ARTICLE AD BOX
ଗୋଟିଏ ସମୟରେ ଯାହା କେବଳ ସାଇନ୍ସ ଫିକ୍ସନ୍ ବା କାଳ୍ପନିକ କାହାଣୀରେ ସମ୍ଭବ ପରି ଲାଗୁଥିଲା, ଆଜି ତାହା ଭାରତୀୟ ଚିକିତ୍ସା ବିଜ୍ଞାନରେ ବାସ୍ତବ ରୂପ ନେଇଛି। ନୂଆଦିଲ୍ଲୀସ୍ଥିତ ଏମ୍ସର ଡାକ୍ତରମାନେ ଦେଶର ପ୍ରଥମ ‘ଓପନ୍ ଫିଟାଲ୍ ସର୍ଜରି’ ସଫଳତାର ସହ ସମ୍ପନ୍ନ କରିଛନ୍ତି। ୨୫ ସପ୍ତାହର ଗର୍ଭବତୀ ମହିଳାଙ୍କ ଗର୍ଭ ଭିତରେ ଥିବା ଶିଶୁର ଏକ ଜଟିଳ ମେରୁଦଣ୍ଡ ଜନିତ ତ୍ରୁଟିକୁ ଜନ୍ମ ପୂର୍ବରୁ ହିଁ ସଜାଡ଼ି ଦିଆଯାଇଛି।
ଗତ ନଭେମ୍ବର ୧୨ ତାରିଖରେ ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ବିରଳ ଅସ୍ତ୍ରୋପଚାରରେ ୩୦ରୁ ଅଧିକ ବିଶେଷଜ୍ଞ ଡାକ୍ତର ଓ ନର୍ସ ସାମିଲ ହୋଇଥିଲେ। ଏଥିପାଇଁ ୫ ସପ୍ତାହରୁ ଅଧିକ ସମୟ ଧରି ଯୋଜନା, ଅତ୍ୟାଧୁନିକ ଇମେଜିଂ ଓ ଅଭ୍ୟାସ କରାଯାଇଥିଲା। ଗର୍ଭସ୍ଥ ଶିଶୁଟି ଲମ୍ବୋସାକ୍ରାଲ୍ ମାଇଲୋମେନିଙ୍ଗୋସିଲ୍ ନାମକ ଏକ ଗୁରୁତର ଜନ୍ମଗତ ତ୍ରୁଟିରେ ପୀଡ଼ିତ ଥିଲା, ଯାହା ‘ସ୍ପାଇନା ବିଫିଡା’ର ସବୁଠାରୁ ଜଟିଳ ରୂପ ବୋଲି କୁହାଯାଏ। ଗର୍ଭଧାରଣର ପ୍ରାରମ୍ଭିକ ସପ୍ତାହରେ ଶିଶୁର ମେରୁଦଣ୍ଡ ଓ ମସ୍ତିଷ୍କ ଗଠନ କରୁଥିବା ‘ନ୍ୟୁରାଲ୍ ଟ୍ୟୁବ୍’ ସମ୍ପୂର୍ଣ୍ଣ ବନ୍ଦ ହୋଇ ନପାରିଲେ ଏହି ସମସ୍ୟା ଦେଖାଦିଏ। ଏଥିରେ ଶିଶୁର ପିଠିରେ ଏକ ଛିଦ୍ର ରହିଯାଏ ଓ ମେରୁଦଣ୍ଡର ସ୍ନାୟୁଗୁଡ଼ିକ ବାହାରକୁ ବାହାରି ଏକ ଥଳି ପରି ଆକାର ଧାରଣ କରେ। ସାଧାରଣତଃ ଶିଶୁ ଜନ୍ମ ହେବା ପରେ ଏହାର ଅସ୍ତ୍ରୋପଚାର କରାଯାଏ। କିନ୍ତୁ ଗର୍ଭ ଭିତରେ ଥିବା ସମୟରେ ହିଁ ଖୋଲା ସ୍ନାୟୁଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଥାଏ, ଯାହା ପରବର୍ତ୍ତୀ ସମୟରେ ମସ୍ତିଷ୍କରେ ପାଣି ଜମିବା, ଶିଶୁର ଗୋଡ଼ ଚଳପ୍ରଚଳ ଓ ମଳମୂତ୍ର ନିୟନ୍ତ୍ରଣରେ ସମସ୍ୟା ଭଳି ଗୁରୁତର ଜଟିଳତା ସୃଷ୍ଟି କରିଥାଏ। ତେଣୁ ଗର୍ଭ ଭିତରେ ଥିବା ଅବସ୍ଥାରେ ହିଁ ଏହି ତ୍ରୁଟିକୁ ସୁଧାରିବା ଦ୍ୱାରା ଶିଶୁର ସ୍ନାୟୁତନ୍ତ୍ରକୁ ଅଧିକ କ୍ଷତିରୁ ରକ୍ଷା କରାଯାଇ ପାରିଥାଏ।
ଏହି ପ୍ରକ୍ରିୟାରେ ମା’ ଓ ଗର୍ଭସ୍ଥ ଶିଶୁ ଉଭୟଙ୍କ ଜୀବନର ସୁରକ୍ଷା ପ୍ରତି ସମାନ ଧ୍ୟାନ ଦିଆଯାଇଥିଲା। ଅଲ୍ଟ୍ରାସାଉଣ୍ଡ୍ ଓ ଫିଟାଲ୍ ଏମ୍ଆର୍ଆଇ ମାଧ୍ୟମରେ ଶିଶୁର ମେରୁଦଣ୍ଡ ତ୍ରୁଟିର ଠିକ୍ ସ୍ଥାନ ଚିହ୍ନଟ କରାଯାଇଥିଲା। ସ୍ୱତନ୍ତ୍ର ଆନେସ୍ଥେସିଆ ଦିଆଯାଇ ମା’ର ପେଟ ଓ ଗର୍ଭାଶୟରେ ଏକ ଛୋଟ ଅସ୍ତ୍ରୋପଚାର କରାଯାଇଥିଲା, ଯେପରି ଶିଶୁଟି ଗର୍ଭ ଭିତରେ ସୁରକ୍ଷିତ ରହିଥିବ। ହାଇ-ଏଣ୍ଡ୍ ସର୍ଜିକାଲ୍ ମାଇକ୍ରୋସ୍କୋପ୍ ଓ ସୂକ୍ଷ୍ମ ଯନ୍ତ୍ରପାତି ସାହାଯ୍ୟରେ ନ୍ୟୁରୋସର୍ଜନମାନେ ଖୋଲା ମେରୁଦଣ୍ଡକୁ ସତର୍କତାର ସହ ବନ୍ଦ କରିଥିଲେ। ସର୍ଜରି ଶେଷ ହେବା ପରେ ଗର୍ଭାଶୟ ଓ ପେଟକୁ ପୁଣି ସିଲାଇ କରି ବନ୍ଦ କରାଯାଇଥିଲା, ଯେପରି ଶିଶୁଟି ପ୍ରସବ ସମୟ ପର୍ଯ୍ୟନ୍ତ ଗର୍ଭ ଭିତରେ ସ୍ୱାଭାବିକ ଭାବେ ବଢ଼ିପାରିବ। ଏ ପର୍ଯ୍ୟନ୍ତ ଆମେରିକା ଓ ୟୁରୋପର କିଛି ବଛା ବଛା କେନ୍ଦ୍ରରେ ହିଁ ଏଭଳି ଅସ୍ତ୍ରୋପଚାର ଉପଲବ୍ଧ ଥିଲା। ଏମ୍ସ ଦିଲ୍ଲୀର ଏହି ସଫଳତା ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

19 minutes ago
1


