ARTICLE AD BOX
ନୂଆଦିଲ୍ଲୀ: ସପ୍ତାହକୁ ୫ ଦିନ କାର୍ଯ୍ୟ ଦାବିରେ ଆସନ୍ତା ୨୮ରୁ ତିନିଦିନିଆ ଧର୍ମଘଟ କରିବାକୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଡାକରା ଦେଇଛି। ସେହି ଦାବିକୁ ସରକାର ମାନିନେଇଥିବା ସମ୍ପର୍କିତ ଖବରକୁ ଅର୍ଥ ମନ୍ତ୍ରଣାଳୟ ଦୃଢ଼ ଭାବେ ଖଣ୍ଡନ କରିଛି। ସେଭଳି କୌଣସି ପ୍ରତିବଦ୍ଧତା ଦର୍ଶାଯାଇନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ୟୁଏଫ୍ବିୟୁ ଅନୁସାରେ, ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ପ୍ରସ୍ତାବ ସମ୍ପର୍କରେ ୨୦୨୪ ମାର୍ଚ୍ଚ ୮ରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହମତ ହୋଇଥିଲା।
ଆହୁରି ପଢନ୍ତୁ :Protest: ଧର୍ମଘଟ ସମୟରେ ଏଟିଏମ୍ ଚାର୍ଜ ନେବନି ଏସ୍ବିଆଇ
ପ୍ରସ୍ତାବ ଅନୁସାରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କର୍ମଚାରୀମାନେ ଦୈନିକ ୪୦ ମିନିଟ୍ ଅଧିକ କାମ କରିବେ। ସେହି ପ୍ରସ୍ତାବକୁ ସରକାରଙ୍କ ବିଚାର ଲାଗି ପଠାଯାଇଛି। କିନ୍ତୁ ତାହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଉ ନଥିବାରୁ ଚଳିତ ମାସ ୧୧ରେ ୟୁଏଫ୍ବିୟୁ ଦିନିକିଆ ଦେଶବ୍ୟାପୀ ଧର୍ମଘଟ କରିଥିଲା। ଦାବି ପୂରଣ ହୋଇନଥିବାରୁ ଆସନ୍ତା ୨୮ରୁ ତିନିଦିନିଆ ଧର୍ମଘଟ କରାଯିବ ଓ ତାପରେ ଯଦି ଦାବି ପୂରଣ ନ ହେବ ତେବେ ଅକ୍ଟୋବର ୨୬ଠାରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ କରିବାକୁ ୟୁଏଫ୍ବିୟୁ ଚେତାବନୀ ଦେଇଛି।
ଆହୁରି ପଢନ୍ତୁ :Bear: ଭାଲୁ ଆତଙ୍କ; ଦୁଇ ଦିନରେ ଘର ଓ ଗୁହାଳରେ ରହିଲା
ଧର୍ମଘଟରେ ସାମିଲ ନ ହେବାକୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ସରକାର କହିଥିଲେ। କିନ୍ତୁ ସେହି ଆହ୍ବାନକୁ ୟୁଏଫ୍ବିୟୁ ଗ୍ରହଣ କରିନଥିଲା। ଯେହେତୁ ବର୍ତ୍ତମାନ ସମୟରେ ସରକାର ଦାବି ମାନିବାକୁ ପ୍ରସ୍ତୁତ ନୁହନ୍ତି, ତେଣୁ ଧର୍ମଘଟ ପାଇଁ ଯେଭଳି ବ୍ୟାଙ୍କ ସେବା ପ୍ରଭାବିତ ନ ହେବ ତାହା ଉପରେ ଧ୍ୟାନ ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଆସନ୍ତା ୨୭ ତାରିଖ ରବିବାର ଦିନ ଛୁଟି ଥିବା ସତ୍ତ୍ବେ ଶାଖା ଖୋଲିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନଙ୍କୁ ଆଗୁଆ ବେତନ ଦେବାକୁ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ କୁହାଯାଇଛି।

2 days ago
2


