ARTICLE AD BOX
ମାଲକାନଗିରି: ଏକଦା ମାଓବାଦୀ ସଂଗଠନରେ ଆଗଧାଡ଼ିର ନେତ୍ରୀ ଥିଲେ ପୋଡିୟମ ଲକ୍ଷ୍ମୀ। ଆନ୍ଧ୍ରପ୍ରଦେଶର ଭଦ୍ରାଦି କଥାଗୁଡ଼େମ ଓ ଆଲ୍ଲୁରୀ ସୀତାରାମରାଜୁ ଅଞ୍ଚଳରେ ନିଜର ଦବଦବା ରଖିଥିଲେ। ଲକ୍ଷ୍ମୀଙ୍କ ନାମ ଶୁଣିଲେ ଲୋକେ ଆତଙ୍କିତ ହୋଇଯାଉଥିଲେ। ୮ ବର୍ଷ ତଳେ କଥାଗୁଡ଼େମ ଓ ଆଲ୍ଲୁରୀ ସୀତାରାମରାଜୁ ଏରିଆ କମିଟିର ସଦସ୍ୟ ରୂପେ କାର୍ଯ୍ୟ ଆରମ୍ଭ କରି ଡିଭିଜନାଲ୍ କମିଟିର ସଦସ୍ୟ ଭାବେ ପଦୋନ୍ନତି ପାଇଥିଲେ। ବହୁ ମାଓ ହିଂସା ଜଡ଼ିତ ଲକ୍ଷ୍ମୀ ୨୦୨୬ ଜାନୁଆରିରେ ଆତ୍ମସମର୍ପଣ କରିବା ପରେ ବଦଳି ଯାଇଛି ଜୀବନଶୈଳୀ। ଏକେ-୪୭ ଧରୁଥିବା ହାତ ଏବେ ହଲଲଙ୍ଗଳ ଧରିବା ସହିତ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ ଜାରି ରଖିଛି।
ICAI: ଆଇସିଏଆଇର ଜାତୀୟ ସମ୍ମିଳନୀ ଉଦ୍ଯାପିତ
ଆଲ୍ଲୁରୀ ସୀତାରାମରାଜୁ ଅଞ୍ଚଳରେ ଥିଲା ଆଧିପତ୍ୟ
୪ ରାଜ୍ୟର ବହୁ ହିଂସାରେ ଜଡ଼ିତ, ମୁଣ୍ଡରେ ଥିଲା ୫ ଲକ୍ଷ ପୁରସ୍କାର
ପୋଡିୟମ ଲକ୍ଷ୍ମୀ। ବୟସ ପାଖାପାଖି ୩୫। ଘର ଆନ୍ଧ୍ରର ଭଦ୍ରାଦି କଥାଗୁଡ଼େମ ଜିଲ୍ଲାର ରାଲ୍ଲାପୁରମ ଗ୍ରାମରେ। ଗରିବ ଲୋକଙ୍କ ସମସ୍ୟା ଦୂର ପାଇଁ ଲକ୍ଷ୍ମୀ ମାଓ ସଂଗଠନରେ ସାମିଲ ହୋଇ ବନ୍ଧୁକ ଧରିଥିଲେ। ସଂଗଠନରେ ୮ ବର୍ଷ ରହିବା ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ଘଟିଥିବା ବହୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ। ସରକାର ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଲକ୍ଷ୍ମୀଙ୍କ କହିବା ମୁତାବକ, ୨୦୨୪ ପରଠାରୁ ମାଓ ସଂଗଠନରେ ରହିବା ମୁସ୍କିଲ୍ ହୋଇଯାଇଥିଲା। ଲଗାତାର ସରକାରଙ୍କ ଚାପ ସହ କମ୍ବିଂ ଅପରେସନ୍ ଜୋରଦାର୍ ହୋଇଥିଲା। ପୁଲିସ୍ ଏନ୍କାଉଣ୍ଟର୍ରେ ଲକ୍ଷ୍ମୀଙ୍କ ସ୍ବାମୀ କାରେଗୁଟ୍ଟା ଜଙ୍ଗଲରେ ନିହତ ହୋଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଲକ୍ଷ୍ମୀ ଭାଙ୍ଗି ପଡ଼ିଥିଲେ।
Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
ପୁଲିସର ଘନ ଘନ ଚଢ଼ଉ ଓ ଏନ୍କାଉଣ୍ଟର୍ରେ ସଂଗଠନର ଟପ୍ କ୍ୟାଡର ନେତାଙ୍କ ମୃତ୍ୟୁ ତାଙ୍କୁ ବିଚଳିତ କରିଥିଲା। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ସ୍ଥିର କରିଥିଲେ ଲକ୍ଷ୍ମୀ। ୨୦୨୬ ଜାନୁଆରିରେ ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ଲକ୍ଷ୍ମୀ ଏବେ ନିଜ ଘରକୁ ଫେରିଛନ୍ତି। ନିଜେ ସ୍ବାବଲମ୍ବୀ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିବା ସହ ନିଜର ସ୍ବଳ୍ପ ଜମିରେ ହଳ ଧରି ନିଜେ ଚାଷ କରୁଛନ୍ତି। ତାଙ୍କ ଜୀବନ ବହୁ ସଂଘର୍ଷମୟ ବୋଲି କହନ୍ତି ଲକ୍ଷ୍ମୀ। ଜଙ୍ଗଲରେ ବହୁ ଥର ପୁଲିସ ଗୁଳିରୁ ବର୍ତ୍ତିଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ବନ୍ଧୁକ ଧରିଥିଲେ ତାହା ସେ ପୂରଣ ହୋଇପାରି ନ ଥିବାରୁ ଦୁଃଖିତ ବୋଲି ଲକ୍ଷ୍ମୀ କହିଛନ୍ତି। ଆତ୍ମସମର୍ପଣ ପରେ ଘରେ ଖୁସିରେ ଅଛନ୍ତି। କାହା ଉପରେ ବୋଝ ନ ହୋଇ ସ୍ବାବଲମ୍ବୀ ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ଆତ୍ମସମର୍ପଣ ପରେ ମିଳିଥିବା ପୁରସ୍କାର ରାଶିରେ କୌଣସି ବ୍ୟବସାୟ କରିବାକୁ ଚିନ୍ତା କରୁଥିବା କହିଛନ୍ତି।

1 hour ago
1


