ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତିଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ନିକଟରେ ମହେନ୍ଦ୍ରତନୟା ନଦୀକୁ ବାଇକ୍ ଖସିପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଦୁଇଟି ବାଇକ୍ରେ ଚାରି ଜଣ ସାଙ୍ଗ ଗଜପତି ଜିଲ୍ଲା ବୁଲିବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଛି।
ଗଞ୍ଜାମ ଜିଲ୍ଲାରୁ ଚାରି ଜଣ ଯୁବକ ଦୁଇଟି ବାଇକ୍ରେ ଗଜପତି ଜିଲ୍ଲାକୁ ଆସିଥିଲେ। ଚନ୍ଦ୍ରଗିରିରେ ବୁଲାବୁଲି କରିବା ପରେ ଜଣେ ସାଙ୍ଗଙ୍କ ଘରେ ରାତ୍ରିଯାପନ କରିଥିଲେ। ବୁଧବାର ସକାଳେ ସେଠାରୁ ମହେନ୍ଦ୍ରଗିରି ଅଭିମୁଖେ ବାହାରିଥିଲେ। ସକାଳ ପ୍ରାୟ ୯ଟାରେ ଜିରାଙ୍ଗ ନିକଟସ୍ଥ ପୋଲ ପାଖରେ ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ମହେନ୍ଦ୍ରତନୟା ନଦୀକୁ ଖସିପଡ଼ିଥିଲା। ଫଳରେ ବାଇକ୍ରେ ଥିବା ଦୁଇ ଜଣ ଯୁବକ ନଦୀକୁ ଖସି ପଡ଼ିଥିଲେ।
ଏହି ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସ୍ୱର୍ଗତ ଦାଶରଥି ଆପଟଙ୍କ ପୁଅ ରାଜକୁମାର ଆପଟ (୨୬)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆହତ ଯୁବକ ହେଲେ ବସନ୍ତ ନାୟକଙ୍କ ପୁଅ ଗଣେଶ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି।
Accident: ଆସାମର ଦିଗାରୁରେ ଟ୍ରେନ୍ ଦୁର୍ଘଟଣା: କୋଲକାତା-ସାଇରଙ୍ଗ ଏକ୍ସପ୍ରେସର ୬ କୋଚ୍ ଲାଇନଚ୍ୟୁତ
ମୃତ ରାଜକୁମାରଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ପୂର୍ବରୁ ବାପାଙ୍କୁ ହରାଇଥିବା ରାଜକୁମାରଙ୍କ ପରିବାରରେ ମା’ ହିଁ ଏକମାତ୍ର ଆଶ୍ରୟ। ମା’ଙ୍କ ଅବସ୍ଥା ମଧ୍ୟ ଶୋଚନୀୟ। ଏଭଳି ସ୍ଥିତିରେ ପୁଅର ଅକାଳ ମୃତ୍ୟୁ ପରିବାରକୁ ଅସହାୟ କରିଦେଇଛି। ଜଣେ ଗରିବ ମା’ ନିଜ ପୁଅକୁ ହରାଇ ଏବେ ଗଭୀର ଶୋକରେ ଭାଙ୍ଗିପଡ଼ିଛନ୍ତି। ଦୁର୍ଘଟଣା ପରେ ଗାରାବନ୍ଧ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

54 minutes ago
1


