ARTICLE AD BOX
ଜଗତସିଂହପୁର (ଶୁଭକାନ୍ତ ପଢ଼ିହାରୀ): ଅଧିକରୁ ଅଧିକ ଆଳୁଚାଷ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଇଚ୍ଛୁକ ଚାଷୀମାନଙ୍କୁ ସବସିଡି ଯୋଗାଇ ଦେଉଛନ୍ତି। ଲକ୍ଷ୍ୟ ରହିଛି ବାହାର ରାଜ୍ୟ ଉପରେ କମ୍ ନିର୍ଭରଶୀଳ ରହି ନିଜ ଅଞ୍ଚଳରେ ଆଳୁ ଚାଷ କରି କିଛି ପରିମାଣରେ ଚାହିଦା ମେଣ୍ଟାଇବା। କିନ୍ତୁ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାଗଜକଲମରେ ଆଳୁଚାଷ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ବାସ୍ତବରେ ଚିତ୍ର କିଛି ଓଲଟା।
ନଦୀ ଶଯ୍ୟା, ନୟନଯୋରି, ଜଳାଶୟ, କେନାଲ ବନ୍ଧ, ରାସ୍ତାରେ ହୋଇଛି ଆଳୁଚାଷ। ଚାଷୀମାନେ ସରକାରଙ୍କ ପକ୍ଷରୁ ସବସିଡି ମଧ୍ୟ ପାଇଛନ୍ତି। କିନ୍ତୁ ଚାଷ ହୋଇଥିବା ଜମିର କାଗଜପତ୍ର ମେଳ ଖାଉନି। ଯାହାଫଳରେ ଆଳୁ ଚାଷ ପଛରେ ଏକ ଦୁର୍ନୀତି ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ଏରସମା ତହସିଲର ଜପା ପଞ୍ଚାୟତ ଅଧୀନ ବୋତିଗାଁର ପ୍ଲଟ ନଂ-୧୨୫। ଏହି ଜମିର କିସମ ହେଉଛି ହାଟବାଟ। ୨୦୨୪-୨୫ ବର୍ଷରେ କିନ୍ତୁ ଏଠାରେ ଆଳୁଚାଷ କରାଯାଇ ଚାଷୀଙ୍କୁ ସବସିଡି ଦିଆଯାଇଛି।
ପ୍ଲଟ ନଂ, ଖାତା ନଂ ମେଳ ଖାଉନି
ସେହିପରି ଏରସମାର କେ.ସି. ପୁର ପଞ୍ଚାୟତର ଓରନାଳ ପ୍ଲଟ୍ ନଂ-୭୫୪। ଏହି ଜମିର କିସମ ଦଳଗାଡ଼ିଆ। କିନ୍ତୁ ଏଠାରେ ମଧ୍ୟ ଆଳୁଚାଷ କରାଯାଇଛି। ସେହିପରି ଜଗତସିଂହପୁର ତହସିଲ ଆଳିପିଙ୍ଗଳ ପଞ୍ଚାୟତ ଅଢ଼ଙ୍ଗର ପ୍ଲଟ ନଂ-୧୩୫୫, ଖାତା ନଂ-୨୧୭। କିନ୍ତୁ ଏହା ପରସ୍ପର ମଧ୍ୟରେ ମେଳ ଖାଉନି। ୧୩୫୫ ନମ୍ବର ପ୍ଲଟ୍ ହେଉଛି ନୟନଯୋରି। କିନ୍ତୁ ଏଠାରେ ମଧ୍ୟ ୨୦୨୪-୨୫ ବର୍ଷରେ ଆଳୁଚାଷ କରାଯାଇ ଚାଷୀ ଉପକୃତ ହୋଇଛନ୍ତି। ସେହି ଅଞ୍ଚଳର ପ୍ଲଟ୍ ନଂ-୧୨୪୪ରେ କିସମ ହେଉଛି ଜଳାଶୟ। ଆଳୁଚାଷରେ ଚାଷୀ ଉପକୃତ ହୋଇପାରିଛନ୍ତି। ସେହିପରି ବିରିଡ଼ି ତହସିଲର ପୂରଣ ପଞ୍ଚାୟତର ଚାଷୀଖଣ୍ଡ ମୌଜା ଖାତା ନଂ-୩୮୯ ଏବଂ ପ୍ଲଟ ନଂ-୧୨୫୫। ଏହା ପରସ୍ପର ସହ ମେଳ ଖାଉ ନାହିଁ। ପ୍ଲଟ୍ ନଂ-୧୨୫୫ ଜଳସେଚନ ଓ ବିଦ୍ୟୁତ ବିଭାଗ ଅଧୀନରେ ହୋଇଥିବା ବେଳେ କେନାଲ ବନ୍ଧ ରହିଥିବା ଜମି ଲିପିସତ୍ତ୍ବରୁ ଜଣାପଡ଼ିଛି। ସେହିପରି କୁଜଙ୍ଗ ତହସିଲ ଜିଲ୍ଲାନାସୀ ପଞ୍ଚାୟତର ସାହାଡ଼ାବେଦୀ ମୌଜାର ପ୍ଲଟ୍ ନଂ-୫୭୭ କିସମ ହେଉଛି ନଦୀ।
Electric Scooty Fire: ଚାର୍ଜ ଲାଗିଥିବା ବେଳେ ବ୍ୟାଟେରୀ ସ୍କୁଟିରେ ନିଆଁ ଲାଗି ଭସ୍ମୀଭୂତ
ବିଗତ ଦୁଇ ବର୍ଷ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଏ ହେଉଛି ହାତଗଣତି ଉଦାହରଣ। ଯେଉଁଥିରେ ଗଡ଼ିଆ, ନୟନଯୋରି, ନଦୀ, ଜଳାଶୟ, କେନାଲ ବନ୍ଧ, ରାସ୍ତାରେ ଆଳୁଚାଷ ହୋଇଥିବା ନେଇ ତଥ୍ୟ ଆଲୋଡ଼ନ ସୃଷ୍ଟି କରିଛି। ପଟା ଓ ଜମିର ତଥ୍ୟ ଯାଞ୍ଚ କରାଯାଇଥିଲା କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ଏପରିକି ଦୁର୍ନୀତି ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ଦାବି ହୋଇଛି। ୨୦୨୩-୨୪ରେ ହେକ୍ଟର ପିଛା ୨୨ ହଜାର ୬୩୦ ଟଙ୍କା ସବସିଡି ମିଳୁଥିବା ବେଳେ ୨୦୨୪-୨୫ ଓ ୨୫-୨୬ରେ କେଜି ବିହନ ପିଛା ୧୦ ଟଙ୍କାର ସବସିଡି ଦିଆଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ପଚରା ଯାଇଥିଲେ ମଧ୍ୟ ମତାମତ ମିଳିପାରି ନାହିଁ।

3 days ago
4


