ARTICLE AD BOX
ଅହମଦାବାଦ: ୨୦୦୮ ମସିହାର ଅହମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ଗୁଜରାଟ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇ ତଳ ଅଦାଲତ ଦ୍ୱାରା ୩୮ ଜଣ ଦୋଷୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ କାଏମ୍ ରଖିଛନ୍ତି। ସେହିପରି ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅନ୍ୟ ଦୋଷୀଙ୍କ ଦଣ୍ଡାଦେଶକୁ ମଧ୍ୟ ବଜାୟ ରଖାଯାଇଛି। ଦୀର୍ଘ ଶୁଣାଣି ପରେ ନ୍ୟାୟାଳୟ ଏହି ରାୟ ଘୋଷଣା କରିଛନ୍ତି। ୨୬ ଜୁଲାଇ ୨୦୦୮ରେ ଗୁଜରାଟର ଅହମଦାବାଦ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୭୦ ମିନିଟ୍ ମଧ୍ୟରେ ୨୧ଟି ବୋମା ବିସ୍ଫୋରଣ ଘଟିଥିଲା। ବଜାର, ବସ୍, ସାର୍ବଜନୀନ ସ୍ଥାନ ଓ ହସ୍ପିଟାଲ ପରିସରକୁ ଲକ୍ଷ୍ୟ କରି କରାଯାଇଥିବା ଏହି ଆକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା।
Meeting : ‘ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ’
ତଦନ୍ତ ସମୟରେ ପୁଲିସ ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରୁ ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲେ। ତଦନ୍ତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ‘ଇଣ୍ଡିଆନ୍ ମୁଜାହିଦିନ୍’ର ସଦସ୍ୟମାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ମାମଲାରେ ମୋଟ ୭୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ଫେବ୍ରୁଆରି ୨୦୨୨ରେ ସ୍ୱତନ୍ତ୍ର ଅଦାଲତ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏତେ ବଡ଼ ସଂଖ୍ୟକ ଦୋଷୀଙ୍କୁ ଏକାସାଙ୍ଗରେ ମୃତ୍ୟୁଦଣ୍ଡାଦେଶ ଦିଆଯିବା ଦେଶର ନ୍ୟାୟିକ ଇତିହାସରେ ଏକ ବିରଳ ଘଟଣା ଥିଲା। ପରେ ଏହି ରାୟ ବିରୋଧରେ ଦୋଷୀମାନେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। ସେହିପରି ମୃତ୍ୟୁଦଣ୍ଡର ଆଇନଗତ ଅନୁମୋଦନ ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା।
Horoscope 2026 July 08: ଜାଣନ୍ତୁ ଆଜିର ରାଶିଫଳ
ଦୀର୍ଘ ସମୟ ଧରି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗୁଜରାଟ ହାଇକୋର୍ଟ ତଳ ଅଦାଲତଙ୍କ ରାୟକୁ ବଜାୟ ରଖିଛନ୍ତି। ନ୍ୟାୟାଳୟ କହିଛନ୍ତି, ଏହା ଅତ୍ୟନ୍ତ ଜଘନ୍ୟ ଓ ସୁପରିକଳ୍ପିତ ଆତଙ୍କବାଦୀ ଷଡ୍ଯନ୍ତ୍ର ଥିଲା, ଯାହାର ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏବଂ ଦେଶର ସୁରକ୍ଷାକୁ ଚ୍ୟାଲେଞ୍ଜ କରିବା। ଉପଲବ୍ଧ ପ୍ରମାଣ, ସାକ୍ଷ୍ୟ ଓ ତଦନ୍ତ ଆଧାରରେ ଦୋଷୀମାନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇଥିବା ଅଦାଲତ ମତ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ଦୋଷୀମାନେ ସୁପ୍ରିମ୍କୋର୍ଟରେ ଆବେଦନ କରିପାରିବେ। ଦୀର୍ଘ ୧୮ ବର୍ଷ ପରେ ଆସିଥିବା ଏହି ରାୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

2 hours ago
1


