ARTICLE AD BOX
ଗୁଆହାଟୀ : ଅନିର୍ଦ୍ଦିଷ୍ଟକାଳୀନ ଆର୍ଥିକ ଅବରୋଧ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ଗୁରୁବାର ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ପୁଣି ସଂଘର୍ଷ ଘଟିଛି । ଆସାମର ଧେମାଜି ଜିଲ୍ଲାର ସିଲାପଥର ଅଞ୍ଚଳର ଲିକାବାଲି ପ୍ରବେଶ ପଥରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅରୁଣାଚଳ ପ୍ରଦେଶ ପୁଲିସ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଆସାମ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି । ଘଟଣାଟି ଗୁରୁବାର ସକାଳ ପୂର୍ବରୁ ଘଟିଥିଲା ।
ଆସାମ ପକ୍ଷରୁ ତାକାମ ମିସିଙ୍ଗ ପୋରିନ କେବାଙ୍ଗ (ଟିଏମ୍ପିକେ) ଓ ଅନ୍ୟ ସ୍ଥାନୀୟ ସଂଗଠନ ଆହ୍ବାନ କରିଥିବା ଏହି ଆର୍ଥିକ ଅବରୋଧ ଚାଲିଥିଲା । ଏହି ସମୟରେ ଅରୁଣାଚଳ ପକ୍ଷର କିଛି ଲୋକ ଆସାମର ଆନ୍ଦୋଳନକାରୀଙ୍କ ଉପରେ ପଥର ମାଡ଼ କରିଥିବା ଏବଂ ଏଥିରେ କିଛି ଲୋକ ସାମାନ୍ୟ ଆହତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି । ଏହା ପରେ ଦୁଇ ପକ୍ଷ ମଧ୍ୟରେ ଠେଲାପେଲା ଓ ସଂଘର୍ଷ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅରୁଣାଚଳ ପୁଲିସ ଫାଙ୍କା ଗୁଳି ଚଳାଇ ଭିଡ଼କୁ ହଟାଇଥିଲା ।
Gen Z remark: ଜେନ୍-ଜି’ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ସମର୍ଥନ କଲେ କଙ୍ଗନା
ଆସାମ-ଅରୁଣାଚଳ ସୀମାରେ ଜମି ଜବରଦଖଲକୁ ନେଇ ହୋଇଥିବା ଗୁଳିକାଣ୍ଡରେ ଆସାମର ୧୨ ଜଣ ଆହତ ହୋଇଥିବା ଅଭିଯୋଗ ପରେ ବୁଧବାର ଏହି ଆର୍ଥିକ ଅବରୋଧ ଆରମ୍ଭ ହୋଇଥିଲା । ଅଭିଯୋଗ ଅନୁସାରେ, ଅରୁଣାଚଳ ପକ୍ଷର କିଛି ଦୁର୍ବୃତ୍ତ ସୀମା ନିକଟରେ ଗୁଳି ଚଳାଇଥିଲେ । ଏହାକୁ କେନ୍ଦ୍ର କରି ଉତ୍ତେଜନା ବଢ଼ିଥିଲା । ଟିଏମ୍ପିକେ ସହ ମିସିଙ୍ଗ ମିମାଗ କେବାଙ୍ଗ (ଏମ୍ଏମ୍କେ) ଓ ତାକାମ ମିସିଙ୍ଗ ମହିଳା କେବାଙ୍ଗ (ଟିଏମ୍ଏମ୍କେ) ମଧ୍ୟ ଏହି ଅବରୋଧକୁ ସମର୍ଥନ କରୁଛନ୍ତି ।
ଆସାମରୁ ଅରୁଣାଚଳ ପ୍ରଦେଶକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ଯାନବାହନ ଚଳାଚଳକୁ ସଂଗଠନଗୁଡ଼ିକ ବନ୍ଦ କରିଛନ୍ତି । ତେବେ ଜରୁରୀ ସେବା ଓ ସ୍କୁଲ୍ ଯାନବାହନକୁ ଏଥିରୁ ବାଦ୍ ଦିଆଯାଇଛି । ସୀମା ବିବାଦର ଶୀଘ୍ର ସମାଧାନ, ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଆସାମର ଜମି ଜବରଦଖଲ ବନ୍ଦ କରିବା ଦାବିରେ ଏହି ଅବରୋଧ କରାଯାଇଛି ।

1 hour ago
1


