ARTICLE AD BOX
ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀଙ୍କ ଆଜୀବନ କାରାଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖି ଜାମିନ ପ୍ରଦାନ କରିବା ପରେ ପୀଡ଼ିତା ବିଲକିସ୍ ବାନୋ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ପୂର୍ବରୁ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା କିମ୍ବା ତାଙ୍କର ପକ୍ଷ ଶୁଣାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ସେ ଏହି ଖବର ପାଇ ସ୍ତବ୍ଧ ହୋଇଯାଇଥିବା ବେଳେ, ଯେଉଁ ଭୟକୁ ଦୂର କରିବା ପାଇଁ ସେ ଦୀର୍ଘ ଦୁଇ ଦଶନ୍ଧି ଧରି ସଂଘର୍ଷ କରିଥିଲେ, ତାହା ପୁଣିଥରେ ଫେରି ଆସିଛି ବୋଲି ସେ କହିଛନ୍ତି।
ନିଜ ଓକିଲ ବରିଷ୍ଠ ଆଡଭୋକେଟ୍ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ଜାରି କରିଥିବା ଏକ ଭାବପ୍ରବଣ ବିବୃତ୍ତିରେ ବିଲକିସ୍ କହିଛନ୍ତି ଯେ, ତାଙ୍କୁ ନଡାକି ଏବଂ ତାଙ୍କ କଥା ନଶୁଣି କୋର୍ଟ ଏହି ଆଦେଶ ଦେଇଛନ୍ତି। ୨୦୦୨ ମସିହାର ସେହି ଭୟଙ୍କର ଦଙ୍ଗାକୁ ମନେପକାଇ ସେ କହିଛନ୍ତି ଯେ, ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ଏବଂ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ସେହି ହିଂସାରେ ତାଙ୍କ ତିନି ବର୍ଷର ଝିଅ ସାଲେହା ସମେତ ପରିବାରର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗତ ୨୪ ବର୍ଷ ଧରି ସେ ନିଜ ପାଇଁ ଏବଂ ଦେଶର ପ୍ରତ୍ୟେକ ମହିଳାଙ୍କ ନ୍ୟାୟ ପାଇଁ ଲଢ଼େଇ କରିଆସୁଛନ୍ତି, ମାତ୍ର ବର୍ତ୍ତମାନର ନିଷ୍ପତ୍ତି ତାଙ୍କ ସୁରକ୍ଷା ବୋଧକୁ ଭାଙ୍ଗି ଦେଇଛି। ନିଜ ପିଲାମାନଙ୍କୁ ଭୟମୁକ୍ତ ଜୀବନ ଦେବା ପାଇଁ ଏବଂ ମୃତ ଝିଅ ସାଲେହାକୁ ନ୍ୟାୟ ଦେବା ପାଇଁ ସେ ଏହି ଆଦେଶକୁ ପୁଣିଥରେ ଚ୍ୟାଲେଞ୍ଜ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ
ସୂଚନାଯୋଗ୍ୟ ଯେ, ଗତ ସୋମବାର ଜଷ୍ଟିସ୍ ଏମଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ୍ ପିବି ଭରାଲେଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଦୁଇ ଦୋଷୀ ବିପିନ ଚନ୍ଦ୍ର ଯୋଶୀ ଏବଂ ପ୍ରଦୀପ ମୋର୍ଧିଆଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖି ଜାମିନ ମଞ୍ଜୁର କରିଥିଲେ। ଉଭୟ ଦୋଷୀ ୧୭ ବର୍ଷରୁ ଅଧିକ ସମୟ ଜେଲରେ କାଟିସାରିଥିବା ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭିନ୍ନକ୍ଷମ ହୋଇଥିବା ତଥ୍ୟକୁ କୋର୍ଟ ବିଚାରକୁ ନେଇଥିଲେ। ଏଥିସହିତ ସେମାନଙ୍କ ଆବେଦନରେ ଆଇନଗତ ଦିଗଗୁଡ଼ିକର ବିଚାର ବାକି ଥିବାରୁ ନିମ୍ନ ଅଦାଲତଙ୍କ ସର୍ତ୍ତ ଅନୁଯାୟୀ ସେମାନଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ଜାନୁଆରୀ ୮ ତାରିଖରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଏହି ଦୁଇ ଜଣଙ୍କ ସମେତ ମୋଟ ୧୧ ଜଣ ଦୋଷୀଙ୍କ ଦଣ୍ଡ କୋହଳ ଆଦେଶକୁ ଖାରଜ କରିଦେଇଥିଲେ।
High Court: ‘ଆପଣ ଆମକୁ ବାଟବଣା କରୁଛନ୍ତି’: ଅରବିନ୍ଦ-ମନୀଷଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

12 minutes ago
1


