ARTICLE AD BOX
ଦଶରଥପୁର:ବୈତରଣୀ ନଦୀରେ ଆସିଛି ଚତୃର୍ଥ ବନ୍ୟା ଜଳ। ଫଳରେ ଯାଜପୁର ଦଶରଥପୁର ବ୍ଲକ ପୁଣି ହୋଇଛି ପ୍ରଭାବିତ। ଶାଖା ନଦୀ କାଣୀ ଗୋଟିଏ ପରେ ଗୋଟିଏ ତାଣ୍ଡବ ରଚି ଚାଲିଛି। କାଣୀ ନଦୀ ତରପଦା ପଞ୍ଚାୟତ ଡୋଭାବିଲ ପାଟଣା ଠାରେ ମୁକୁଳା ଘାଇ ମୁହଁ ଦେଇ ଖୁବ ଜୋରରେ ଗାଁକୁ ପ୍ରବେଶ କରୁଛି ବନ୍ୟା ଜଳ। ଫଳରେ କସପା, ତରପଦା ପଞ୍ଚାୟତର ୬ଟି ଗାଁ ସମ୍ପୂର୍ଣ ଜଳମଗ୍ନ ହୋଇସାରିଛି। ଘାଇ ମୁହଁ ମଧ୍ୟ ଭାଙ୍ଗିବା ଆରମ୍ଭ କଲାଣି।
ଘର ବାହାରେ ଶହଶହ ପରିବାର
ଏହାଛଡା କଟିକଟା ମାଝୀ ସାହି, କାପୁଡ଼ିଆସାହି, ଜୟନ୍ତରା ମହାପାତ୍ର ମଧ୍ୟରେ ବନ୍ୟା ଜଳ ୫ ଫୁଟ ଉପରେ ପ୍ରଭାବିତ ହେଉଛି। ଲୋକେ ଛାତ ଉପରେ ଏବଂ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। କାଟିଆ - ବୈଶପାନ ମୁଖ୍ୟ ରାସ୍ତା ଅହିୟାସ ବଜାର ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ସେହିପରି ଅହିୟାସ - ତରପଦା ରାସ୍ତା ଧୋଇଯିବାରୁ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି। ସବୁଠୁ ଦୁଃଖର ବିଷୟ ଦଶରଥପୁର ବନ୍ୟାରେ ପ୍ରଥମ ବନ୍ୟା ଜୁଲାଇ ୬ରେ କାଣୀ ନଦୀ କଣ୍ଟପଡା ଠାରେ ଘାଇ ହୋଇଥିବାବେଳେ ଦ୍ୱିତୀୟ ବନ୍ୟା ଗତ ଜୁଲାଇ ୨୮ ତାରିଖ କାଣୀ ନଦୀର ଡୋଭାବିଲ ପାଟଣା ଠାରେ ୨ ଘାଇ ଏବଂ ବୈତରଣୀ ଘେରି ବନ୍ଧ ଜୟନ୍ତରା ମହାପାତ୍ର ସାହି ଠାରେ ଘାଇ ହୋଇଥିଲା। ତୃତୀୟ ବନ୍ୟା ଅଗଷ୍ଟ ୮ ତାରିଖ ବନ୍ୟା ଆସିବା ଫଳରେ ମରାମତି ଘାଇ ପୁଣି ଭାଙ୍ଗିଥିଲା। ଆଜି ଆସିଛି ଚତୃର୍ଥ ବନ୍ୟା। ଫଳରେ ଶହ ଶହ ପରିବାର ପ୍ରାୟ ୨୦ ଦିନ ହେବ ଘରକୁ ଫେରି ପାରିନାହାନ୍ତି। ବିପନ୍ନମାନେ କିଏ ଛାତ ଉପରେ ତ ଆଉ କିଏ ନଦୀ ବନ୍ଧ ଉପରେ ପାଲ ଟାଣି ରହୁଛନ୍ତି। ଚତୁର୍ଥ ବନ୍ୟା ବିପନ୍ନଙ୍କ ଦୁଃଖ ପୁଣି ବଢ଼ାଇଛି।

1 day ago
4


