ARTICLE AD BOX
ରାଞ୍ଚି: ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଆଗରେ ବୟସ ଯେ ହାର ମାନେ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଦିବାସୀ ମହାନାୟକ ବିର୍ସା ମୁଣ୍ଡା। ମାତ୍ର ୨୫ ବର୍ଷ ବୟସରେ ସେ ବ୍ରିଟିଶ ଶାସନ ବିରୋଧରେ ଏଭଳି ସଂଗ୍ରାମ ଆରମ୍ଭ କରିଥିଲେ, ଯାହା ଇଂରେଜ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ଆଦିବାସୀ ସମାଜ ତାଙ୍କୁ 'ଧରତୀ ଆବା' ଅର୍ଥାତ୍ ଧରିତ୍ରୀର ପିତା ଭାବେ ସମ୍ମାନ ଦିଏ। ନଭେମ୍ବର ୧୫ ତାରିଖରେ ତାଙ୍କ ଜୟନ୍ତୀ ପାଳନ କରାଯାଏ।
୧୮୭୫ ନଭେମ୍ବର ୧୫ରେ ବର୍ତ୍ତମାନର ଝାଡ଼ଖଣ୍ଡ ଅଞ୍ଚଳରେ ବିର୍ସା ମୁଣ୍ଡାଙ୍କ ଜନ୍ମ ହୋଇଥିଲା। ପାଠପଢ଼ା ପାଇଁ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। କିନ୍ତୁ ଜଣେ ଇଂରେଜ ଶିକ୍ଷକ ମୁଣ୍ଡା ସମାଜ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ପରେ ସେ ବିଦ୍ୟାଳୟ ଛାଡ଼ି ଦେଇଥିଲେ। ପରେ ଆଦିବାସୀଙ୍କ ସାଂସ୍କୃତିକ ପରିଚୟ, ପରମ୍ପରା ଓ ଧାର୍ମିକ ବିଶ୍ୱାସର ସୁରକ୍ଷା ପାଇଁ 'ବିର୍ସାଇତ' ଧର୍ମର ପ୍ରଚାର କରିଥିଲେ।
ଧରିବା ପାଇଁ ୫୦୦ ଟଙ୍କା ପୁରସ୍କାର ଘୋଷଣା
୧୮୯୪ ମସିହାରେ ବିର୍ସା ମୁଣ୍ଡା ଆଦିବାସୀଙ୍କ ଅଧିକାର ପାଇଁ ଏକ ବଡ଼ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ଏହା 'ଉଲଗୁଲାନ' ବା ମହାବିଦ୍ରୋହ ନାମରେ ପରିଚିତ। ଇଂରେଜଙ୍କ ଶୋଷଣକାରୀ ଜମି ନୀତି, ଜମିଦାର ଓ ସାହୁକାରଙ୍କ ଅତ୍ୟାଚାର ବିରୋଧରେ ସେ ଆଦିବାସୀଙ୍କୁ ଏକଜୁଟ କରିଥିଲେ। 'ଆବୁଆ ରାଜ ଏତେ ଜାନା, ମହାରାଣୀ ରାଜ ଟୁଣ୍ଡୁ ଜାନା' ଅର୍ଥାତ୍ ଆମ ଶାସନ ଆସିବ, ମହାରାଣୀଙ୍କ ଶାସନ ଶେଷ ହେବ ବୋଲି ସେ ନାରା ଦେଇଥିଲେ। ତାଙ୍କୁ ଧରିବା ପାଇଁ ଇଂରେଜ ସରକାର ୫୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।
ଚକ୍ରଧରପୁର ଜଙ୍ଗଲରୁ ଗିରଫ
୧୯୦୦ ମସିହାରେ ଖୁଣ୍ଟି ଜିଲ୍ଲାର ଡୋମ୍ବାରୀ ପାହାଡ଼ରେ ଆନ୍ଦୋଳନକାରୀଙ୍କ ଏକ ବଡ଼ ସମାବେଶ ଚାଲିଥିବା ସମୟରେ ଇଂରେଜ ସେନା ଗୁଳିଚାଳନା କରିଥିଲା। ଏହି ଘଟଣାରେ ପ୍ରାୟ ୪୦୦ ଆଦିବାସୀ ପ୍ରାଣ ହରାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ସତ୍ତ୍ୱେ ବିର୍ସାଙ୍କ ସଂଗ୍ରାମ ଥମି ନଥିଲା। ଶେଷରେ ୧୯୦୦ ମାର୍ଚ୍ଚ ୩ ତାରିଖରେ ଚକ୍ରଧରପୁର ଜଙ୍ଗଲରୁ ଇଂରେଜମାନେ ତାଙ୍କୁ ଗିରଫ କରିଥିଲେ। ରାଞ୍ଚି ଜେଲରେ ରହିବା ସମୟରେ ୧୯୦୦ ଜୁନ୍ ୯ ତାରିଖରେ ମାତ୍ର ୨୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।
Celebrate a Green Dussehra: ପାଳନ୍ତୁ ସବୁଜ ଦଶହରା
ବିର୍ସା ମୁଣ୍ଡାଙ୍କ ବଳିଦାନ ବ୍ୟର୍ଥ ଯାଇନଥିଲା। ତାଙ୍କ ଆନ୍ଦୋଳନର ପ୍ରଭାବରେ ଇଂରେଜ ସରକାର ୧୯୦୮ ମସିହାରେ ଛୋଟନାଗପୁର ଟେନାନ୍ସି ଆକ୍ଟ (ସିଏନଟି ଆକ୍ଟ) ଲାଗୁ କରିଥିଲେ। ଏହି ଆଇନ ଆଦିବାସୀଙ୍କ ଜମିକୁ ବାହାର ଲୋକଙ୍କ ହାତକୁ ଯିବାରୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହ ଆଦିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ପରିଚୟ ପାଇଁ ତାଙ୍କ ଲଢ଼େଇ ଆଜି ମଧ୍ୟ ସ୍ମରଣୀୟ। ଏହି ଅଦମ୍ୟ ସାହସ, ତ୍ୟାଗ ଓ ସମାଜ ପ୍ରତି ସମର୍ପଣ ଯୋଗୁଁ ବିର୍ସା ମୁଣ୍ଡା ଭାରତୀୟ ଇତିହାସରେ ଅମର ହୋଇ ରହିଛନ୍ତି।

6 minutes ago
1


