Accidental death: ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତି ଘଣ୍ଟାରେ ୨୦ ଜଣଙ୍କ ଜୀବନ ଯାଉଛି: ଗଡକରୀ

4 days ago 4
ARTICLE AD BOX

ନୂଆଦିଲ୍ଲୀ: ଭାରତରେ ସଡ଼କ ଦୁର୍ଘଟଣାର ଭୟାବହ ସ୍ଥିତି ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ଦେଶରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ପ୍ରାୟ ୧.୮ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଅର୍ଥାତ୍‌ ପ୍ରତି ଘଣ୍ଟାରେ ପ୍ରାୟ ୨୦ ଜଣଙ୍କ ଜୀବନ ଯାଉଛି ବୋଲି ସେ କହିଛନ୍ତି। ରୋଗ କିମ୍ବା ଯୁଦ୍ଧ ମଧ୍ୟ ଏଭଳି ଭାବେ ଜୀବନ ନେଉନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ସୋମବାର ନୂଆଦିଲ୍ଲୀରେ ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଆୟୋଜିତ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଗଡକରୀ ଏହି ଚିନ୍ତାଜନକ ତଥ୍ୟ ଦେଇଥିଲେ। ତାଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ୬୬ ପ୍ରତିଶତ ଯୁବକ। ଗତବର୍ଷ କେବଳ ହେଲମେଟ୍‌ ପିନ୍ଧି ନ ଥିବା କାରଣରୁ ୫୪,୧୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୪୫ ପ୍ରତିଶତ ଦୁଇଚକିଆ ଯାନ ଚାଳକ ଓ ଆରୋହୀଙ୍କର ବୋଲି ସେ କହିଛନ୍ତି।

ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ‘ବ୍ଲାକ୍‌ ସ୍ପଟ୍‌’କୁ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ଭାବେ ଗଡକରୀ ଚିହ୍ନଟ କରିଛନ୍ତି। ଏଗୁଡ଼ିକୁ ସୁଧାରିବା ପାଇଁ ସରକାର ୪୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଦେଶର ୧୦୦ଟି ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲାକୁ ଚିହ୍ନଟ କରାଯାଇ ସେଠାରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନିଆଯାଉଛି। ଭାରତରେ ଦୁର୍ଘଟଣା କମାଇବାରେ କେବଳ ରାସ୍ତା ଓ ଯାନବାହନର ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ ନୁହେଁ, ଲୋକଙ୍କ ଆଚରଣରେ ପରିବର୍ତ୍ତନ ଆବଶ୍ୟକ ବୋଲି ଗଡକରୀ କହିଛନ୍ତି। 

Nitin Gadkari: ନୀତିନ ଗଡକରୀଙ୍କ ବଡ଼ ବିଜୟ, ମେଟା, ଏକ୍ସ ଏବଂ ଗୁଗୁଲ୍ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି

ସଡ଼କ ସୁରକ୍ଷା ସଚେତନତା ବଢ଼ାଇବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସଡ଼କ ଦୁର୍ଘଟଣା ଯୋଗୁଁ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ପ୍ରାୟ ୩ ପ୍ରତିଶତ କ୍ଷତି ହେଉଛି ବୋଲି ସେ କହିଛନ୍ତି। ଏହି ଅବସରରେ ଆଇସିଆଇସିଆଇ ଲୋମ୍ବାର୍ଡର ୨୫ ବର୍ଷ ପୂର୍ତ୍ତି ଅବସରରେ ୧୪ଟି ସ୍ଥାନରେ ୧୨ ଘଣ୍ଟା ମଧ୍ୟରେ ୨୫ ହଜାରରୁ ଅଧିକ ଆଇଏସ୍‌ଆଇ ପ୍ରମାଣିତ ହେଲମେଟ୍‌ ବଣ୍ଟନ କରାଯାଇଥିଲା। ସଡ଼କ ସୁରକ୍ଷା ଏକ ସାମୂହିକ ଜାତୀୟ ଦାୟିତ୍ବ ଏବଂ ସରକାର, ସଂସ୍ଥା, ଶିଳ୍ପ ଓ ପ୍ରତ୍ୟେକ ରାସ୍ତା ବ୍ୟବହାରକାରୀଙ୍କ ମିଳିତ ଉଦ୍ୟମରେ ହିଁ ମୃତ୍ୟୁହାର କମାଇ ହେବ ବୋଲି ଗଡକରୀ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.