ARTICLE AD BOX
ନୂଆଦିଲ୍ଲୀ: ଦେଶରେ କ୍ୟାନ୍ସର ରୋଗୀଙ୍କ ଚିହ୍ନଟ, ଚିକିତ୍ସା ଓ ତଥ୍ୟ ସଂଗ୍ରହରେ ସମାନତା ଆଣିବା ପାଇଁ କ୍ୟାନ୍ସରକୁ ସୂଚନୀୟ ବା ‘ଅନିବାର୍ଯ୍ୟ ଭାବେ ରିପୋର୍ଟ କରିବାକୁ ପଡ଼ୁଥିବା ରୋଗ’ ଭାବେ ଘୋଷଣା କରିବାକୁ ମଙ୍ଗଳବାର ସୁପ୍ରିମ୍କୋର୍ଟ ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେଇ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆଦେଶ କାର୍ଯ୍ୟକାରୀ କରିସାରିଛନ୍ତି।
ପ୍ରତ୍ୟେକ ନିଖୋଜ ବ୍ୟକ୍ତିଙ୍କ ପାଇଁ ଏତଲା ରୁଜୁ କରିବା ବାଧ୍ୟତାମୂଳକ
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଥିଲେ। କ୍ୟାନ୍ସରକୁ ସାରା ଦେଶରେ ଅନିବାର୍ଯ୍ୟ ଭାବେ ରିପୋର୍ଟ କରିବାକୁ ପଡ଼ୁଥିବା ରୋଗ ଘୋଷଣା କରିବା ଦାବିରେ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ମତ ଜାଣିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ କୌଶିକ କୋର୍ଟଙ୍କୁ କହିଥିଲେ ଯେ ସ୍ୱାସ୍ଥ୍ୟ ରାଜ୍ୟ ତାଲିକାଭୁକ୍ତ ବିଷୟ। ତାଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୭ଟିରେ କ୍ୟାନ୍ସରକୁ ଅନିବାର୍ଯ୍ୟ ଭାବେ ରିପୋର୍ଟ କରାଯିବାକୁ ଥିବା ରୋଗ ଭାବେ ଘୋଷଣା କରାଯାଇସାରିଛି। ଏହା ପରେ ପ୍ରଧାନ ବିଚାରପତି କେନ୍ଦ୍ରକୁ ପଚାରିଥିଲେ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ କାହିଁକି ଜାରି କରାଯାଇପାରିବ ନାହିଁ? ଦେଶରେ ଏଥିପାଇଁ ଏକ ସମାନ ନୀତି ରହିବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ମାମଲା ଏମ୍ସ, ନୂଆଦିଲ୍ଲୀର ସର୍ଜିକାଲ ଡିସିପ୍ଲିନ୍ସ ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଅନୁରାଗ ଶ୍ରୀବାସ୍ତବଙ୍କ ଜନସ୍ୱାର୍ଥ ଆବେଦନରୁ ଆସିଛି। ତାଙ୍କ ପକ୍ଷରୁ ଆଇନଜୀବୀ ଗୌରବ କୁମାର ବଂଶଲ ଆବେଦନ ଦାଖଲ କରିଥିଲେ। ୧୨ ଡିସେମ୍ବର ୨୦୨୫ରେ ସୁପ୍ରିମ୍କୋର୍ଟ ଏହି ମାମଲାରେ କେନ୍ଦ୍ର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଠାରୁ ଜବାବ ମାଗିଥିଲେ। ଆବେଦନରେ ଦେଶବ୍ୟାପୀ କ୍ୟାନ୍ସର ରୋଗୀଙ୍କ ଅନିବାର୍ଯ୍ୟ ରିପୋର୍ଟିଂ ସହ ଏକ କେନ୍ଦ୍ରୀକୃତ ଓ ତତ୍କ୍ଷଣାତ୍ ଅଦ୍ୟତନ ହେଉଥିବା ଡିଜିଟାଲ କ୍ୟାନ୍ସର ରେଜିଷ୍ଟ୍ରି ପ୍ରସ୍ତୁତ କରିବାକୁ ମଧ୍ୟ ଦାବି କରାଯାଇଛି। କ୍ୟାନ୍ସରକୁ ଅନିବାର୍ଯ୍ୟ ଭାବେ ରିପୋର୍ଟ କରିବା ବ୍ୟବସ୍ଥା ନ ଥିବାରୁ ରୋଗ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟରେ ଅଭାବ ରହୁଛି ବୋଲି ସଂସଦୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ଥାୟୀ କମିଟି ମଧ୍ୟ ତାହାର ୧୩୯ତମ ରିପୋର୍ଟରେ କହିଥିଲା। କେତେକ କ୍ଷେତ୍ରରେ କ୍ୟାନ୍ସର ମୃତ୍ୟୁର ପ୍ରକୃତ କାରଣ ଲେଖା ନ ହୋଇ ହୃଦ୍-ଶ୍ୱାସକ୍ରିୟା ବନ୍ଦ ହେବା ଭଳି କାରଣ ଦର୍ଶାଯାଉଥିବାରୁ ତଥ୍ୟରେ ତ୍ରୁଟି ରହୁଛି ବୋଲି କମିଟି ଉଲ୍ଲେଖ କରିଥିଲା। ଏହି ସୁପାରିସକୁ ବିଚାର କରି ଅବଶିଷ୍ଟ ୧୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପଯୁକ୍ତ ନିଷ୍ପତ୍ତି ନେବାକୁ ସୁପ୍ରିମ୍କୋର୍ଟ କହିଛନ୍ତି।

1 hour ago
2


