ARTICLE AD BOX
ଭୁବନେଶ୍ବର: କଟକ-ଭୁବନେଶ୍ବର କମିସନରେଟ୍ ପୁଲିସରେ ଥିବା ଭୁବନେଶ୍ବର ସହରାଞ୍ଚଳ ପୁଲିସ(ୟୁପିଡି)କୁ ବିଭାଜନ ବାଟ ଫିଟୁନି। ଭୁବନେଶ୍ବର ୟୁପିଡିକୁ ଦୁଇ ଭାଗ କରାଯିବ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡି। ଏଥିପାଇଁ ଜଣେ ନୁହେଁ ବରଂ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ। ଦିନକୁ ଦିନ ସହରେ ବଢ଼ୁଥିବା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା କମିସନରେଟ୍ ପୁଲିସ। ଏନେଇ ପୁଲିସ କମିସନରେଟ୍ରୁ ପୁଲିସ ଡିଜିପିଙ୍କୁ ପ୍ରସ୍ତାବ ଦିଆଯିବା ପରେ ଗୃହବିଭାଗକୁ ଫାଇଲ୍ ପଠାଯାଇଥିଲା। ଗତ ମାର୍ଚ୍ଚ ମାସରେ ଫାଇଲ୍ ପଠାଯାଇଥିବା ବେଳେ ଇତିମଧ୍ୟରେ ୬ମାସ ବିତିବାକୁ ବସିଲାଣି। ହେଲେ ଏ ସଂକ୍ରାନ୍ତରେ ଫାଇଲ୍ ଆଗକୁ ବଢ଼ିନାହିଁ।
Supreme Court: ଏମ.ଏମ.ଡି.ଆର. ଆକ୍ଟ: ରାଜ୍ୟମାନେ ସୁପ୍ରିମ କୋର୍ଟ ଯାଆନ୍ତୁ
କମିସନରେଟ୍ ପୁଲିସକୁ ଦୁଇ ଭାଗ କରିବା ପାଇଁ ବଳିଷ୍ଠ ଯୁକ୍ତି ମଧ୍ୟ ରହିଛି। କାରଣ ୨୦୦୮ ମସିହାରେ କଟକ-ଭୁବନେଶ୍ବର ପୁଲିସ୍ କମିସନରେଟ୍ ଗଠନ ସମୟରେ ରାଜଧାନୀର ଜନସଂଖ୍ୟା ଥିଲା ସାଢ଼େ ୧୨ ଲକ୍ଷ। ସହରକୁ ନିୟନ୍ତ୍ରଣ ପାଇଁ ୧୬ଟି ଥାନା ଥିଲା। ଇତିମଧ୍ୟରେ କମିସନରେଟ୍ ପୁଲିସକୁ ୧୮ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସହର ଚାରିପଟକୁ ବଢ଼ୁଥିବା ବେଳେ ଜନ ସଂଖ୍ୟା ପ୍ରାୟ ଦୁଇଗୁଣ ହେଲାଣି। ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍, କଳ କାରଖାନା, ବ୍ୟାବସାୟିକ ପ୍ରତିଷ୍ଠାନ ଦ୍ରୁତ ଗତିରେ ବଢ଼ିଛି। ତା ସହ ତାଳଦେଇ ବଢ଼ିଚାଲିଛି ଆପରାଧିକ ନେଟୱର୍କ। ଦିନକୁ ଦିନ ସହରରେ ଚୋରି, ଛିନତାଇ ରାହାଜାନୀ, ସାଇବର ଅପରାଧ ମଧ୍ୟ ବଢ଼ି ଚାଲିଛି। ବାର୍ଷିକ ପଞ୍ଜୀକୃତ ଅପରାଧ ମାମଲା ସଂଖ୍ୟା ବି ତିନିଗୁଣ ହୋଇଛି।
ଗୃହ ବିଭାଗକୁ ୬ ମାସ ହେଲା ପ୍ରସ୍ତାବ ଗଲାଣି
ବଢ଼ୁଛି ଅପରାଧ, କମୁଛି ନିୟନ୍ତ୍ରଣ
ଏହି ସଂଖ୍ୟା ୨୦୦୮ରେ ୪୫୬୬ ଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୧୩୪୧୧ ଛୁଇଁଥିଲା।। ୨୦୦୮ରେ ୩୬୮ଜଣଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦିଆଯାଇଥିବା ବେଳେ ବର୍ତ୍ତମାନ ଏ ସଂଖ୍ୟା ୫୨୭ରେ ପହଞ୍ଚିଛି। ଜେଡ୍ କ୍ୟାଟେଗୋରି ୧୭ରୁ ୧୪୬ ଏବଂ ୱାଇ କାଟାଗୋରି ୮ରୁ ୭୩ ହୋଇଛି। ଏହାଛଡ଼ା ବିଧାନସଭା, ଲୋକସେବା ଭବନ ସହ ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ୨୪ ଘଣ୍ଟିଆ କଡ଼ା ପ୍ରହରା ଦିଆଯାଉଛି। ବିଧାନସଭା ଅଧିବେଶନ ସମୟରେ ବି ବିଭିନ୍ନ ସଂଗଠନର ବିକ୍ଷୋଭ,ଶୋଭାଯାତ୍ରା, ସଭା କମିସନରେଟର ମୁଣ୍ଡବ୍ୟଥା ବଢ଼ାଇଛି। ଦିନରାତି ଆଇନଶୃଙ୍ଖଳା ବ୍ୟବସ୍ଥାରେ ଅଧିକ ସମୟ ଦେବାକୁ ପଡ଼ୁଥିବାରୁ ଆପରାଧିକ ମାମଲାର ତଦନ୍ତ ଶିଥିଳ ହୋଇପଡ଼ିଛି। ଯଦିଓ ଥାନା ସଂଖ୍ୟା ୨୯ରେ ପହଞ୍ଚିଛି ଓ, ଦୁଇଟି ଟ୍ରାଫିକ୍ ଥାନା କରାଯାଇଛି, ହେଲେ ଅପରାଧ ଓ ଆଇନ୍ଶୃଙ୍ଖଳାକୁ ଏକାସଙ୍ଗେ ପରିଚାଳନା କରିବା କାଠିକରପାଠ ହୋଇପଡ଼ିଛି।
Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ
ପ୍ରସ୍ତାବ ଅନୁସାରେ ଭୁବନେଶ୍ବର ୟୁପିଡିକୁ ପୂର୍ବ ଓ ପଶ୍ଚିମ ୟୁପିଡିରେ ଭାଗ କରାଗଲେ, ପ୍ରତି ୟୁପିଡି ପାଇଁ ଜଣେ ଲେଖାଏଁ ଡିସିପି ଦାୟିତ୍ବରେ ରହିବେ। ପ୍ରତି ୟୁପିଡିରେ ୩ଟି ଜୋନ୍ ରହିବ। ଭୁବନେଶ୍ବର ପୂର୍ବ ୟୁପିଡିରେ ଜୋନ୍-୧, ଜୋନ-୨ ଓ ଜୋନ୍-୪ ଏବଂ ପଶ୍ଚିମ ୟୁପିଡିରେ ଜୋନ୍-୩, ଜୋନ-୫ ଓ ଜୋନ୍-୬ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ସବୁ ଜୋନ୍ ଅଧୀନରେ ଥିବା ଥାନାଗୁଡ଼ିକ ସମ୍ପୃକ୍ତ ୟୁପିଡି ଅଧିନକୁ ଚାଲିଯିବ। ବଡ଼ କଥା ହେଉଛି ପୂର୍ବ ସରକାର ସମୟରେ ବାରମ୍ବାର ଗୃହ ବିଭାଗ ପାଖକୁ ଏଭଳି ପ୍ରସ୍ତାବ ଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ନୂଆ ସରକାର ଆସିବା ପରେ ଏହାକୁ ଅନୁମୋଦନ କରୁଛନ୍ତି ନା ନାହିଁ ତା ଅପେକ୍ଷାରେ।

44 minutes ago
1


