ARTICLE AD BOX
ଶ୍ରୀନଗର: ଚଳିତ ବର୍ଷର ୫୭ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ମଧ୍ୟରେ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ବରଫ ଶିବଲିଙ୍ଗ ପ୍ରାୟ ସମ୍ପୂର୍ଣ୍ଣ ତରଳି ଯାଇଥିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଗତବର୍ଷ ପହଲଗାମ ଆକ୍ରମଣ ପରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଭକ୍ତ ଯାତ୍ରାରେ ସାମିଲ ହୋଇଥିବା ବେଳେ ବରଫ ଶିବଲିଙ୍ଗ ଏତେ ଶୀଘ୍ର ତରଳିଯିବା ପରିବେଶ ଓ ଯାତ୍ରା ପରିଚାଳନାକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି।
ଅମରନାଥ ଗୁମ୍ଫାର ବରଫ ଶିବଲିଙ୍ଗ ଗୁମ୍ଫାର ଛାତରୁ ଝରୁଥିବା ପାଣି ଅତି ନିମ୍ନ ତାପମାତ୍ରାରେ ଜମାଟ ବାନ୍ଧିବା ଫଳରେ ସ୍ୱାଭାବିକ ଭାବେ ହିମଶିବଲିଙ୍ଗ ସୃଷ୍ଟି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଯାତ୍ରା ଆରମ୍ଭ ହେବାର କିଛି ଦିନ ମଧ୍ୟରେ ଏହା ୯୦ ପ୍ରତିଶତରୁ ଅଧିକ ତରଳି ଯାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ପ୍ରଚାରିତ ଚିତ୍ରରେ ମଧ୍ୟ ବରଫ ଶିବଲିଙ୍ଗ ପ୍ରାୟ ଅଦୃଶ୍ୟ ହୋଇଯାଇଥିବା ଦେଖାଯାଇଛି। ଏଥିଯୋଗୁ ଆଗାମୀ ୫୦ରୁ ଅଧିକ ଦିନ ଧରି ଯାତ୍ରା କରିବାକୁ ଥିବା ଲକ୍ଷାଧିକ ଭକ୍ତ ପାରମ୍ପରିକ ବରଫ ଶିବଲିଙ୍ଗ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏହି ଘଟଣା ପରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିଏଫ୍)ର ନେତ୍ରୀ ଇଲତିଜା ମୁଫ୍ତି ଯାତ୍ରା ପରିଚାଳନା ଓ ପରିବେଶ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସୁପ୍ରିମ୍କୋର୍ଟ ପ୍ରତିଦିନ ସର୍ବାଧିକ ୧୦ ହଜାର ଭକ୍ତଙ୍କ ଯାତ୍ରା ପାଇଁ ସୀମା ଧାର୍ଯ୍ୟ କରିଥିଲେ ମଧ୍ୟ ବର୍ତ୍ତମାନ ଭକ୍ତଙ୍କ ସଂଖ୍ୟା ବଢ଼ୁଛି। ତାଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ସହ ଅନିୟନ୍ତ୍ରିତ ଗଛକଟା, ବେଆଇନ ଖଣି ଖନନ, ଅଳିଆ ଆବର୍ଜନାର ଠିକ୍ ପରିଚାଳନା ନ ହେବା ଓ ପ୍ରାକୃତିକ ସମ୍ପଦ ଉପରେ ବଢ଼ୁଥିବା ଚାପ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ।
ଅନ୍ୟପକ୍ଷରେ ଶ୍ରୀ ଅମରନାଥ ବରଫାନୀ ଲଙ୍ଗର୍ସ ଅର୍ଗାନାଇଜେସନ୍ (ଏସ୍ଏବିଏଲ୍ଓ) ଏହି ଘଟଣାର ବୈଜ୍ଞାନିକ ତଦନ୍ତ ଦାବି କରିଛି। ସଂଗଠନ ଶ୍ରୀ ଅମରନାଥ ସ୍ରାଇନ୍ ବୋର୍ଡ (ଏସ୍ଏଏସ୍ବି)କୁ ଦିଆଯାଇଥିବା ଦାବିପତ୍ରରେ ବରଫ ଶିବଲିଙ୍ଗ ଏତେ ଶୀଘ୍ର କାହିଁକି ତରଳିଗଲା, ତାହାର ବିସ୍ତୃତ ଯାଞ୍ଚ କରିବା ସହ ଗୁମ୍ଫା ଏବଂ ଏହାର ନିକଟବର୍ତ୍ତୀ ପରିବେଶର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ଅନୁରୋଧ କରିଛି। ସଂଗଠନର କହିବା ଅନୁସାରେ, ଏଭଳି ପରିସ୍ଥିତି ଯୋଗୁ ଚଳିତ ବର୍ଷ ବହୁ ସଂଖ୍ୟକ ଭକ୍ତ ପବିତ୍ର ବରଫ ଶିବଲିଙ୍ଗ ଦର୍ଶନର ସୁଯୋଗ ପାଇବେ ନାହିଁ।
ବିଶେଷଜ୍ଞମାନଙ୍କ ମତରେ, ବଢ଼ୁଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନ ଓ ହିମାଳୟର ସମ୍ବେଦନଶୀଳ ପରିବେଶ ଉପରେ ମାନବୀୟ ଚାପ ଏଭଳି ଘଟଣାର ପ୍ରମୁଖ କାରଣ ହୋଇପାରେ। ତେଣୁ କେବଳ ଚଳିତ ବର୍ଷର ଯାତ୍ରା ନୁହେଁ, ଭବିଷ୍ୟତରେ ମଧ୍ୟ ଏହି ପବିତ୍ର ତୀର୍ଥକ୍ଷେତ୍ରର ପ୍ରାକୃତିକ ସନ୍ତୁଳନ ରକ୍ଷା ପାଇଁ ଦୀର୍ଘମିଆଦି ପରିବେଶ ସୁରକ୍ଷା ନୀତି ଆପଣାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ତୀର୍ଥଯାତ୍ରୀଙ୍କ ସଂଖ୍ୟା ଲକ୍ଷେ ୭୦ ହଜାର ଟପିଲା
ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ବାଲଟାଲ୍ ବେସ୍ କ୍ୟାମ୍ପ୍ ଗସ୍ତ କରି ଏବେ ଚାଲିଥିବା ଅମରନାଥ ଯାତ୍ରା ସମୀକ୍ଷା କରିଛନ୍ତି ଏବଂ ତୀର୍ଥଯାତ୍ରୀଙ୍କ ସହ କଥା ହୋଇଛନ୍ତି। ଉପରାଜ୍ୟପାଳ ସିହ୍ନା କହିଛନ୍ତି, ତୀର୍ଥଯାତ୍ରାର ପ୍ରଥମ ୭ ଦିନ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଛନ୍ତି। ଉପରାଜ୍ୟପାଳ ମଧ୍ୟ ଯାତ୍ରା ପାଇଁ କରାଯାଇଥିବା ବ୍ୟବସ୍ଥା, ସୁରକ୍ଷା ପ୍ରସ୍ତୁତି ଏବଂ ମେଡିକାଲ ସେବାର ସମୀକ୍ଷା କରିଛନ୍ତି। ଏହି ବାର୍ଷିକ ତୀର୍ଥଯାତ୍ରା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ଉପରାଜ୍ୟପାଳ ସମୀକ୍ଷା କରିଛନ୍ତି। ଏଲ୍ଜି ସିହ୍ନା କହିଛନ୍ତି, ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥଯାତ୍ରା ଆରାମଦାୟକ ଏବଂ ସୁରକ୍ଷିତ କରିବାପାଇଁ ପ୍ରଶାସନ, ଜମ୍ମୁ କାଶ୍ମୀର ପୁଲିସ, ସେନା ଏବଂ ଅନ୍ୟ ସୁରକ୍ଷା ସଂସ୍ଥାର ସହଯୋଗରେ ଉଦ୍ୟମ ଜାରି ରହିଛି। ଯାତ୍ରାର ପ୍ରଗତି ସଂକ୍ରାନ୍ତରେ ଟିପ୍ପଣୀ ରଖି ସେ କହିଛନ୍ତି, ବାବା ବରଫାନୀଙ୍କ ପାଖକୁ ୭ ଦିନର ତୀର୍ଥଯାତ୍ରା ଶେଷ ହୋଇଛି। ଆଜି ଯାତ୍ରାର ଅଷ୍ଟମ ଦିନ। ପାଖାପାଖି ୧ ଲକ୍ଷ ୭୦ ହଜାର ତୀର୍ଥଯାତ୍ରୀ ଏଯାବତ ପୂଜାର୍ଚ୍ଚନା କରିଛନ୍ତି।

1 hour ago
1


