ARTICLE AD BOX
ନୂଆଦିଲ୍ଲୀ/ଭୁବନେଶ୍ବର: ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣ ବାଟ ଫିଟିଛି। ଏହାକୁ ଲିଜ୍ ସୂତ୍ରରେ ଦେବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଦେଶରେ ଥିବା ମୋଟ୍ ୧୧ଟି ବିମାନବନ୍ଦରକୁ ଲିଜ୍ରେ ଦିଆଯିବ। ଭୁବନେଶ୍ବର ବିମାନବନ୍ଦର ସହିତ କର୍ଣ୍ଣାଟକର ହୁବଲି ବିମାନବନ୍ଦରକୁ ଯୋଡ଼ାଯାଇଛି। ଅନ୍ତଃ-ମନ୍ତ୍ରୀସ୍ତରରେ
ବ୍ୟାପକ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।
Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି
‘ଘରୋଇ ସରକାରୀ ସହଭାଗିତା ମୂଲ୍ୟାଙ୍କନ କମିଟି’ ଏହି ପ୍ରସ୍ତାବଗୁଡ଼ିକୁ ନୀତିଗତ ମଞ୍ଜୁରି ପ୍ରଦାନ କରିଛି। ସୂଚନା ଅନୁସାରେ, ଅମୃତସର–କାଙ୍ଗ୍ରା, ବାରାଣସୀ–କୁଶୀନଗର–ଗୟା, ଭୁବନେଶ୍ୱର–ହୁବଲି, ରାୟପୁର–ଔରଙ୍ଗାବାଦ ଓ ତ୍ରିଚି–ତିରୁପତି ବିମାନବନ୍ଦରକୁ ଲିଜ୍ ସୂତ୍ରରେ ଦିଆଯିବ। ଏହି ଘରୋଇକରଣ ନିଷ୍ପତ୍ତି ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଭୁବନେଶ୍ବର ବିମାନବନ୍ଦରରେ ୧୨୦୦ କୋଟି ଟଙ୍କା ନିବେଶରେ ଏକ ଅଢ଼େଇ ମହଲା ବିଶିଷ୍ଟ ଟର୍ମିନାଲ୍-୩ ବିକାଶ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି, ଯାହା ବାର୍ଷିକ ୮୬ ଲକ୍ଷ ଯାତ୍ରୀ ପରିଚାଳନା କରିପାରିବ। ଭୁବନେଶ୍ବର ବିମାନବନ୍ଦର ହେଉଛି ଏକ ଲାଭଜନକ ବିମାନବନ୍ଦର। ଦେଶରେ ଥିବା ଶତାଧିକ ବିମାନବନ୍ଦର ମଧ୍ୟରୁ ସବୁଠୁ ଅଧିକ ଲାଭ କରୁଥିବା ଆଠଟି ବିମାନବନ୍ଦର ମଧ୍ୟରେ ଭୁବନେଶ୍ବର ନାମ ରହିଛି। ୬୦ ଦଶକରୁ ଅଧିକ ସମୟ ଧରି ସଫଳତାର ସହ ଏହା ଆଗକୁ ବଢ଼ୁଛି। ପୂର୍ବରୁ ତ୍ରିଚି କିମ୍ବା ତିରୁପତି ବିମାନବନ୍ଦରକୁ ଭୁବନେଶ୍ବର ସହ ଯୋଡ଼ି ଲିଜ୍ରେ ଦେବାକୁ ବିଚାର କରାଯାଉଥିଲା। କିନ୍ତୁ ଶେଷରେ ଏହା ସହ ହୁବଲି ନାମ ଯୋଡ଼ାଯାଇଛି।
୨୦୨୫-୨୬ ଆର୍ଥିକ ବର୍ଷରେ ଭୁବନେଶ୍ବର ବିମାନବନ୍ଦର ୫୧.୩ ଲକ୍ଷ ଯାତ୍ରୀ ପରିଚାଳନା କରିଥିଲା। ତାହା ହୁବଲି ବିମାନବନ୍ଦରର ୩.୭୬ ଲକ୍ଷ ଯାତ୍ରୀ ପରିଚାଳନା କ୍ଷମତାଠାରୁ ପ୍ରାୟ ୧୪ ଗୁଣା ଅଧିକ। ଭୁବନେଶ୍ବରରୁ ପ୍ରାୟ ୩୦ଟି ସ୍ଥାନକୁ ବିମାନ ସଂଯୋଗ ଥିବା ବେଳେ ହୁବଲିରୁ ମାତ୍ର ୫ଟି ସ୍ଥାନକୁ ସଂଯୋଗ ରହିଛି। ଭୁବନେଶ୍ବର ବିମାନବନ୍ଦର ୯୬୨୩ ଟନ୍ ପଣ୍ୟ ପରିବହନ କରିଥିଲା। କିନ୍ତୁ ହୁବଲି ବିମାନବନ୍ଦରରେ ସେଭଳି କୌଣସି ସୁବିଧା ନାହିଁ। ଏଭଳି ବଡ଼ଧରଣର ତାରତମ୍ୟ ଥିବାରୁ ଅତୀତରେ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ ଉଦ୍ୟମକୁ ରାଜ୍ୟରେ ତୀବ୍ର ବିରୋଧ କରାଯାଇଥିଲା ଓ ରାଜନୈତିକ ଉଷ୍ମତା ମଧ୍ୟ ଦେଖିବାକୁ ମିଳିଥିଲା। ଘରୋଇକରଣ ଉଦ୍ୟମକୁ ବିଜେଡି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏହା ରାଜ୍ୟର ସ୍ବାଭିମାନ ଓ ଅସ୍ମିତାର ଏକ ପ୍ରତୀକ ବୋଲି କହିଥିଲା। ଭୁବନେଶ୍ବର ଏକ ଲାଭଜନକ ବିମାନବନ୍ଦର ହୋଇଥିବାରୁ ଏହା କରୁଥିବା ଆୟକୁ ଅପେକ୍ଷାକୃତ କମ୍ ଜଣାଶୁଣା ହୁବଲି ବିମାନବନ୍ଦର ବିକାଶରେ ବ୍ୟବହାର କଲେ ଓଡ଼ିଶାବାସୀଙ୍କ ବ୍ୟାପକ କ୍ଷତି ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।
Horoscope 2026 August 24: ଜାଣନ୍ତୁ ଆଜିର ରାଶିଫଳ
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ବଣ୍ଡଲିଂ ରଣନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧିକ ଯାତ୍ରୀ ଥିବା ବିମାନବନ୍ଦର ସହ ତୁଳନାତ୍ମକ ଭାବେ କମ୍ ଯାତ୍ରୀ ଥିବା ଆଞ୍ଚଳିକ ବିମାନବନ୍ଦରକୁ ଯୋଡ଼ିବା। ଏହା ମାଧ୍ୟମରେ ଲାଭଜନକ ବିମାନବନ୍ଦରର ଆୟ ଓ ପରିଚାଳନା କ୍ଷମତାକୁ ଛୋଟ ବିମାନବନ୍ଦରର ବିକାଶ ପାଇଁ ବ୍ୟବହାର କରିବାର ଯୋଜନା ରହିଛି। ଲିଜ୍ ଦିଆଯିବା ପରେ ମଧ୍ୟ ବିମାନବନ୍ଦରଗୁଡ଼ିକର ମାଲିକାନା ଏଏଆଇ ପାଖରେ ରହିବ। ଘରୋଇ ସଂସ୍ଥାଗୁଡ଼ିକୁ ମୁଖ୍ୟତଃ ବିମାନବନ୍ଦରର ପରିଚାଳନା, ବିକାଶ ଓ ଆଧୁନିକୀକରଣ ଦାୟିତ୍ୱ ଦିଆଯିବ। ବିମାନବନ୍ଦର ଘରୋଇକରଣର ଏହି ତୃତୀୟ ପର୍ଯ୍ୟାୟରୁ କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦେଶରେ ଘରୋଇକରଣ କରାଯାଇଥିବା ବିମାନବନ୍ଦରଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଦାନୀ ଗ୍ରୁପ୍ ଓ ଜିଏମ୍ଆର୍ ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଛି। ଅଧିକରୁ ଅଧିକ ବିମାନବନ୍ଦର ପାଇଁ ବିଡ୍ ଦାଖଲ କରିବାକୁ ଆଦାନୀ ଗ୍ରୁପ୍ ଚାହିଁ ବସିଛି।

51 minutes ago
1


