ARTICLE AD BOX
ରଥସ୍ଥିତ ବ୍ରଜନ୍ତଂ ତଂ ମହାବେଦୀ ମହୋତ୍ସବେ
ଯେ ପଶ୍ୟନ୍ତି ମୁଦା ଭକ୍ତ୍ୟା ବାସସ୍ତେଷାଂ ହରେଃ ପଦେ ାା
-ସ୍କନ୍ଦପୁରାଣ-ଉତ୍କଳଖଣ୍ଡ, ୩୩/୫୫
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି–ରତ୍ନବେଦୀରୁ ମହାବେଦୀ ଯାତ୍ରା। ରତ୍ନବେଦୀ ହେଉଛି–ଶ୍ରୀମନ୍ଦିର ଓ ମହାବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର। ଏହି ଯାତ୍ରା ଶ୍ରୀଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ଏକ ଶ୍ରେଷ୍ଠଯାତ୍ରା। କାରଣ, ଏହି ଯାତ୍ରା ନିମନ୍ତେ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ସ୍ବୟଂ ରତ୍ନବେଦୀ ଛାଡ଼ି ଭକ୍ତଜନଙ୍କ ମେଳକୁ ଆସିଥାନ୍ତି। ଏପରି ଆଉ ଗୋଟିଏ ଯାତ୍ରା ହେଉଛି–ସ୍ନାନଯାତ୍ରା। ସେଥିପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଦୁଇଯାତ୍ରାକୁ ତାଙ୍କର ‘ସ୍ବୟଂଲୀଳା’ ବୋଲି କହିଛନ୍ତି।
‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ ଅନୁସାରେ, ରଥଯାତ୍ରା ସମେତ ତାଙ୍କର ଅନ୍ୟାନ୍ୟ ଯାତ୍ରା କିପରି ଭାବରେ ସଂପନ୍ନ ହେବ, ତାହା ‘ଶ୍ରୀପ୍ରତିମା’ ବା ସ୍ବୟଂ ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ। ସେହି ଅନୁସାରେ ସତ୍ୟଯୁଗର ଇନ୍ଦ୍ରଦ୍ୟୁମ୍ନଙ୍କଠାରୁ ଏ ପର୍ଯ୍ୟନ୍ତ ତାଙ୍କର ବିଭିନ୍ନ ଯାତ୍ରା ଉତ୍ସବ ସମେତ ରଥଯାତ୍ରା ବା ରଥୋତ୍ସବ ଅନୁଷ୍ଠିତ ହୋଇଆସୁଛି।
ଏହି ଯାତ୍ରା ଦର୍ଶନ କଲେ ଯେଉଁ ପୁଣ୍ୟ ଫଳ ମିଳେ ସେ ସଂପର୍କରେ ସ୍କନ୍ଦପୁରାଣରେ ବିଶଦ ବର୍ଣ୍ଣନା ରହିଛି। କୁହାଯାଇଛି–ମହାବେଦୀକୁ ଗମନ କାଳରେ, ରଥାରୂଢ଼ ପୁରୁଷୋତ୍ତମ, ବଳଦେବ (ବଳଭଦ୍ର) ଓ ସୁଭଦ୍ରାଙ୍କୁ ଦର୍ଶନ କରି ମାନବ ଯେ କୋଟି ଜନ୍ମାର୍ଜିତ ପାପରାଶିକୁ ବିନଷ୍ଟ କରିଥାଏ, ଏଥିରେ ବିନ୍ଦୁମାତ୍ର ବିଚାର କରିବାର ନାହିଁ। ସେହିପରି ଭଗବାନଙ୍କ ରଥଛାୟା ସ୍ପର୍ଶ କଲେ ବ୍ରହ୍ମହତ୍ୟା ପାପ ବିଦୂରିତ ହୁଏ।
ଶରୀରରେ ରଥଜାତ ରେଣୁ ସଂଲଗ୍ନ ହେଲେ ତ୍ରିବିଧ ପାପପୁଞ୍ଜ ବିନଷ୍ଟ ହୋଇଥାଏ। ଅଧିକନ୍ତୁ ସେହି ବ୍ୟକ୍ତି ସ୍ବର୍ଗୀୟ ଗଙ୍ଗାଜଳରେ ସ୍ନାନ କଲେ ଯେଉଁ ଫଳ ଜାତ ହୁଏ, ସେହି ଫଳ ମିଳେ। ଏହି ପ୍ରସଙ୍ଗରେ କୁହାଯାଇଛି ଉଦ୍ଧୃତ ସୁଭାଷିତ। ଏହାର ଅର୍ଥ ହେଉଛି–ଏହି ମହାବେଦୀ ମହୋତ୍ସବ ସମୟରେ ରଥାରୂଢ଼ ହୋଇ ଯାଉଥିବା ରଥସ୍ଥିତ ଜଗନ୍ନାଥଙ୍କୁ ଯେଉଁମାନେ ଆନନ୍ଦପୂର୍ବକ ଭକ୍ତିଭାବରେ ଦର୍ଶନ କରନ୍ତି, ସେମାନେ ହରିଙ୍କ ପାଦପଦ୍ମରେ ସ୍ଥାନ ପାଇଥାନ୍ତି।

2 months ago
17


