ARTICLE AD BOX
ଭୁବନେଶ୍ବର: ଓଡ଼ିଶାରେ ଚାଲିଥିବା ପିପିପି ମଡେଲ୍ କ୍ରୀଡ଼ା ବ୍ୟବସ୍ଥା ଭିତରେ ଅନ୍ୟତମ ପ୍ରମୁଖ ଏଚ୍ପିସି ହେଉଛି ଜିମ୍ନାଷ୍ଟିକ୍ସ ଓ ଖୋ ଖୋ ଖେଳର। ୨୦୨୩ରେ ଆରମ୍ଭ ହୋଇଥିବା ଓଡ଼ିଶା ଏଏମ/ଏନଏସ ଜିମ୍ନାଷ୍ଟିକ୍ସ ଏଚପିସି ସାରା ଦେଶରେ ବର୍ଷକୁ ୪୫୦ ଆଥଲେଟଙ୍କୁ ତାଲିମ ଦେଇଥାଏ। ଏହା ମଧ୍ୟରୁ ଭୁବନେଶ୍ବର କେନ୍ଦ୍ରରେ ୬୦ ଆଥଲେଟ ଅନ୍ତର୍ଭୁକ୍ତ। ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ଦ୍ବାରା ଉନ୍ନତମାନର ପ୍ରଶିକ୍ଷଣ ଦିଆଯାଏ। ନିକଟରେ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଠାରେ ତାଲିମପ୍ରାପ୍ତ ଜିମ୍ନାଷ୍ଟ ପ୍ରଣତୀ ନାୟକ, ତାପେଶ୍ବରନାଥ ଦାସ ଓ ତପନ ମହାନ୍ତି ଅଂଶଗ୍ରହଣ କରିଥିଲେ। ସେହିପରି ପୁରୀଠାରେ ଅବସ୍ଥିତ ଖୋ ଖୋ ଏଚପିସିରେ ବର୍ଷକୁ ୬୦ ଖେଳାଳି ତାଲିମ ନେଉଛନ୍ତି।
ଏହି ଏଚପିସି ସମ୍ପର୍କରେ ଏଏମ/ଏନଏସର ନିର୍ଦ୍ଦେଶକ କଥା ଉପସଭାପତି (ମାନବ ସମ୍ବଳ ଓ ପ୍ରଶାସନ) ଆଶୁତୋଷ ତେଲାଙ୍ଗ କହିଛନ୍ତି ଯେ ବିଶ୍ବ ଚାମ୍ପିଅନମାନେ ରାତାରାତି ତିଆରି ହୁଅନ୍ତି ନାହିଁ। ଖାଲି ପ୍ରତିଭା ରହିବା ଯଥେଷ୍ଟ ନୁହେଁ, ତାହାର ବିକାଶ ପାଇଁ ଉପଯୁକ୍ତ ଭିତ୍ତିଭୂମି, ବିଶେଷଜ୍ଞ ପ୍ରଶିକ୍ଷଣ ଓ ଦୃଢ ସହାୟତା ବ୍ୟବସ୍ଥା ଆବଶ୍ୟକ। ଭାରତ ପରି ଏକ ଜନବହୁଳ ଦେଶରେ ପ୍ରତ୍ୟେକ ଖେଳରେ ଉତ୍କର୍ଷତା ହାସଲ ପାଇଁ ଅସୀମ ସମ୍ଭାବନା ରହିଛି, କିନ୍ତୁ ସମ୍ଭାବନାକୁ ପ୍ରଦର୍ଶନରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆହ୍ବାନ। ଓଡ଼ିଶାରେ ଯେତେବେଳେ ବିଭିନ୍ନ ହାଇପରଫର୍ମାନ୍ସ ସେଣ୍ଟର ସବୁ ଖୋଲିଲା, ଏଏମ/ଏନଏସ ଜିମ୍ନାଷ୍ଟିକ୍ସ ଓ ଖୋ ଖୋ କ୍ଷେତ୍ରରେ ରାଜ୍ୟ ସହ ଯୋଡ଼ିହେଲା। ଲକ୍ଷ୍ୟ ଥିଲା ଏଚପିସି ଖୋଲି ତୃଣମୂଳ ସ୍ତରର ପ୍ରତିଭାଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଏକ ରାସ୍ତା ପ୍ରଦାନ କରିବା। ଏସବୁ କେନ୍ଦ୍ରରେ କେବଳ ତାଲିମ ନୁହେଁ, ବରଂ ବୈଜ୍ଞାନିକ ପରାମର୍ଶ, ପୋଷଣ, ଶରୀର ଓ ଶିକ୍ଷା ସଂପର୍କିତ ସହାୟତା ଦିଆଯାଏ।
ଆହୁରି ପଢନ୍ତୁ :Education: ପିଜେ କଲେଜ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜିରେ ଆଲୋଚନାଚକ୍ର
ତେବେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଉଛି, ତୃଣମୂଳ ସ୍ତରରେ ସମ୍ଭାବ୍ୟ କ୍ରୀଡ଼ା ପ୍ରତିଭାଙ୍କୁ କିପରି ଚିହ୍ନଟ କରାଯାଏ ? ଏହାର ଜବାବରେ ଆଶୁତୋଷ କହିଛନ୍ତି ଯେ ସମ୍ଭାବ୍ୟ ଆଥଲେଟଙ୍କୁ ଚିହ୍ନଟ କରିବା କେବଳ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ଚିହ୍ନଟ କରିବା ନୁହେଁ, ବରଂ ଏହା ହେଉଛି ଏକ ସମ୍ଭାବନାକୁ ଚିହ୍ନି ଉପଯୁକ୍ତ ଉପାୟରେ ତାହାକୁ ବିକଶିତ କରିବା। ପ୍ରଥମ ପର୍ଯ୍ୟାୟରେ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର, ସ୍ୱତନ୍ତ୍ର ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଏବଂ ତୃଣମୂଳସ୍ତରୀୟ କ୍ରୀଡ଼ା କେନ୍ଦ୍ରଗୁଡ଼ିକରୁ ପ୍ରତିଭାଟିଏକୁ ଚିହ୍ନଟ କରାଯାଏ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଯୁବ ପ୍ରତିଭାମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା, କୌଶଳଭିତ୍ତିକ ମୂଲ୍ୟାଙ୍କନ, ପ୍ରଦର୍ଶନ ବିଶ୍ଳେଷଣ ଏବଂ ସଚେତନତା ପରୀକ୍ଷା ମାଧ୍ୟମରେ ମାର୍ଗଦର୍ଶନ ଦିଆଯାଏ। ଏକ ଛୋଟ ପ୍ରତିଭାର ସ୍ଫୁଲିଙ୍ଗରୁ ଆରମ୍ଭ ହେଉଥିବା ଏହି ଯାତ୍ରାକୁ ଶୃଙ୍ଖଳା, ଦୃଢ଼ତା ଓ ନିଷ୍ଠାରେ ପରିଣତ କରାଯାଏ। ଫଳରେ ପ୍ରତିଭାବାନ ଜିମ୍ନାଷ୍ଟ ଓ ଖୋ-ଖୋ ଖେଳାଳିମାନେ କେବଳ ଚିହ୍ନଟ ହୁଅନ୍ତି ନାହିଁ, ବରଂ ସର୍ବୋଚ୍ଚ ସ୍ତରର ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ମଧ୍ୟ ପ୍ରସ୍ତୁତ ହୁଅନ୍ତି।
ଏହି ଏଚପିସିର ସଫଳତା ସମ୍ପର୍କରେ ସେ କହିଛନ୍ତି ଯେ ସଫଳତାର ସବୁଠାରୁ ସୁଦୃଶ୍ୟ ପରିମାପ ହେଉଛି ପଦକ। ଏହି ଏଚପିସିରୁ ବାହାରିଥିବା ଖେଳାଳିମାନେ ପ୍ରାୟ ୪୦୦ ଜାତୀୟ ଓ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସ ପଦକ ଜିତିଥିବାବେଳେ ୫୦ରୁ ଅଧିକ ଖୋ ଖୋ ପଦକ ଜିତିଛନ୍ତି। ତେବେ ଏହା ସଫଳତାର ଏକମାତ୍ର ପରିମାପ ନୁହେଁ, ପ୍ରକୃତ ସଫଳତା ହେଉଛି ପ୍ରତି ପ୍ରତିଭାର ସର୍ବାଙ୍ଗୀନ ବିକାଶ।

1 hour ago
2


