ARTICLE AD BOX
ନୂଆଦିଲ୍ଲୀ : ଲିଫ୍ଟ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ପାଇବା ପାଇଁ ପ୍ରଥମେ କାହାର କେତେ ଦୋଷ ତାହା ପ୍ରମାଣ କରିବାକୁ ପଡ଼ିବ ନାହିଁ । ଏପରି ମାମଲାରେ ଦାୟୀ ଥିବା ଯେକୌଣସି ପକ୍ଷଙ୍କଠାରୁ ପୀଡ଼ିତ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବି କରିପାରିବେ । ପରେ ସମ୍ପୃକ୍ତ ପକ୍ଷମାନେ ପରସ୍ପର ମଧ୍ୟରେ ନିଜ ନିଜ ଦାୟିତ୍ବ ନିର୍ଦ୍ଧାରଣ କରିପାରିବେ ବୋଲି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ।
ବିଚାରପତି ପି.ଏସ୍. ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଓଟିସ୍ ଏଲିଭେଟର୍ କମ୍ପାନି (ଇଣ୍ଡିଆ) ଲିମିଟେଡ୍ର ଆବେଦନକୁ ଖାରଜ କରି ୨୦୧୪ରେ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନ୍ସିଡିଆର୍ସି) ଦେଇଥିବା ରାୟକୁ ବଜାୟ ରଖିଛନ୍ତି । ମାମଲାରେ ପୀଡ଼ିତ ପରିବାର ପକ୍ଷରୁ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ମାମଲା ପରିଚାଳନା କରିଥିଲେ ।
Investigation: ଫ୍ରାନ୍ସର ପୂର୍ବତନ ନୌସେନା ପାଇଲଟ୍ଙ୍କ ବିରୋଧରେ ତଦନ୍ତ ଆରମ୍ଭ
ଏହି ମାମଲା ୨୦୦୩ରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ ମୁଖ୍ୟାଳୟରେ ଘଟିଥିବା ଏକ ଲିଫ୍ଟ ଦୁର୍ଘଟଣା ସହ ଜଡ଼ିତ । ଏହି ଦୁର୍ଘଟଣାରେ ପୂର୍ବତନ କୂଟନୀତିଜ୍ଞ ବିପିନ ହାଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ସୁପ୍ରିମ୍କୋର୍ଟ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ୩.୦୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଏନ୍ସିଡିଆର୍ସିଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି । ରାୟରେ ସୁପ୍ରିମ୍କୋର୍ଟ କହିଛନ୍ତି, ଲିଫ୍ଟରେ ସାମାନ୍ୟ ଝଟ୍କା, ହଠାତ୍ ଅଟକିଯିବା କିମ୍ବା ଅସ୍ବାଭାବିକ ଶବ୍ଦ ମଧ୍ୟ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଥାଏ । ତେଣୁ ଲିଫ୍ଟର ସୁରକ୍ଷା କେବଳ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଏହା ଏକ ମୌଳିକ ନିଶ୍ଚିତତା ହେବା ଦରକାର ।
ଶୁଣାଣି ବେଳେ ଓଟିସ୍ କମ୍ପାନି ଯୁକ୍ତି ରଖିଥିଲା ଯେ, ଉଦ୍ଧାର କାର୍ଯ୍ୟ ସମୟରେ ମାନବୀୟ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା । ଭୋଲ୍ଟେଜ୍ର ଉତ୍ଥାନପତନ ସମସ୍ୟା ଦୂର କରିବା ପାଇଁ ଷ୍ଟାବିଲାଇଜର୍ ଲଗାଇବାକୁ କମ୍ପାନି ପୂର୍ବରୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା କରାଯାଇ ନ ଥିଲା । କିନ୍ତୁ ସୁପ୍ରିମ୍କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ ।
ଅଦାଲତ କହିଛନ୍ତି, ଦୁର୍ଘଟଣାକୁ କେବଳ ତାହାର ତତ୍କାଳ କାରଣ ଆଧାରରେ ବିଚାର କରାଯାଇପାରିବ ନାହିଁ । ରେକର୍ଡରୁ ସ୍ପଷ୍ଟ ଯେ, ସମ୍ପୃକ୍ତ ଲିଫ୍ଟରେ ଦୀର୍ଘ ଦିନ ଧରି ତ୍ରୁଟି ଦେଖାଯାଉଥିଲା ଏବଂ ସେ ବିଷୟରେ କମ୍ପାନି ଅବଗତ ଥିଲା । ତେଣୁ ଉପଭୋକ୍ତାଙ୍କ ଉପରେ ଦୋଷ ନିର୍ଦ୍ଧାରଣର ଭାର ଲଦି ଦିଆଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।

3 hours ago
2


