ARTICLE AD BOX
ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟକୁ ଲାଗି ରହିଥିବା ମାଣିକଯୋଡ଼ି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଗୋଟିଏ ଶ୍ରେଣୀରେ ପାଠପଢ଼ା ହେଉଥିଲେ ଅନ୍ୟ ଶ୍ରେଣୀର ପିଲାମାନେ ଖେଳୁଛନ୍ତି। ଏଥିପାଇଁ ଅଭିଭାବକମାନେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି। ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ଦେଲେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ଏହି ବିଦ୍ୟାଳୟର ଏମିତି ସମସ୍ୟା ଶିଳ୍ପ ବହୁଳ ଅନୁଗୋଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ଆବଶ୍ୟକ ଶିକ୍ଷକ ଅଭାବରୁ ବହୁ ବିଦ୍ୟାଳୟରେ ସମସ୍ୟା ସୃଷ୍ଟି ହେଉଛି। କେଉଁଠି ୫ଟି ଶ୍ରେଣୀକୁ ୨ ଜଣ ଶିକ୍ଷକ ଅଛନ୍ତି ତ କିଛି ସ୍କୁଲ୍ରେ ୮ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ପାଠପଢ଼ା ଠିକ୍ରେ ହୋଇପାରୁନି। ବଡ଼ କଥା ହେଲା, ଅନୁଗୋଳ ଜିଲ୍ଲାରେ ଏମିତି ୩୫ଟି ବିଦ୍ୟାଳୟ ଅଛି ଯେଉଁଠି ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଓ ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଅନୁଗୋଳ ଜିଲ୍ଲାର ୩୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କ ଭରସାରେ ଚାଲିଛି।
ତାଲିକା ଅନୁଯାୟୀ, ଆଠମଲ୍ଲିକ ବ୍ଲକ୍ର ୩ଟି ବିଦ୍ୟାଳୟ ଏହି ବର୍ଗରେ ରହିଛି। ସେଗୁଡ଼ିକ ହେଲା ଗିରିଡ଼ା ପ୍ରାଥମିକ ବିଦ୍ୟାଳୟ, ସିଆରିନାଳୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ହରିଡ଼ାନାଳୀ ପ୍ରାଥମିକ ବିଦ୍ୟାଳୟ। ସେହିପରି କଣିହାଁ ବ୍ଲକ୍ର ରଞ୍ଜାଗୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ, କିଶୋରନଗର ବ୍ଲକ୍ର ତେନ୍ତୁଳାପାଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ପାଲଲହଡ଼ା ବ୍ଲକ୍ର ବନ୍ଧଭୂଇଁ ଏସ୍ଏସ୍ ଓ ଗଣ୍ଡମଶୁଣୀ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଏହି ତାଲିକାରେ ରହିଛି। ଏମିତି ୩୫ଟି ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକରେ ଚାଲିଥିଲା ବେଳେ ଏକାଧିକ ଶ୍ରେଣୀର ପିଲାଙ୍କୁ ଜଣେ ଶିକ୍ଷକ ପାଠ ପଢ଼ାଇବା ସହ ବିଦ୍ୟାଳୟର ଅନ୍ୟାନ୍ୟ ଦାୟିତ୍ୱ ତୁଲାଇବା କେତେଦୂର ସମ୍ଭବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷାର ଗୁଣବତ୍ତା ପ୍ରଭାବିତ ହେବା ଆଶଙ୍କା ରହିଛି। ଜଣେ ଶିକ୍ଷକ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବା ସମ୍ଭବ ହେଉ ନ ଥିବାରୁ ପିଲାମାନେ ବିଦ୍ୟାଳୟରେ ବସି ବସି ଫେରୁଛନ୍ତି। ଏପଟେ ଶିକ୍ଷକ ଛୁଟିରେ ରହିଲେ ପଡ଼ୋଶୀ ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟ ଚାଲୁଛି। ଏପରିକି ବେଳେ ବେଳେ ବିଦ୍ୟାଳୟରେ ତାଲା ପଡ଼ିବା ପରି ସ୍ଥିତି ଉପୁଜୁଛି। ଏନେଇ ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ କହିଛନ୍ତି, ଶିକ୍ଷକମାନଙ୍କର ପଦୋନ୍ନତି ପରେ ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟକୁ ବଦଳି କରାଯାଇଛି। ଫଳରେ ଏବେ ଜିଲ୍ଲାରେ ୩୫ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ଏହାର ତାଲିକା ପ୍ରସ୍ତୁତ କରି ଶିକ୍ଷକ ନିଯୁକ୍ତି ପାଇଁ ପ୍ରସ୍ତାବ ଦେବାକୁ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଏହି ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତା ଅନୁସାରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।

1 hour ago
1


