ଚିନ୍ମୟ ଚେତନା: ନିଖୋଜ ଶ୍ରୋତାର ସନ୍ଧାନରେ

1 hour ago 1
ARTICLE AD BOX

ଚିନ୍ମୟ ହୋତା 

ସଭାଟିଏ ଆୟୋଜନ କରିବା ଖୁବ୍‌ ସହଜ। ମଞ୍ଚ, ମାଇକ, ବ୍ୟାନର, କେତେଜଣ ବକ୍ତା ଆଉ ଗୋଟିଏ ବିଷୟ- ବାସ୍, ସଭା ପ୍ରସ୍ତୁତ। କିନ୍ତୁ ସଭାରେ ଲୋକଙ୍କୁ ବସାଇବା? ତାହା ସମ୍ପୂର୍ଣ୍ଣ ଅଲଗା ବିଦ୍ୟା। ଆଜିକାଲି ସଭାର ସାଫଲ୍ୟ ବକ୍ତାର ଭାଷଣ ଉପରେ ଯେତେଟା ନିର୍ଭର କରେ, ତା’ଠୁ ଅଧିକ କରିଥାଏ ହଲ୍‌ର କେତେ ଚେୟାର ପୂରଣ ହୋଇଥିଲା, ତା’ର ହିସାବରେ। ଖାଲି ଚେୟାରଗୁଡ଼ିକ ସତେ ଯେମିତି ବକ୍ତାମାନଙ୍କର ଭାଷଣ ବିରୁଦ୍ଧରେ ଗୋଟିଏ ଗୋଟିଏ ନିରବ ଅନାସ୍ଥା ପ୍ରସ୍ତାବ।
ବଡ଼ ବଡ଼ ରାଜନୈତିକ ସଭାରେ ଦୂର ଦୂରାନ୍ତରୁ ନିୟମିତ ପଦ୍ଧତିରେ ଶ୍ରୋତାମାନଙ୍କୁ ଆମଦାନି କରାଯାଏ। କେଉଁ ଦଳର ସଭା ହେଉଛି, ଜଣେ କି ଉଦ୍ଦେଶ୍ୟରେ ରାଜଧାନୀକୁ ଆସିଛି, କେଉଁ ମହାନ ଆଦର୍ଶ ପାଇଁ ଏତେଦୂର ପଥ ପାରି କରି ତାଙ୍କୁ ରାଜଧାନୀକୁ ଅଣାଯାଇଛି- ଏସବୁ ବିଷୟରେ ଆଗନ୍ତୁକମାନଙ୍କର କିଛି ମୁଣ୍ଡ ଖେଳାଇବାର ନାହିଁ। ସେମାନଙ୍କର ହିସାବଟା ଖୁବ୍ ପରିଷ୍କାର: ଠିକ୍‌ଠାକ୍‌ ପାରିଶ୍ରମିକ, ପେଟପୂରା ଖାଦ୍ୟ ଓ ଯାତାୟାତର ବ୍ୟବସ୍ଥା। ପୁଣି ରାଜଧାନୀକୁ ଆସିବା ସହିତ ମନ୍ଦିର, ଚିଡ଼ିଆଖାନା, ପାର୍କ ଓ ଅନ୍ୟ ସବୁ ଦର୍ଶନୀୟ ସ୍ଥାନ ଦେଖିନେବାର ସୁଯୋଗ। ସଭା ହେଲା ଉପଲକ୍ଷ୍ୟ, ଭ୍ରମଣ ହେଲା ଅସଲ ପାଉଣା।
ସାହିତ୍ୟ ସଭାକୁ ଅବଶ୍ୟ ଲୋକଙ୍କୁ ଏମିତି ‘ପ୍ୟାକେଜ’ କରି ଅଣାଯାଏ ନାହିଁ। ଫଳରେ ଅୟୋଜକମାନଙ୍କୁ ନୂଆ ନୂଆ କୌଶଳ ଆବିଷ୍କାର କରିବାକୁ ପଡ଼ିଥାଏ। ଯେମିତି, ସଭା ସାଙ୍ଗରେ କବିତା ପାଠକୁ ଯୋଡ଼ି ଦେବା। ଏଥିରେ ଅନ୍ତତଃ କବିମାନେ ନିଜେ ହିଁ ନିଜର ଶ୍ରୋତା ହେବା ପାଇଁ ହାଜିର ହୁଅନ୍ତି। ଜଣେ କବିତା ପଢ଼ିବେ, ଆଉ ତାଙ୍କର କିଛି ବନ୍ଧୁ, ଶୁଭାନୁଧ୍ୟାୟୀ ଓ ଭବିଷ୍ୟତର କବି ଆସି ଆସନ ଗ୍ରହଣ କରିବେ। ହଲ୍‌ ଭରିଯିବ।
ତେବେ ଏ ବ୍ୟବସ୍ଥାରେ ମଧ୍ୟ ଗୋଟିଏ ଛୋଟ ଧରଣର ସମସ୍ୟା ରହିଛି। ପ୍ରଥମ କବି ଯେତେବେଳେ କବିତା ପଢ଼ିବାକୁ ଯାଆନ୍ତି, ସେତେବେଳେ ହଲ୍‌ ଭର୍ତ୍ତି ଥାଏ। ଦ୍ବିତୀୟ କବି ଉଠିଲା ବେଳକୁ କେତୋଟି ଚେୟାର ଖାଲି। ଏମିତି ଲଗାତାର ହୋଇ ଯିଏ ପୂରା ଶେଷରେ କବିତା ପଢ଼ାର ଦୁର୍ଭାଗ୍ୟ ନେଇ ମଞ୍ଚକୁ ଉଠନ୍ତି, ସେ ସମ୍ମୁଖରେ ଦେଖନ୍ତି ଶ୍ରୋତା କହିଲେ ଜଣେ କି ଦି’ ଜଣ, କିଛି ଆୟୋଜକ ଓ ଗୋଟିଏ ମାଇକ୍ରୋଫୋନ। 
ସାହିତ୍ୟ ସଭାକୁ ଦର୍ଶକ ଆଣିବା ପାଇଁ ଏହା ବ୍ୟତୀତ ଆହୁରି ଅନେକ ଉପାୟ ରହିଛି। ପ୍ରଧାନ ଅତିଥି ନିର୍ବାଚନ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା। କୌଣସି ନାମୀ ସମ୍ପାଦକ କିମ୍ବା ଗଣମାଧ୍ୟମର ମୁଖ୍ୟଙ୍କୁ ପ୍ରଧାନ ଅତିଥି କରି ଡାକିବା ଅତ୍ୟନ୍ତ ବୁଦ୍ଧିମାନର କାମ। ସେ କ’ଣ ଏକୁଟିଆ ଆସିବେ? ସାଙ୍ଗରେ ସାମ୍ବାଦିକ, ରିପୋର୍ଟର, କ୍ୟାମେରା କ୍ରିଉ, ଫଟୋଗ୍ରାଫର- ଗୋଟିଏ ମିଡିଆ ୟୁନିଟ ହାଜର ହୋଇଯିବ। ଏହା ଫଳରେ ଅତିଥିଙ୍କ ଗୁରୁତ୍ୱ ବି ବଢ଼ିବ। ସଭାଗୃହଟି ପୂରିଲା ପୂରିଲା ଭଳି ଦିଶିବ। ଗଣମାଧ୍ୟମରେ ସଭାଟିର ସୁନ୍ଦର କଭରେଜ ବି ମିଳିବ।  ସେମିତି ଆଉ କିଛି ପ୍ରଭାବଶାଳୀ କୌଶଳର ତାଲିକା ତଳେ ଦିଆଗଲା। 
ପ୍ରଥମଟି ହେଲା ସଭା ସ୍ଥାନ ନିର୍ବାଚନ। ଷ୍ଟେସନ ବା ବସ୍‌ଷ୍ଟାଣ୍ଡ ନିକଟବର୍ତ୍ତୀ ଗୋଟିଏ ଶୀତତାପ ନିୟନ୍ତ୍ରିତ ସଭାଗୃହରେ ସଭା କଲେ କିଛି ଦର୍ଶକ ମାହାଳିଆ ମିଳିଯିବେ। ଟ୍ରେନ ଓ ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀମାନେ ବ୍ୟାନର ଦେଖି ଭାବିବେ, ‘‘ଗାଡ଼ି ଆସିବାକୁ ଆହୁରି ଦେଢ଼ଘଣ୍ଟା। ଦେଖିଆସେ ସାହିତ୍ୟ ସଭାଟା କି ଜିନିଷ।’’ ଖରାଦିନ ହେଲେ ତ ଆହୁରି ସୁବିଧା। କିଏ ସାହିତ୍ୟ ପ୍ରେମରେ, ଆଉ କେହି ଏ.ସି. ପ୍ରେମରେ- ସମସ୍ତେ ଆସି ଶୀଘ୍ର ଚେୟାର ଦଖଲ କରିନେବେ। ଶ୍ରୋତାଙ୍କ ଆଖିକୁ ତନ୍ଦ୍ରା ଆସି ଯାଇପାରେ, କିନ୍ତୁ ହଲ୍‌ଟି ତ ପୂର୍ଣ୍ଣ ହୋଇ ରହିଥିବ।
ପୁଣି ଜଣେ ଦୁଇ ଜଣ ଗ୍ଲାମରସ, ଲୋକପ୍ରିୟ ବ୍ୟକ୍ତି କିମ୍ବା ସାମାଜିକ ଗଣମାଧ୍ୟମର ପରିଚିତ ମୁହଁକୁ ମଞ୍ଚରେ ଯଦି ବସେଇ ପାରିଲେ, ତା’ ହେଲେ ଅନେକ କୌତୂହଳୀ ଦର୍ଶକ ଆସି ପହଞ୍ଚିଯିବେ। ସେମାନେ ସାହିତ୍ୟ ଶୁଣିବେ କି ନାହିଁ କହିବା କଷ୍ଟକର, କିନ୍ତୁ ଫୋନରେ ଅନେକ ଫଟୋ ଉଠାଇ ସଭାର ପରିବେଶକୁ ଯେ ଚଳଚଞ୍ଚଳ କରିପକାଇବେ, ଏହା ନିଶ୍ଚିତ ଭାବରେ କୁହାଯାଇପାରେ।
ଶେଷରେ ଅବଶ୍ୟ ରହିଛି, ସେଇ କାଳ କାଳର ବହୁ ପରୀକ୍ଷିତ ଓ ସର୍ବଜନସ୍ବୀକୃତ କୌଶଳ- ସୁନ୍ଦର ଭୋଜନର ବ୍ୟବସ୍ଥା। ବକ୍ତୃତାର ବିଷୟ ଯେତେ ବି ଦୁର୍ବୋଧ୍ୟ ହେଉ ନା କାହିଁକି, ନିମନ୍ତ୍ରଣ ପତ୍ରରେ ଯଦି ଲେଖା ଥାଏ ‘ସଭା ଶେଷରେ ଭୋଜନ’ର ବ୍ୟବସ୍ଥା ଅଛି, ତେବେ ଉପସ୍ଥିତିର ସମ୍ଭାବନା ହଠାତ୍‌ ବଢ଼ିଯାଏ। ସାହିତ୍ୟ ମଣିଷ ମନକୁ ଆକର୍ଷଣ କରେ, ଭୋଜନ ମଣିଷକୁ ଚେୟାରରେ ଧରି ରଖେ।
ଆପଣ କହିପାରନ୍ତି, ରାଜଧାନୀରେ ଏ ସମସ୍ତ କୌଶଳର ପ୍ରୟୋଗ ସତ୍ତ୍ୱେ ସାହିତ୍ୟ ସଭାଗୁଡ଼ିକ କାହିଁକି ଖାଲି ଖାଲି ଜଣାପଡ଼ନ୍ତି। ବିଳାସପୂର୍ଣ୍ଣ ହୋଟେଲରେ ଦାମିକା ଖାଦ୍ୟର ସମ୍ଭାର ବି ଭୁବନେଶ୍ୱରିଆ ଦର୍ଶକଙ୍କୁ ଆଜିକାଲି ଆଉ ଆକର୍ଷିତ କରୁନାହିଁ। ଏଠି ଭଲ ସଭା, ଭଲ ହୋଟେଲ, ଭଲ ଭୋଜନ ତ ସବୁଦିନିଆ ବ୍ୟାପାର ହେଲାଣି। ତେଣୁ ସାହିତ୍ୟର ମାନ ହ୍ରାସ ନୁହେଁ, ସାହିତ୍ୟ ସଭାର ପ୍ରାଚୁର୍ଯ୍ୟ ହିଁ ଏଠି ଶ୍ରୋତା ସଙ୍କଟର କାରଣ।
କିଏ ଜାଣେ ଭବିଷ୍ୟତରେ ହୁଏତ କେହି ଉଦ୍ୟୋଗୀ ସଂଗଠକଙ୍କ ପ୍ରଚେଷ୍ଟାରେ ‘ରାଜଧାନୀ ସାହିତ୍ୟ ସଭା ଶ୍ରୋତା ନିଯୋଗ ସଂସ୍ଥା’ଟିଏ ଗଢ଼ି ଉଠିବ ଓ ସଭା ଆୟୋଜକଙ୍କ ଦୀର୍ଘ ଦିନର ପୀଡ଼ାଦାୟକ ସମସ୍ୟାଟି ସବୁଦିନ ପାଇଁ ଦୂର ହୋଇଯିବ। ପେସାଦାର ସଂସ୍ଥାଟି ଆୟୋଜକଙ୍କ ବଜେଟ ଅନୁଯାୟୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଶ୍ରୋତା ଯୋଗାଇ ଦେବ। ଆୟୋଜକ ବାଛିଥିବା ପ୍ୟାକେଜ ଅନୁଯାୟୀ କରତାଳି, ପ୍ରଶ୍ନୋତ୍ତର ଓ ଶ୍ରୋତାମାନେ ଶେଷ ପର୍ଯ୍ୟନ୍ତ ବସି ରହିବା ଇତ୍ୟାଦି କାମ ପାଇଁ ପୂର୍ବ ନିର୍ଦ୍ଧାରିତ ଦରରେ ସଂସ୍ଥାକୁ ମୂଲ୍ୟ ପଇଠ କରିବେ।
ଭାବନ୍ତୁ ତ, ଏହି ସୁଲଭ ଶ୍ରୋତା ଯୋଗାଣ ବ୍ୟବସ୍ଥାଟି ଆମ ସାହିତ୍ୟର ଉନ୍ନତି ପଥରେ କେତେ ସହାୟକ ହେବ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

Read Entire Article
LEFT SIDEBAR AD

Hidden in mobile, Best for skyscrapers.