Arrest: ୫ଶ୍ରମିକ ସର୍ଦ୍ଦାର ଗିରଫ, ୧କୋଟି ୪୮ଲକ୍ଷ ଟଙ୍କା ଜବତ

43 minutes ago 2
ARTICLE AD BOX

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଆନ୍ତଃରାଜ୍ୟ ମାନବ ଚାଲାଣ ଅଭିଜାନରେ ମହାସମୁନ୍ଦ ଓ ନୂଆପଡ଼ା ପୁଲିସ ୧୦ଟି ସ୍ଥାନରେ ଚଢ଼ଉ କରିଛି। ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଗାଁର ମୁକେଶ ଚନ୍ଦ୍ରକାର(୫୦), ଜୋଙ୍କ ଥାନା ଖରିଆର ରୋଡ୍‌ ସହର ଗୁରୁନାନକ ଛକର ଲତା ଶବର ଓରଫ ନସିମା ବାନୋ(୫୫), ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ପଟପରପାଲି ଗାଁର ମନିଷ ଗୁପ୍ତା(୩୨), ପିଥୋରା ଥାନା ବାରଚୌକର ନନ୍ଦକୁମାର ମୋହନ୍ତୀ(୫୨) ଓ ଲହରୌଦ ଗାଁର ପିୟୁଷ ଅଗ୍ରୱାଲ(୩୭) ପ୍ରମୁଖଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୧କୋଟି ୪୮ଲକ୍ଷ ୫୪ହଜାର ଟଙ୍କା ସହ ବହୁ ସାମଗ୍ରୀ ଓ କାଗଜାତ ଜବତ କରିଥିବା ମହାସମୁନ୍ଦ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ମହାସମୁନ୍ଦ ଏସ୍‌ପି ପ୍ରଭାତ କୁମାର ସୂଚନା ଦେଇଛନ୍ତି। 

୨୦୨୬ ଜନୁୟାରୀ ମାସରେ ବେଳଟୁକୁରୀ ଗାଁର ମୁକେଶ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନା ଏକ ପରିବାରକୁ ୪୦ହଜାର ଟଙ୍କା ଅଗ୍ରୀମ ଦେଇଥିଲେ। ସେ ପରିବାରକୁ ଉତ୍ତରପ୍ରଦେଶ ରାଜ୍ୟ ବାରାବଙ୍କି ଜିଲ୍ଲା ଅସନଦରା ଥାନା ବିଲାବପୁର ଛକ ହାଜିପୁର ମବଇର ଇଟାଭାଟି ମାଲିକ ଅଂଶୁମାନ ସିଂଙ୍କ ଇଟାଭାଟି ସିଂ ବ୍ରିକ୍ସକୁ ପଠାଇଥିଲେ। ସେଠି ପରିବାର ଲୋକଙ୍କୁ ଇଟା ତିଆରି କାମରେ ନିୟୋଜିତ କରି ଅମାନବୀୟ ନିର୍ଯାତନା ଦେଇ ବନ୍ଧକ ରଖିଥିଲେ। ଏହି ପରିବାରର ୧୫ବର୍ଷର ଜଣେ ନାବାଳିକାଙ୍କୁ ଶୋଷଣ କରିଥିଲେ। ସେଠି ନାବାଳିକାଙ୍କ ପିଉସୀଙ୍କ ଦେହ ଅସୁସ୍ଥ ହେବାରୁ ଶ୍ରମିକ ସର୍ଦ୍ଦାର ମୁକେଶଙ୍କୁ ଫୋନ କରି ଛୁଟି ମାଗିଥିଲେ। କିନ୍ତୁ ଅଗ୍ରୀମ ଟଙ୍କା ସୁଝିବା ପର୍ଯ୍ୟନ୍ତ ନାବାଳିକାଙ୍କୁ ଇଟାଭାଟିରେ କାମ କରିବାକୁ କହିଥିଲେ। ସେହି ଅନୁସାରେ ନାବାଳିକାଙ୍କୁ ଛାଡ଼ି ପରିବାର ଘରକୁ ଆସିଥିଲା। ନାବାଳିକାଙ୍କ ଭୟଭୀତ କରି କାମ କରାଇଥିଲେ। ଅଗ୍ରୀମ ଟଙ୍କା ସୁଝିନପାରିବାରୁ ନାବାଳିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିଲେ।

ଇଟାଭାଟିର ଜେସିବି ଡ୍ରାଇଭର ଅନୁପ କୁମାର ନାବାଳିକାଙ୍କୁ ଶରିରୀକ ଶୋଷଣ କରିଥିଲେ। ପରେ ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ସେପ୍ଟେମ୍ବର ୨୧ରେ ଏକ ବେସରକାରୀ ଡାକ୍ତରଖାନାରୁ ମହାସମୁନ୍ଦ ପୁଲିସକୁ ଏକ ଚିଠି ଆସିଥିଲା। ଏଥିରେ ସମ୍ପୃକ୍ତ ନାବାଳିକା ଗର୍ଭବତୀ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ଏଥିରେ ମୁଖ୍ୟ ଅଭିଯୁକ୍ତ ମୁକେଶଙ୍କ ସହ ଖରିଆର ରୋଡ୍‌ର ଲତା, ଜଗତ ଗୁପ୍ତା, ମନିଷ, ନନ୍ଦକୁମାର ଓ ପିୟୁଷଙ୍କ ସମ୍ପୃକ୍ତି ଥିଲା। ଏମାନେ ସିଣ୍ତିକେଟ ଚଳାଇ ଶ୍ରମିକଙ୍କୁ କମ୍‌ ଟଙ୍କା ଅଗ୍ରୀମ ଦେଇ ରାଜ୍ୟ ବାହାରେ ଶ୍ରମିକଙ୍କୁ ବିକ୍ରି କରୁଥିଲେ।

ମାନବ ଚାଲାଣ କରୁଥିବା ଲୋକପ୍ରିୟ ୟୁଟୁବ୍ୟର ଗିରଫ

ଶ୍ରମିକଙ୍କୁ ଭୟଭୀତ କରି ମାନସିକ ନିର୍ଯାତନା ଦେଇ ଶାରିରୀକ ଶୋଷଣ କରି କାମ ଆଦାୟ କରୁଥିଲେ। ଏନେଇ ଖଲ୍ଲାରୀ ଥାନା କେସ୍‌ ନଂ ୧୦୪/୨୬ରେ ବିଏନ୍‌ଏସ୍‌ ଧାରା ୧୪୩(୨), ୧୪୩(୩), ୧୪୩(୪), ୩(୪) ସହ ସଂଗଠିତ ଅପରାଧ ୧୧୧ରେ ମାମଲା ରୁଜୁ କରି ଛାନଭିନ କରିଥିଲା। ଗତ ୨୪ତାରିଖ ରାତିରେ ମହାସମୁନ୍ଦ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମନିଷ, ନନ୍ଦକୁମାର ଓ ପିୟୁଷଙ୍କୁ ଗିରଫ କରିଥିଲେ। ଗତକାଲି ସକାଳେ ଖରିଆର ରୋଡ୍‌ରେ ଲତା ଓ ବେଲଟୁକୁରୀରେ ମୁକେଶଙ୍କୁ ଗିରଫ କରିଥିଲେ। ଏଥିରେ ୧କୋଟି ୪୮ଲକ୍ଷ ୫୪ହଜାର ୭୫୦ଟଙ୍କା ନଗଦ, ଶ୍ରମିକ ଚାଲାଣ ସମ୍ବନ୍ଧୀୟ ରେଜିଷ୍ଟର ଓ ଡାଏରୀ, ମୋବାଇଲ, ବ୍ୟାଙ୍କ ପାସବୁକ, ଚେକବୁକ, ଏଟିଏମ କାର୍ଡ, ନୋଟ ଗଣିବା ମେସିନ ଓ ବହୁ କାଗଜାତ ଜବତ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.