ARTICLE AD BOX
ଇସଲାମାବାଦ :ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ବଲୁଚିସ୍ତାନର ରାଜଧାନୀ କ୍ୱେଟା ସହର ଉପକଣ୍ଠରେ ଅବସ୍ଥିତ ଏକ କୋଇଲା ଖଣିରେ ଗୁରୁବାର ଏକ ଭୟାବହ ବିସ୍ଫୋରଣ ଘଟି ଅତିକମ୍ରେ ୩୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପରେ ଅନ୍ୟ ୧୦ ଜଣ ଶ୍ରମିକ ମାଟି ତଳେ ଫସି ରହିଥିବା ସରକାରୀ ଅଧିକାରୀମାନେ ପ୍ରକାଶ କରିଛନ୍ତି ।
ସରକାରୀ ଖଣି ପରିଦର୍ଶକ ଗନି ବଲୋଚ୍ଙ୍କ ସୂଚନା ଅନୁଯାୟୀ, ଖଣି ମଧ୍ୟରେ ମିଥେନ୍ ଗ୍ୟାସ ଜମା ହୋଇ ରହିବା ଯୋଗୁଁ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ପ୍ରାଦେଶିକ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଏବଂ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ପ୍ରାୟ ୪,୦୦୦ ଫୁଟ ଗଭୀର ମାଟି ତଳେ ଯୁଦ୍ଧକାଳୀନ ଭିତ୍ତିରେ ତଲାସୀ ଓ ଉଦ୍ଧାର ଅପରେସନ ଜାରି ରଖିଛନ୍ତି ।
Flood In Mahanadi: ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ
ଦୁର୍ଘଟଣାର ପ୍ରଥମ କିଛି ଘଣ୍ଟା ମଧ୍ୟରେ ଉଦ୍ଧାରକାରୀ ଦଳ ୭ଟି ମୃତଦେହ ବାହାର କରିଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି ୨୮ଟି ମୃତଦେହ ଉଦ୍ଧାର କରାଯାଇଛି । ଗନି ବଲୋଚ୍ କହିଛନ୍ତି ଯେ ଖଣି ଭିତରେ ଫସିଥିବା ଶେଷ ଶ୍ରମିକଙ୍କୁ ଠାବ କରାଯିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ତେବେ ମିଥେନ୍ ଗ୍ୟାସ ବିସ୍ଫୋରଣ ଯୋଗୁଁ ଭିତରେ ଅମ୍ଳଜାନର ସ୍ତର ଶୂନ୍ୟ ହୋଇଯାଇଥିବାରୁ ଜୀବିତ ଉଦ୍ଧାର ହେବାର ଆଶା କ୍ଷୀଣ ଏବଂ ଉଦ୍ଧାରକାରୀମାନେ ଅତି ସତର୍କତାର ସହ ଭିତରକୁ ପ୍ରବେଶ କରୁଛନ୍ତି ।
ଅନ୍ୟପଟେ କୋଇଲା ଖଣି ଶ୍ରମିକ ସଂଗଠନ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ମାଲିକମାନଙ୍କର ଅବହେଳାକୁ ଦାୟୀ କରାଯାଇଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ପାକିସ୍ତାନର ଏହି ଅନୁନ୍ନତ ପ୍ରଦେଶରେ ବ୍ୟାପକ ବେକାରୀ କାରଣରୁ ହଜାର ହଜାର ଶ୍ରମିକ ନିଜ ଜୀବିକା ପାଇଁ ଅତ୍ୟନ୍ତ ଅସୁରକ୍ଷିତ ସ୍ଥିତିରେ ଥିବା ଖଣି ଶିଳ୍ପ ଉପରେ ନିର୍ଭର କରିଥାନ୍ତି ।

3 hours ago
1


