବିଦେଶୀ ପ୍ରତିନିଧିଙ୍କୁ ଦେଶ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ପୁଣିଥରେ ‘ଭୋଟ ଚୋରି’ ଅଭିଯୋଗ ଦୋହରାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.