ARTICLE AD BOX
ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ (ଏସ୍ଏଡି)ର ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଆଜି ହୋଇଥିବା ଆକ୍ରମଣ ରାଜନୈତିକ ଏବଂ ଧାର୍ମିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ଅପରାହ୍ନ ପ୍ରାୟ ୧:୪୫ ମିନିଟରେ ମହାରାଷ୍ଟ୍ରର ନାନ୍ଦେଡ଼ ସ୍ଥିତ ଗୁରୁଦ୍ୱାର ପରିସରରେ ନିହଙ୍ଗ ବେଶଭୂଷାରେ ଆସିଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ କୃପାଣରେ ଆକ୍ରମଣ କରିଥିଲା। ସେଠାରେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀକୁ ତୁରନ୍ତ କାବୁ କରିନେଇଥିଲେ। ଏହି ଆକ୍ରମଣରେ ବାଦଲଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି ଏବଂ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କିମ୍ବା ଆକ୍ରମଣକାରୀର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଖବୀର ବାଦଲଙ୍କ ପତ୍ନୀ ହରସିମରତ କୌରଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ବାଦଲଙ୍କ ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତି ୬୨ ବର୍ଷୀୟ ଯଶପାଲ ସିଂହ ବୋଲି ଜଣାପଡ଼ିଛି, ଯିଏ କି ମୂଳତଃ ପୁଣେର ବାସିନ୍ଦା । ସେ ବିଗତ ୨ ବର୍ଷ ହେବ ନାନ୍ଦେଡ଼ ନିକଟସ୍ଥ ମୁଗତରେ ଥିବା ମାତାସାହେବ ଗୁରୁଦ୍ୱାରରେ ସେବା କରୁଥିଲା। ପୁଲିସ ଯଶପାଲକୁ ଘଟଣାସ୍ଥଳରୁ ହିଁ ଗିରଫ କରିଛି ଏବଂ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି। ଉଲ୍ଲେଖଯୋଗ୍ୟ ଯେ, ସୁଖବୀର ବାଦଲଙ୍କ ଉପରେ ଏହା ଦ୍ୱିତୀୟ ବଡ଼ ଆକ୍ରମଣ। ଏହା ପୂର୍ବରୁ ଡିସେମ୍ବର ୨୦୨୪ ମସିହାରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରେ ମଧ୍ୟ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା, ଯେଉଁଠାରେ ଜଣେ ପୁଲିସକର୍ମୀଙ୍କ ତତ୍ପରତା ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଥିଲା।
ନାନ୍ଦେଡ଼ ଆକ୍ରମଣ ପରେ ସୁଖବୀର ବାଦଲଙ୍କ ପୁରୁଣା ରାଜନୈତିକ ଏବଂ ଧାର୍ମିକ ବିବାଦର ଅଧ୍ୟାୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି, ଯେଉଁଥିରେ ସବୁଠାରୁ ପ୍ରମୁଖ ନାମ ହେଉଛି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ । ବାସ୍ତବରେ ମେ ୨୦୦୭ ମସିହାରେ ଗୁରମିତ ରାମ ରହିମ ପଞ୍ଜାବର ସଲାବତପୁରାରେ ଏକ କାର୍ଯ୍ୟକ୍ରମ ସମୟରେ ଏଭଳି ବେଶଭୂଷା ପରିଧାନ କରିଥିଲା, ଯାହାକୁ ଶିଖ୍ ସଂପ୍ରଦାୟର ଏକ ବଡ଼ ଗୋଷ୍ଠୀ ଗୁରୁ ଗୋବିନ୍ଦ ସିଂହଙ୍କ ନକଲ ଏବଂ ଧାର୍ମିକ ଭାବନା ପ୍ରତି ଅପମାନ ବୋଲି ମାନିଥିଲେ। ଏହା ପରେ ଶ୍ରୀ ଅକାଳ ତଖତ ସାହିବ ରାମ ରହିମଙ୍କ ବିରୋଧରେ ଆଦେଶ ଜାରି କରିଥିଲେ ଏବଂ ଶିଖ୍ ସମୁଦାୟକୁ ଡେରା ସଚ୍ଚା ସୌଦାଠାରୁ ଦୂରରେ ରହିବାକୁ କହିଥିଲେ।
ସୁଖବୀର ସିଂହ ବାଦଲଙ୍କୁ ହତ୍ୟା ଉଦ୍ୟମ ମାମଲା: ପୂର୍ବତନ ଖଲିସ୍ତାନୀ ଆତଙ୍କବାଦୀ ନାରାୟଣ ସିଂହ ଚୌରା କିଏ?
ଏହି ବିବାଦ ୨୦୧୫ ମସିହାରେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ସେପ୍ଟେମ୍ବର ୨୦୧୫ ମସିହାରେ ଶ୍ରୀ ଅକାଳ ତଖତ ସାହିବ ପକ୍ଷରୁ ରାମ ରହିମଙ୍କୁ କ୍ଷମା ପ୍ରଦାନ କରାଯିବା ନିଷ୍ପତ୍ତି ପଞ୍ଜାବର ଶିଖ୍ ରାଜନୀତିରେ ଏକ ବଡ଼ ଝଡ଼ ସୃଷ୍ଟି କରିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମରେ ତତ୍କାଳୀନ ଅକାଳୀ ସରକାର ଏବଂ ସୁଖବୀର ସିଂହ ବାଦଲଙ୍କ ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ଉଠିଥିଲା। ଅଭିଯୋଗ ହୋଇଥିଲା ଯେ ସରକାର ଏବଂ ଅକାଳୀ ନେତୃତ୍ୱ ଡେରା ମୁଖ୍ୟଙ୍କୁ କ୍ଷମା ଦେବାର ପ୍ରକ୍ରିୟାକୁ ପ୍ରଭାବିତ କରିଥିଲେ। କ୍ଷମା ପ୍ରାର୍ଥନା ସମର୍ଥନରେ ବିଜ୍ଞାପନ ପ୍ରକାଶ କରିବା ପାଇଁ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ପ୍ରାୟ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ମଧ୍ୟ ଏହି ବିବାଦର ଅଂଶ ପାଲଟିଥିଲା। ପରେ ବ୍ୟାପକ ବିରୋଧ ପରେ ଏହି କ୍ଷମା ପ୍ରଦାନ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିଲା।
ଗତ ୩୦ ଅଗଷ୍ଟ ୨୦୨୪ରେ ଅକାଳ ତଖତ ସାହିବ ସୁଖବୀର ସିଂହ ବାଦଲଙ୍କୁ ଧାର୍ମିକ ଅବହେଳା ମାମଲାରେ ‘ତନଖୈୟା’ (ଧାର୍ମିକ ଦୋଷୀ) ଘୋଷଣା କରିଥିଲେ। ଏହା ପରେ ଡିସେମ୍ବର ୨୦୨୪ରେ ତାଙ୍କୁ ଧାର୍ମିକ ଦଣ୍ଡ ସ୍ୱରୂପ ଅଲଗା ଅଲଗା ଗୁରୁଦ୍ୱାରରେ ସେବାଦାରୀ କରିବା, ବାସନ ମାଜିବା ଏବଂ ଜଗୁଆଳି ଭଳି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୫ର ଅନ୍ୟ ଏକ ଧର୍ମ ବିରୋଧୀ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା ଅଭିଯୋଗ ସାମିଲ ଥିଲା। ଏ ବାବଦ ଏକ ଗୁଳିକାଣ୍ଡରେ ଦୁଇ ଜଣ ଶିଖ୍ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିଲା। ଏହି କାରଣରୁ ସୁଖବୀର ବାଦଲଙ୍କ ଉପରେ ନାନ୍ଦେଡ଼ରେ ହୋଇଥିବା ଆକ୍ରମଣ ପରେ ତାଙ୍କର ପୁରୁଣା ଧାର୍ମିକ ବିବାଦ, ବିଶେଷ କରି ଗୁରମିତ ରାମ ରହିମ ପ୍ରସଙ୍ଗ ପୁଣି ଆଲୋଚନାକୁ ଆସିଛି।

1 hour ago
1


