ARTICLE AD BOX
ଯାଜପୁର: ଗତ ସରକାରଙ୍କ ସମୟରେ ଯାଜପୁର ଜିଲ୍ଲାର ଖଣିଜ ପାଣ୍ଠିକୁ ବରବାଦ କରାଯାଇଛି। ଜିଲ୍ଲାପାଳମାନେ ଯାହାକୁ ଯେତେ ଇଚ୍ଛା ଟଙ୍କା ବାଣ୍ଟିଛନ୍ତି। ଖଣିଜ ପାଣ୍ଠିରେ ୩୧୩୬.୨୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୧ରୁ ୨୦୨୪ ଭିତରେ ୧୮୦୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ସେହି ଅର୍ଥରେ ଯେଉଁ ସବୁ ପ୍ରକଳ୍ପ ହୋଇଛି ତାହା ଲୋକଙ୍କ କାମରେ ଆସିନି। ବରଂ ଏହା କେବଳ ଠିକାଦାର ପୋଷିବା ପାଇଁ ବ୍ୟବହାର କରାଯାଇଛି। ନେତାମାନେ ଏହାକୁ ହାତପାଣ୍ଠି ଭଳି ବ୍ୟବହାର କରି ଅଧାରୁ ଅଧିକ ଟଙ୍କା ସାରିଦେଇଛନ୍ତି। ଜିଲ୍ଲାପାଳମାନଙ୍କ ଉପରେ ଚାପ ପ୍ରୟୋଗ କରି ନେତାମାନେ ନିଜ ହିସାବରେ ଏହି ଟଙ୍କା ସବୁ ଖର୍ଚ୍ଚ କରାଇଛନ୍ତି। ଯନ୍ତ୍ରୀ, ନେତା, ଠିକାଦାର ଏଥିରେ ମାଲାମାଲ ହୋଇଥିବାବେଳେ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଖଣିଜ ପାଣ୍ଠିରୁ ଜିଲ୍ଲାର ବିଡିଓମାନଙ୍କ ଜରିଆରେ ୨୫୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି। ତେବେ ବିଡିଓମାନେ ଏହାକୁ ନିଜ ପସନ୍ଦ ଅନୁସାରେ ଖର୍ଚ୍ଚ କରିଛନ୍ତି। ଏବେ ସମସ୍ତ କାର୍ଯ୍ୟର ଅଡିଟ୍ କରାଯାଇ ପ୍ରକଳ୍ପର ସମୀକ୍ଷା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି।
Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା
ପଞ୍ଚାୟତିରାଜ ବିଭାଗରେ ଯୋଜନାର ଅଭାବ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ବ୍ଲକ୍ ପ୍ରଶାସନ କାର୍ଯ୍ୟକାରୀ କରିଥାଏ। ମାତ୍ର ଜିଲ୍ଲା ଖଣିଜ ପାଣ୍ଠିରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ୍କୁ ମୋଟ ୨୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ସୁକିନ୍ଦା ବିଡିଓଙ୍କୁ ସର୍ବାଧିକ ୧୪୮ କୋଟି ୬୮ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଦାନଗଦୀ ବିଡିଓଙ୍କୁ ୧୦୪ କୋଟି ୫୪ ଲକ୍ଷ ଟଙ୍କା ଦିଆଯାଇଛି। ଦୁଇଟି ବ୍ଲକ୍ ସିଧାସଳଖ ଖଣି ପ୍ରଭାବିତ ବ୍ଲକ୍ ହୋଇଥିବାରୁ ଅଧିକ ଅର୍ଥ ଦିଆଯାଇଛି। ତେବେ ଏହାର ଖର୍ଚ୍ଚ ଓ ଏଥିରେ ନିର୍ମାଣ ହୋଇଥିବା ପ୍ରକଳ୍ପକୁ ନେଇ ସନ୍ଦେହ ଉପୁଜିଛି। ଡିଏମ୍ଏଫ୍ ପାଣ୍ଠିରୁ ବଡ଼ଚଣା ବିଡିଓଙ୍କୁ ୪୦ ଲକ୍ଷ, ଦଶରଥପୁର ବିଡିଓଙ୍କୁ ୩ ଲକ୍ଷ, ଧର୍ମଶାଳା ବିଡିଓଙ୍କୁ ୧୦ କୋଟି ୩୮ ଲକ୍ଷ, ଯାଜପୁର ବିଡିଓଙ୍କୁ ୬୫ ଲକ୍ଷ, କୋରେଇ ବିଡିଓଙ୍କୁ ୭୪ ଲକ୍ଷ ଏବଂ ରସୁଲପୁର ବିଡିଓଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯାଇଛି।

1 hour ago
1


