ARTICLE AD BOX
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବଢ଼ୁଛି ଗେଡ଼ା ଶିଶୁଙ୍କ ସଂଖ୍ୟା। ଜିଲ୍ଲାର ୨୩୩୦ ଅଙ୍ଗନବାଡ଼ି କେନ୍ଦ୍ରରେ ୧୫୮୬୮୮ ପଞ୍ଜୀକୃତ ଶିଶୁଙ୍କ ମଧ୍ୟରୁ ୪୫୬୭ ଶିଶୁ ଦୁର୍ବଳ ତଥା କମ୍ ଉଚ୍ଚତାର। ସେହିପରି ମଧ୍ୟମ ଦୁର୍ବଳ ବର୍ଗରେ ୧୭୯୭୩ ଶିଶୁ ଅଛନ୍ତି। ବୟସ ଅନୁସାରେ ଏହି ଶିଶୁମାନଙ୍କର ଉଚ୍ଚତା ବହୁତ କମ୍ ଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ, ଜଣେ ଶିଶୁର ଉଚ୍ଚତା ନିର୍ଦ୍ଧାରିତ ମାନକଠାରୁ ୩ ଗୁଣରୁ ଅଧିକ କମ୍ ରହେ, ତେବେ ତାକୁ ଗୁରୁତର ଷ୍ଟଣ୍ଟେଡ୍ ବା ଗୁରୁତର ଅପପୁଷ୍ଟିଜନିତ ବାଙ୍ଗରା ଶିଶୁ ଭାବେ ଓ ନିର୍ଦ୍ଧାରିତମାନକ ଠାରୁ ୨ ଓ ୩ ଗୁଣ ମଧ୍ୟରେ ରହିଥିଲେ ମଧ୍ୟମ ଦୁର୍ବଳ ବାଙ୍ଗରା ଚିହ୍ନଟ କରାଯାଏ। ଏଥିପାଇଁ ବିଭିନ୍ନ କାରଣ ମଧ୍ୟରୁ ପ୍ରମୁଖ ସମସ୍ୟା ମୁଖ୍ୟତଃ ଶିଶୁର ଜୀବନର ପ୍ରଥମ ୧ହଜାର ଦିନ (ଗର୍ଭାବସ୍ଥାରୁ ଦୁଇ ବର୍ଷ ପର୍ଯ୍ୟନ୍ତ) ମଧ୍ୟରେ ଦୀର୍ଘ ଦିନ ଧରି ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁଁ ଦେଖାଦେଇଥାଏ ବୋଲି କହିଛନ୍ତି ଡା.ସୁଜିତ ମିଶ୍ର।
ବୟସ ତୁଳନାରେ ଉଚ୍ଚତା କମ୍
ବାଲ୍ୟବିବାହ, ଅପପୁଷ୍ଟି ମୂଳକାରଣ
ପାପଡ଼ାହାଣ୍ଡି ବ୍ଲକ୍ରୁ ସର୍ବାଧିକ ଚିହ୍ନଟ
ପାପଡ଼ାହାଣ୍ଡି ବ୍ଲକ୍ରେ ସର୍ବାଧିକ ୮୦୬ ଗେଡ଼ା ଓ ମଧ୍ୟମ ଦୁର୍ବଳ ବର୍ଗରେ ୨୯୯୮ ଶିଶୁ ଅଛନ୍ତି। ସେହିପରି ଚନ୍ଦାହାଣ୍ଡିରେ ୫୯୮ ଓ ୧୦୪୨, ଡାବୁଗାଁରେ ୯୪ ଓ ୫୩୭, ଝରିଗାଁରେ ୫୫୨ ଓ ୧୯୨୫, କୋଷାଗୁମୁଡ଼ାରେ ୭୩୭ ଓ ୨୪୬୯, ନବରଙ୍ଗପୁରରେ ୪୪୭ ଓ ୧୫୮୮, ନନ୍ଦାହାଣ୍ଡିରେ ୨୩୪ ଓ ୯୭୨, ରାଇଘରରେ ୫୦୪ ଓ ୨୪୬୯, ତେନ୍ତୁଳିଖୁଣ୍ଟିରେ ୨୧୧ ଓ ୧୨୫୫, ଉମରକୋଟରେ ୩୮୪ ଗେଡ଼ା ଓ ୨୭୧୮ ଶିଶୁ ମଧ୍ୟମ ଦୁର୍ବଳ ବର୍ଗର ଅଛନ୍ତି। ଏଭଳି ଶିଶୁ ଜନ୍ମର ପ୍ରମୁଖ କାରଣ ମଧ୍ୟରୁ ବାଲ୍ୟବିବାହ ଅନ୍ୟତମ ବୋଲି ଜଣାପଡ଼ିଛି। ଆର୍ଥିକ ସ୍ଥିତି ଭଲ ନଥିବାରୁ ପ୍ରସବର ଅଳ୍ପ କିଛି ମାସରେ ହିଁ ପ୍ରସୂତି କାମ କରିବାକୁ ବାହାରକୁ ଯାଉଥିବାରୁ ନବଜାତକ ମା’ କ୍ଷୀରରୁ ବଞ୍ଚିତ ହୋଇ କୁପୋଷଣର ଶିକାର ହେଉଛନ୍ତି।
ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ରରେ ରନ୍ଧାଖାଦ୍ୟ ସହିତ ମା’ଙ୍କୁ ଅଣ୍ଡା, ଛତୁଆ, ରାଶି ଲଡ଼ୁ, ଖଜୁରି, ବାଦାମ ଲଡ଼ୁ, ଲାଲ୍ ଚଣା ଦିଆଯାଉଛି। ଆବଶ୍ୟକ କ୍ଷେତ୍ରରେ ପିଲାଙ୍କୁ ଏନ୍ଆର୍ସି କେନ୍ଦ୍ର ପଠାଯାଉଛି ବୋଲି କହିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁଶ୍ରୀ ମିଶ୍ର। ଗର୍ଭାବସ୍ଥାରେ ମା’କୁ ଏବଂ ଜନ୍ମ ପରେ ଶିଶୁକୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଯେପରିକି ଆଇରନ୍, ଜିଙ୍କ୍, ଭିଟାମିନ୍ ନମିଳିବା, ଶିଶୁକୁ ବାରମ୍ବାର ଝାଡ଼ାବାନ୍ତି କିମ୍ବା ପେଟରେ କୃମି ହେବା ଯୋଗୁଁ ଶିଶୁ ବୟସ ତୁଳନାରେ ଉଚ୍ଚତା ଛୋଟ ହୁଏ ବୋଲି କହିଛନ୍ତି ଡାକ୍ତର ମିଶ୍ର।

1 hour ago
1

