ARTICLE AD BOX
ନୂଆଦିଲ୍ଲୀ:ବିମାନବନ୍ଦର ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକୁ ଏୟାରଲାଇନ ଖୋଲିବାକୁ ଅନୁମତି ଦେବା ସମ୍ପର୍କରେ କେନ୍ଦ୍ର ସରକାର ବିଚାର କରୁଥିବା ଖବର ଗତକାଲି ଆସିଥିଲା। ଆଦାନୀ ଓ ଜିଏମ୍ଆର୍ ଗ୍ରୁପ୍କୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିଜର ଏକ ଏୟାରଲାଇନ୍ ଆରମ୍ଭ କରିବା ବିଷୟରେ ଆଦାନୀ ଗ୍ରୁପ୍ ଗମ୍ଭୀରତାର ସହ ବିଚାର କରୁଛି। କମ୍ପାନି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଯେହେତୁ ଏହି ବ୍ୟବସାୟରେ ବ୍ୟୟ ଅଧିକ ଓ କ୍ଷତି ସହିବାର ଆଶଙ୍କା ମଧ୍ୟ ଅଧିକ ରହିଛି ତେଣୁ ଏକ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ କମ୍ପାନି ମାପିଚୁପି ପଦକ୍ଷେପ ନେବାକୁ ଚାହୁଛି। ତେବେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି କମ୍ପାନି ଏୟାରଲାଇନ୍ ଆରମ୍ଭ କରିବାକୁ ମଧ୍ୟ ଚାହୁଛି।
ଗତବର୍ଷ ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଧିକ ନୂଆ ଏୟାରଲାଇନ୍କୁ ଅନୁମତି ଦେବା ପାଇଁ ସରକାର ଯୋଜନା ରଖିଛନ୍ତି। ସେହି ଯୋଜନାର ଅଂଶ ଭାବେ ଆଦାନୀ ଓ ଜିଏମ୍ଆର୍କୁ ବିମାନ ଉଡ଼ାଣ ଅନୁମତି ଦିଆଯାଇପାରେ। ସମ୍ପ୍ରତି ପ୍ରଚଳନରେ ଥିବା ନିୟମ ଅନୁସାରେ ବିମାନବନ୍ଦର ପରିଚାଳନା କରୁଥିବା ସଂସ୍ଥା କୌଣସି ଏୟାରଲାଇନ୍ରେ ୧୦ ପ୍ରତିଶତରୁ ଅଧିକ ଅଂଶଧନ ରଖିପାରିବେ ନାହିଁ। ସରକାର ସେହି ନିୟମ କୋହଳ କରିବାକୁ ଚାହୁଛନ୍ତି।
ବ୍ୟାପକ ନିବେଶ ଆବଶ୍ୟକ
ଭାରତ ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବିମାନ ଚଳାଚଳ ବଜାର। କିନ୍ତୁ ଏହି ବଜାରର ୯୦ ପ୍ରତିଶତ ଅଂଶ ଦୁଇଟି କମ୍ପାନି ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ପାଖରେ ରହିଛି। ଗତବର୍ଷ ଡିସେମ୍ବରରେ ଇଣ୍ଡିଗୋ ନେଟୱର୍କରେ ବିଭ୍ରାଟ ଯୋଗୁଁ ଦେଶର ହଜାର ହଜାର ଯାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ। ସେମାନଙ୍କ ସେହି ଆଧିପତ୍ୟକୁ ଭାଙ୍ଗିବା ଓ ଯାତ୍ରୀମାନଙ୍କୁ ଅଧିକ ବିକଳ୍ପ ଦେବା ଆଶାରେ ସରକାର ଚାହୁଛନ୍ତି ଅଧିକରୁ ଅଧିକ ନୂଆ ଏୟାରଲାଇନ ଖୋଲୁ। କିନ୍ତୁ ବ୍ୟାପକ ନିବେଶ ଆବଶ୍ୟକ ହେଉଥିବାରୁ କୌଣସି ସଂସ୍ଥା ଏହି ବଜାରରେ ପ୍ରବେଶ କରିବାକୁ ଚାହୁନାହାନ୍ତି। ତେଣୁ ବୃହତ୍ ବ୍ୟବସାୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା ଓ ବିମାନ ଚଳାଚଳ କ୍ଷେତ୍ରକୁ ବୁଝୁଥିବା କମ୍ପାନିଗୁଡ଼ିକ ଏୟାରଲାଇନ୍ ଆରମ୍ଭ କରନ୍ତୁ ବୋଲି ସରକାର ଚାହୁଛନ୍ତି।

1 hour ago
1


