BJ Kahali: ଚାରିଖଣ୍ଡିଆ ବିଜେ କାହାଳୀ

1 hour ago 1
ARTICLE AD BOX

ପୁରୀ: ବିଜେ କାହାଳୀର ମାଙ୍ଗଳିକ ଧ୍ବନି ମହାପ୍ରଭୁ ବିଜେ ହେବାର ସଙ୍କେତ ଦିଏ। ରଥ ନିର୍ମାଣ ଆରମ୍ଭ ତଥା ଅନୁକୂଳ ବେଳଠୁ କାହାଳୀ ସେବା ଆରମ୍ଭ ହୁଏ। ପହଣ୍ଡି ପାଇଁ ଡୋରି ଲାଗି ବିଜେ କାହାଳୀ ବାଜିବା ପରେ ରଥ ଘଣ୍ଟୁଆ ଘଣ୍ଟ ବଜେଇ ପହଣ୍ଡି ଆରମ୍ଭ କରନ୍ତି। କାହାଳୀ ସେବା ଥରକରେ ତିନି ଥାକିଆ ହୋଇ ପ୍ରାୟ ୧ ମିନିଟ୍‌ ପର୍ଯ୍ୟନ୍ତ ବଜାଇହୁଏ। ଜ୍ବର, ଥଣ୍ଡା କି କାଶ ହେଲେ କାହାଳୀ ବଜାଇବା ସମ୍ଭବ ହୁଏ ନାହିଁ। ଥରେ ଦାନ୍ତ ପଡ଼ିଗଲେ କାହାଳୀ ସେବା ସମ୍ଭବ ହୁଏନି।

ସଂପ୍ରତି ୧୧ ଜଣ ଶାଢ଼ି ବନ୍ଧା କାହାଳିଆ ସେବକ ରହିଥିଲେ ହେଁ ରଥ ଉପରେ ସୁବାସ ଚନ୍ଦ୍ର ମହାନ୍ତି, ଅନିଲ କୁମାର ମହାନ୍ତି, ବିମଳ କୁମାର ମହାନ୍ତି ଓ ଅନ୍ୟ ନୀତିରେ ଅଜିତ ମହାନ୍ତି ମଧ୍ୟ ସେବାରେ ସାମିଲ ହେଉଛନ୍ତି। ଏହାବ୍ୟତୀତ କେବଳ ରଥଯାତ୍ରା ଦିନ ବଳଭଦ୍ରଙ୍କ ରଥରେ ଲୋକନାଥଙ୍କ କାହାଳିଆ ସେବକ ନିୟୋଜିତ ହେଉଛନ୍ତି। ସୁବାସ ଚନ୍ଦ୍ର ମହାନ୍ତିଙ୍କ ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜେ କାହାଳୀ ଚାନ୍ଦିରେ ନିର୍ମିତ ହୋଇଛି। କାହାଳୀର ଲମ୍ବ ୩୯ ଇଞ୍ଚ ବିଶିଷ୍ଟ ହୋଇଥିଲେ ହେଁ ଏହା ୪ ଖଣ୍ଡରେ ବିଭାଜିତ। ୪୦୦ ଗ୍ରାମ ଲେଖାଏଁ ଓଜନ ବିଶିଷ୍ଟ ୩ଟି କାହାଳୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଛି। ଗୋଟିଏ ସୁବାସ ଚନ୍ଦ୍ର ମହାନ୍ତିଙ୍କ ପାଖରେ ଥିବା ବେଳେ ଆଉ ଗୋଟିଏ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଓ ଅନ୍ୟଟି କମାଣ୍ଡରଙ୍କ ଦାୟିତ୍ବରେ ରହିଛି। ଚାରି ଖଣ୍ଡ ବିଶିଷ୍ଟ କାହାଳୀକୁ ପରସ୍ପର ସହ ଯୋଡ଼ି, ସଂଯୋଗ ସ୍ଥାନକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପିନ୍ଧା ବସ୍ତ୍ରରେ ଗୁଡ଼ାଇ ବାନ୍ଧିବା ପରେ ଏହାକୁ ବଜାଇବାର ବିଧି ରହିଛି। 

ବିଜେ କାହାଳୀ ୪ ଖଣ୍ଡ ହେବା ପଛରେ ଏକ ଲୋକକଥା ରହିଛି। ଅତୀତରେ ଗଜପତି ମହାରାଜ ଯୁଦ୍ଧ କରିବାକୁ ଯିବା ବେଳେ ତାଙ୍କ ମା’ଙ୍କ ପାଇଁ କ’ଣ ଆଣିବେ ବୋଲି ପ୍ରଶ୍ନ କରିଥିଲେ। ଜବାବରେ ତାଙ୍କ ମା’ କହିଥିଲେ ମୋ ପାଇଁ ଗଙ୍ଗାଙ୍କୁ ଆଣିବୁ। ଗଜପତି ଯୁଦ୍ଧ ଜୟ ଲାଭ କରିବା ପରେ ମା’ଙ୍କ ପାଇଁ ଗଙ୍ଗାଙ୍କୁ ନେବା କଥା ମନେ ପଡ଼ିଯିବାରୁ ସେ ତପସ୍ୟାରତ ହେଲେ। ମହାମନ୍ତ୍ରୀଙ୍କୁ କହିଲେ, ମୋତେ ତପରୁ ଯିଏ ଉଠାଇବ ତାକୁ ମୋ ଖଡ୍‌ଗରେ ତିନି ଗର କରିଦେବି। ଗଜପତି ତପରେ ବସିଥିବା ବେଳେ ଶତ୍ରୁପକ୍ଷ ପୁନର୍ବାର ଆକ୍ରମଣ କରିବାରୁ ମହାମନ୍ତ୍ରୀ ବ୍ୟସ୍ତ ହୋଇ ପଡ଼ିଲେ। ଯଦିଓ ସୈନ୍ୟସାମନ୍ତ ଯୁଦ୍ଧ‌ କଲେ, କିନ୍ତୁ ପରାସ୍ତ ହେବାର ସମୟ ଉପନୀତ ହେଲା। ତେଣୁ ଗଜପତିଙ୍କୁ ତପରୁ ଉଠାଇବା ପାଇଁ କାହାଳିଆଙ୍କୁ ଡକାଇ କାହାଳୀ ବଜାଗଲା। ରାଜା ତପ ଭଙ୍ଗ‌ ହେବାରୁ କାହାଳିଆଙ୍କୁ ଖଡ୍‌ଗରେ ଚୋଟ ପକାଇବାକୁ ଉଦ୍ୟତ ହୁଅନ୍ତେ ଚତୁର ମହାମନ୍ତ୍ରୀ କହିଲେ, କାହାଳିଆ ନୁହେଁ ବରଂ କାହାଳୀ ବାଜିବାରୁ ଆପଣଙ୍କ ତପ ଭଙ୍ଗ ହେଲା। ତେଣୁ ଗଜପତି କାହାଳୀକୁ ତିନିଖଣ୍ଡ କରିବାରୁ ଏହା ଚାରିଖଣ୍ଡ ହେଲା ବୋଲି କଥିତ ଅଛି। ଆଗରୁ ଏଥିପାଇଁ ଖେଇ ବାବଦରେ କୋରା, ଲଡ଼ୁ, ଅମ୍ବାଲୁ ମିଳୁଥିବା ବେଳେ ଏବେ ମାସକୁ ଦରମା ୧୦୦ ଟଙ୍କା। ଏହାବ୍ୟତୀତ ପାଳିଆ ପୁରସ୍କାର ବାବଦରେ ପ୍ରତିମାସରେ କିଛି ଅର୍ଥ ମିଳେ। ତେବେ ଟଙ୍କା ପାଇଁ ନୁହେଁ ବରଂ ସେବା କରିବାର ସୁଯୋଗ ମିଳିଛି , ତାହା ହିଁ ଆମ ପାଇଁ ସବୁଠୁ ବଡ଼ ପାଉଣା ବୋଲି କାହାଳିଆ ସେବକ ସୁବାସ ଚନ୍ଦ୍ର ମହାନ୍ତି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.