ARTICLE AD BOX
ଭୁବନେଶ୍ୱର: ପୁନଃବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିଶ୍ୱସ୍ତରୀୟ ଷ୍ଟୁଡିଓର ଲୋକାର୍ପଣ କରିଥିଲେ। ଏଥି ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମ୍ର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ିବ ନାହିଁ। ଏଥିରେ ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ରହିଛି। ଆଗାମୀ ଦିନରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବଦଳୁଥିବା ସମୟ ଏବଂ ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟୁଡିଓର ନବକଳେବର କରାଯାଇଛି। ଏଠାରେ ଇନ୍ଡୋର୍ ସୁଟିଂ ଫ୍ଲୋର୍, ସ୍ନୋ-ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଓ ପୋଷ୍ଟ-ପ୍ରଡକ୍ସନ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଚଳଚ୍ଚିତ୍ର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ପୁରୁଣା ଫିଲ୍ମ, ପୋଷ୍ଟର, ଫଟୋଗ୍ରାଫ୍ ଏବଂ ଐତିହାସିକ ଦଲିଲଗୁଡ଼ିକୁ ସଂରକ୍ଷିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଆଜିର ଯୁବବର୍ଗ ଅଭିନୟ, ନିର୍ଦ୍ଦେଶନା, ସିନେମାଟୋଗ୍ରାଫି, ଆନିମେସନ୍, ସାଉଣ୍ଡ ଡିଜାଇନ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କାହାଣୀ ଲେଖିବାରେ ବେଶ୍ ଆଗୁଆ ଅଛନ୍ତି। କଳିଙ୍ଗ ଷ୍ଟୁଡିଓ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିବ। ନିଜର ମୌଳିକ କାହାଣୀ, ଲୋକକଥା, ଇତିହାସ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ଆଧାର କରି ସିନେମା ନିର୍ମାଣ କରିବାକୁ ସେ ଆହ୍ୱାନ ଦେଇଥିଲେ।
ମୌଳିକ କାହାଣୀ, ଲୋକକଥାକୁ ଆଧାର କରି ସିନେମା କର: ମୁଖ୍ୟମନ୍ତ୍ରୀ
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ପୁନଃବିକଶିତ କଳିଙ୍ଗ ଷ୍ଟୁଡିଓକୁ ଏକ ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ଭାବରେ ବିକଶିତ କରାଯାଇଛି। ଚଳଚ୍ଚିତ୍ର ଶିଳ୍ପ କେବଳ ମନୋରଞ୍ଜନର କ୍ଷେତ୍ର ନୁହେଁ ବରଂ ଏହା ଏକ ବିଶାଳ ଆର୍ଥିକ ଇକୋସିଷ୍ଟମ୍। ଏଠାରେ ଚଳଚ୍ଚିତ୍ରର ପ୍ରଡକ୍ସନ୍ଠାରୁ ଆରମ୍ଭ କରି ପୋଷ୍ଟ-ପ୍ରଡକ୍ସନ୍ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତା ପୂରଣ କରିବାର ସୁବିଧା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ। ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି)ର ନୂଆ ଅଫିସିଆଲ୍ ପୋର୍ଟାଲକୁ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ବିଧାୟକ ତଥା ବିଶିଷ୍ଟ ସିନେ କଳାକାର ସିଦ୍ଧାନ୍ତ ମହାପାତ୍ର, ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ କଳିଙ୍ଗ ଷ୍ଟୁଡିଓର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
2


