ARTICLE AD BOX
ନୂଆଦିଲ୍ଲୀ: ଭାରତକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ କିଭଳି ଧାରଣା ରହିଛି, ତାହାର ଏକ ବ୍ୟାପକ ଚିତ୍ର ସାମ୍ନାକୁ ଆଣିଛି ପ୍ୟୁ ରିସର୍ଚ୍ଚ ସେଣ୍ଟରର ସଦ୍ୟତମ ସର୍ଭେ। ୩୬ ଦେଶର ୪୨,୧୫୧ ଜଣ ବୟସ୍କଙ୍କୁ ନେଇ ଫେବ୍ରୁଆରି ୮ରୁ ମେ ୧୩, ୨୦୨୬ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଏଥିରେ ଭାରତ ସମେତ ପାକିସ୍ତାନ, ଆମେରିକା, ବାଂଲାଦେଶ, ଇଣ୍ଡୋନେସିଆ, ଜାପାନ, ଅଷ୍ଟ୍ରେଲିଆ ଓ ୟୁରୋପର ଏକାଧିକ ଦେଶ ସାମିଲ ଥିଲେ। ସର୍ଭେ ଅନୁସାରେ, ୩୬ ଦେଶର ମୋଟ ୪୫ ପ୍ରତିଶତ ଉତ୍ତରଦାତା ଭାରତ ପ୍ରତି ସକାରାତ୍ମକ ମତ ରଖିଥିବା ବେଳେ ୪୧ ପ୍ରତିଶତଙ୍କ ମତ ନକାରାତ୍ମକ ରହିଛି। ତେବେ ଦେଶ ଅନୁସାରେ ଭାରତର ଛବିରେ ବଡ଼ ପାର୍ଥକ୍ୟ ଦେଖାଯାଇଛି।
ଆହୁରି ପଢନ୍ତୁ :Hirakud dam: ହୀରାକୁଦରୁ ୨୪ କ୍ୟୁସେକ୍ ପାଣି ଟାଣିବ କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ
ଭାରତ ପ୍ରତି ସବୁଠାରୁ ଅନୁକୂଳ ମତ ଶ୍ରୀଲଙ୍କାରେ ଦେଖିବାକୁ ମିଳିଛି। ସେଠାରେ ୭୯ ପ୍ରତିଶତ ଲୋକ ଭାରତକୁ ଭଲ ଦୃଷ୍ଟିରେ ଦେଖୁଛନ୍ତି। ପ୍ରାୟ ୬୩ ପ୍ରତିଶତ ଶ୍ରୀଲଙ୍କୀୟ ଭାରତକୁ ନିଜ ଦେଶର ପ୍ରମୁଖ ସହଯୋଗୀ ବୋଲି ମନେ କରୁଛନ୍ତି। ମାତ୍ର ୧୧ ପ୍ରତିଶତଙ୍କ ଧାରଣା ଭାରତ ପ୍ରତି ନକାରାତ୍ମକ। ୨୦୨୪ରେ ଭାରତ ପ୍ରତି ୬୫ ପ୍ରତିଶତ ଶ୍ରୀଲଙ୍କାବାସୀଙ୍କ ଅନୁକୂଳ ମତ ଥିଲା। ଅର୍ଥାତ୍ ଦୁଇ ବର୍ଷରେ ଏହା ୧୪ ପ୍ରତିଶତ ବଢ଼ିଛି। ଶ୍ରୀଲଙ୍କା ପରେ ବ୍ରିଟେନ ଓ କେନିଆର ୭୧ ପ୍ରତିଶତ ଏବଂ ଇସ୍ରାଏଲର ୬୦ ପ୍ରତିଶତ ଲୋକ ଭାରତ ପ୍ରତି ଅନୁକୂଳ ମତ ରଖିଛନ୍ତି। ଜର୍ମାନୀରେ ଏହି ହାର ୬୩ ପ୍ରତିଶତ, ଇଟାଲୀରେ ୫୬ ପ୍ରତିଶତ ଓ ସ୍ବିଡେନରେ ୫୫ ପ୍ରତିଶତ ରହିଛି। ଏସିଆରେ ଜାପାନର ୫୫ ପ୍ରତିଶତ, ସିଙ୍ଗାପୁରର ୫୧ ପ୍ରତିଶତ ଏବଂ ଇଣ୍ଡୋନେସିଆର ୫୦ ପ୍ରତିଶତ ଲୋକ ଭାରତ ପ୍ରତି ସକାରାତ୍ମକ ମତ ଦେଇଛନ୍ତି। ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ଚିତ୍ର କିନ୍ତୁ ଭିନ୍ନ। ପାକିସ୍ତାନରେ ମାତ୍ର ୭ ପ୍ରତିଶତ ଲୋକ ଭାରତକୁ ନେଇ ସକାରାତ୍ମକ ମତ ରଖିଥିବା ବେଳେ ୯୧ ପ୍ରତିଶତଙ୍କ ମତ ନକାରାତ୍ମକ। ବାଂଲାଦେଶରେ ୪୨ ପ୍ରତିଶତ ଲୋକ ଭାରତକୁ ପସନ୍ଦ କରୁଥିବା ବେଳେ ୫୧ ପ୍ରତିଶତ ଅନୁକୂଳ ମତ ରଖୁନାହାନ୍ତି।
ଆହୁରି ପଢନ୍ତୁ :drowning incident ରାଇରଙ୍ଗପୁରରେ ପାଣିରେ ବୁଡ଼ି ଯୁବକ ମୃତ, ନଦୀରେ ଭାସି ଆଉ ଜଣେ ନିଖୋଜ
ଭାରତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱ ବ୍ୟାପାର ପରିଚାଳନା କ୍ଷମତା ଉପରେ ଭରସା ମଧ୍ୟ ହ୍ରାସ ପାଇଛି। ୨୦୨୫ରେ ୫୧ ପ୍ରତିଶତ ଭାରତୀୟ ଟ୍ରମ୍ପଙ୍କ ଉପରେ ଭରସା ପ୍ରକାଶ କରିଥିଲେ। ୨୦୨୬ରେ ଏହା ୩୯ ପ୍ରତିଶତକୁ ଖସିଛି। ଅର୍ଥାତ୍ ବର୍ଷକ ମଧ୍ୟରେ ଭରସା ୧୨ ପ୍ରତିଶତ କମିଛି। ୩୬ ପ୍ରତିଶତ ଭାରତୀୟ ତାଙ୍କ ଉପରେ ଭରସା ନାହିଁ ବୋଲି କହିଛନ୍ତି। ଅପରପକ୍ଷେ, ୫୧ ପ୍ରତିଶତ ଭାରତୀୟ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଶ୍ୱ ବ୍ୟାପାର ପରିଚାଳନା କ୍ଷମତା ଉପରେ ଭରସା ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ :Election: ଏକ ଦେଶ, ଏକ ନିର୍ବାଚନ’ ବିମର୍ଶ: ଅଧାରୁ ବିଧାନସଭା ଭଙ୍ଗ ରୋକିବାକୁ ସୁରକ୍ଷା ବ୍ୟବସ୍ଥା ଖୋଜୁଛି ଜେପିସି
ଏହି ସର୍ଭେରୁ ଏକପଟେ ଭାରତ ପ୍ରତି ବିଭିନ୍ନ ଦେଶର ଧାରଣାରେ ବଡ଼ ପାର୍ଥକ୍ୟ ଥିବା ଏବଂ ଅନ୍ୟପଟେ ଭାରତୀୟଙ୍କ ଆମେରିକା, ଚୀନ୍ ଓ ବିଶ୍ୱନେତାଙ୍କ ସମ୍ପର୍କରେ ମତ ବଦଳୁଥିବା ସ୍ପଷ୍ଟ ହେଉଛି। ବିଶେଷକରି ଆମେରିକାରେ ଭାରତ ପ୍ରତି ଅନୁକୂଳ ମତ ମଧ୍ୟ ହ୍ରାସ ପାଇଛି। ୨୦୨୩ରେ ୫୧ ପ୍ରତିଶତ ଆମେରିକୀୟ ଭାରତକୁ ନେଇ ସକାରାତ୍ମକ ମତ ରଖିଥିବା ବେଳେ ୨୦୨୬ରେ ଏହା ୪୫ ପ୍ରତିଶତକୁ ଖସିଛି। ଡେମୋକ୍ରାଟ୍ଙ୍କ ମଧ୍ୟରେ ୫୦ ପ୍ରତିଶତ ଭାରତ ପ୍ରତି ଅନୁକୂଳ ଥିବା ବେଳେ ରିପବ୍ଲିକାନ୍ଙ୍କ ମଧ୍ୟରେ ଏହା ୪୨ ପ୍ରତିଶତ। ସାମଗ୍ରିକ ଭାବେ, ଭାରତ ପ୍ରତି ବିଶ୍ୱର ଧାରଣା ଏକରକମ ନୁହେଁ। କେତେକ ଦେଶରେ ଭାରତ ପ୍ରତି ଅନୁକୂଳତା ବଢ଼ୁଥିବା ବେଳେ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ଏହି ଚିତ୍ର ଭିନ୍ନ। ଏଥିସହ ଭାରତୀୟଙ୍କ ମଧ୍ୟରେ ଆମେରିକା ଓ ତାହାର ନେତୃତ୍ବ ପ୍ରତି ଭରସାରେ ହ୍ରାସ ଏବଂ ପୁଟିନଙ୍କ ପ୍ରତି ତୁଳନାତ୍ମକ ଭାବେ ଅଧିକ ଭରସା ଦେଶର ବିଦେଶ ନୀତି ନେଇ ଜନମତର ଏକ ଗୁରୁତ୍ବପୂର୍ଣ୍ଣ ସଙ୍କେତ ଦେଉଛି।

19 hours ago
3


