Andhra's crops on Odisha's land: ଓଡ଼ିଶା ଜମିରେ ଆନ୍ଧ୍ରର ଫସଲ: କବଜା ହେଲାଣି ୫ ହଜାର ଏକର ଜମି

1 hour ago 1
ARTICLE AD BOX

ରାୟଗଡ଼ା: ଜମି ଓଡ଼ିଶାର, ଜମି ମାଲିକ ବି ଓଡ଼ିଶାର। କିନ୍ତୁ ଉକ୍ତ ଜମିକୁ ଦୀର୍ଘ ମିଆଦୀ ସୂତ୍ରରେ ଲିଜ୍‌ ନେଇ ଆନ୍ଧ୍ର ବ୍ୟବସାୟୀ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା। ଜମିର ଅସଲ ମାଲିକ କାଙ୍ଗାଳ ପାଲଟି ମୂଲ ଲାଗୁଛି, ନଚେତ ଦାଦନ ଖଟିବାକୁ ଯାଉଛି। ଅଳ୍ପ ଅଳ୍ପ କରି ରାୟଗଡ଼ା ଜିଲ୍ଲାର ପାଖାପାଖି ୫ ହଜାର ଏକର ଜମି ନିୟନ୍ତ୍ରଣକୁ ନେଇ ସାରିଲେଣି ଆନ୍ଧ୍ର ବ୍ୟବସାୟୀ।

Horoscope 2026 November 11: ଜାଣନ୍ତୁ ଆଜିର ରାଶିଫଳ...

ରାୟଗଡ଼ା ଜିଲ୍ଲାର ଗୁଣପୁର, ପଦ୍ମପୁର, ରାମନାଗୁଡ଼ା, ଗୁଡ଼ାରି, ମୁନିଗୁଡ଼ା, ରାୟଗଡ଼ା ବ୍ଲକ୍‌ରେ ବିଭିନ୍ନ ଅର୍ଥକରୀ ଫସଲ ଅମଳ ବଢ଼ିବାରେ ଲାଗିଛି। ତେବେ ଏହାକୁ ସ୍ଥାନୀୟ ଚାଷୀ କରୁନାହାନ୍ତି। ଆନ୍ଧ୍ରର କିଛି ବ୍ୟବସାୟୀ ଜମି ଲିଜ୍‌ ନେଇ ଏହି ଚାଷ କରୁଛନ୍ତି ବୋଲି ଜଣେ ରାଜସ୍ବ ଅଧିକାରୀ ସୂଚନା ଦେଇଛନ୍ତି। ଗୁଣପୁର ବ୍ଲକ୍‌ର ଜଗନ୍ନାଥପୁର, ଗୋଠଳପଦର, ପଦ୍ମପୁର ବ୍ଲକ୍‌ର ଡେରିଗାଁ, ଗୁଡ଼ାରି ବ୍ଲକ୍‌ର ଢେପାଗୁଡ଼ା, ଏମ୍‌କେରାଇ, ରାମନାଗୁଡ଼ା ବ୍ଲକ୍‌ର ଉକୁମ୍ବା, ଗୋଗୁପାଡ଼ୁ, ମୁନିଗୁଡ଼ା ବ୍ଲକ୍‌ର ଜଗଦଲପୁର, କଳିକୋଲାଥ, ମୁନିଗୁଡ଼ା-ଭୈରବଗଡ଼ ରାସ୍ତା, ଘମଟଗୁଡ଼ା ଓ ସୁନାଖୁଟି ଅଞ୍ଚଳରେ ଆନ୍ଧ୍ରର ବ୍ୟବସାୟୀ ମୂଲିଆ ଲଗାଇ ବ୍ୟାବସାୟିକ ଭିତ୍ତିରେ ଚାଷ କରୁଛନ୍ତି। ଏପରିକି ଗୁଣପୁର ଓ ପଦ୍ମପୁର ଅଞ୍ଚଳରେ ବିରାଟ ବିରାଟ ବନ୍ଧ ଖୋଳି ମାଛ ଚାଷ କରୁଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ବ୍ୟବସାୟୀଙ୍କୁ ଏଥିରେ ସ୍ଥାନୀୟ ଦଲାଲ୍‌ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି। 

ଜାଣନ୍ତୁ ରାତିରେ ହଳଦୀ କ୍ଷୀର ପିଇବାର ଉପକାରିତା...

ଆଦିବାସୀଙ୍କ ଜମି ବିକ୍ରି ଉପରେ ଆଇନଗତ କଟକଣା ରହିଛି। ତେଣୁ ଅଭାବୀ ଚାଷୀଙ୍କୁ ଟଙ୍କାର ପ୍ରଲୋଭନ ଦେଇ ଦୀର୍ଘ ଅବଧି ପାଇଁ ଲିଜ୍‌ ଦେବାକୁ ଦଲାଲ୍‌ ପ୍ରଭାବିତ କରୁଛନ୍ତି। ଜମି ମାଲିକ ରାଜି ହୋଇଗଲେ କାଗଜପତ୍ର କରାଯାଉଛି। ନିରୀହ ଏବଂ ସରଳ ଆଦିବାସୀ ଚାଷୀ ସଚେତନତା ଅଭାବରୁ ତଥା ଟଙ୍କା ଲୋଭରେ ଆନ୍ଧ୍ର ବ୍ୟବସାୟୀଙ୍କ ହାତକୁ ଜମି ଟେକି ଦେଉଛନ୍ତି। ଏହାପରେ ଜମିରେ କପା, ନୀଳଗିରି, କୋବି, ଟମାଟୋ, ପାମ୍‌ ଭଳି ବିଭନ୍ନ ଚାଷ ହେଉଛି। ଆଧୁନିକ ବୈଷୟିକ ପ୍ରଣାଳୀରେ ଚାଷ ହେଉଥିବାରୁ ଅଳ୍ପ ଜମିରୁ ମଧ୍ୟ ପ୍ରଚୁର ଉତ୍ପାଦନ ହେଉଛି। ଅନ୍ୟପଟେ ଜମି ଲିଜ୍‌ ଦେବା ପରେ ଚାଷୀ ନିଜ ଜମିରେ ଶ୍ରମିକ ଭାବେ କାମ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏନେଇ ମୁନିଗୁଡ଼ା ବ୍ଲକ୍‌ କୃଷି ଅଧିକାରୀ କାଳିନ୍ଦୀ ପରିଡ଼ାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଯେଉଁ ଚାଷୀ ଚାଷ କରିବାକୁ ଇଚ୍ଛୁକ ସରକାରଙ୍କ ପକ୍ଷରୁ ଋଣ ସହ ଆଧୁନିକ ପ୍ରଣାଳୀରେ ତାଲିମ ଦିଆଯାଉଛି। ଚାଷୀଙ୍କ ଉନ୍ନତି ପାଇଁ କୃଷି ବିଭାଗ ସମସ୍ତ ପ୍ରକାର ସହଯୋଗ କରୁଛି। ଓଡ଼ିଶା ଜମିକୁ ଲିଜ୍‌ ଦେବା ସମୟରେ ରାଜସ୍ବ ବିଭାଗର ନିୟନ୍ତ୍ରଣ ରହିଲେ ରାଜସ୍ବ ବଢ଼ିବା ସହ ଅନ୍ୟ ରାଜ୍ୟର ଚାଷୀଙ୍କ ଉପରେ ନଜର ରହିପାରିବ ବୋଲି ସାମାଜିକକର୍ମୀ ଗୌରାଙ୍ଗ ଚରଣ ରାଉତ ପରାମର୍ଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.