ARTICLE AD BOX
ଆଜିକାଲି ଫିଟନେସ୍ ସଚେତନ ଯୁବପିଢ଼ିଙ୍କ ମଧ୍ୟରେ 'ଜିରୋ-ସୁଗାର' ଡ୍ରିଙ୍କ୍ସର ଚାହିଦା ବେଶ୍ ବଢ଼ିଛି। ସାଧାରଣ ମୃଦୁ ପାନୀୟ ବଦଳରେ ଜିରୋ-ସୁଗାର ପାନୀୟ ପିଇବା ଦ୍ୱାରା କ୍ୟାଲୋରୀ ଓ ଚିନି କମ୍ ହୋଇଥାଏ ବୋଲି ଅନେକ ଭାବନ୍ତି। କିନ୍ତୁ ଏହି ପାନୀୟକୁ ମିଠା କରିବା ପାଇଁ କ’ଣ ବ୍ୟବହାର କରାଯାଏ ଏବଂ ପ୍ରତିଦିନ ଏହାକୁ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ?
ଆହୁରି ପଢ଼ନ୍ତୁ: ବ୍ୟାଙ୍କକ ତୈଳ ଡିପୋରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ, ଆଖପାଖ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ
ମୁମ୍ବାଇର ଜସଲୋକ ହସ୍ପିଟାଲର କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟ ସୋନାଲ ଚନ୍ଦାଲିଆ ଏବଂ ପାନୀୟ ଶିଳ୍ପର ବିଶେଷଜ୍ଞ କରଣ ନୋହରିଆ ଓ ରାଶି ଓବରୟ ଏ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି।
ଜିରୋ-ସୁଗାର ଡ୍ରିଙ୍କ୍ସ ପିଇଲେ ଶରୀରରେ କ’ଣ ହୁଏ?
ଯଦି ଆପଣ ସାଧାରଣ କୋଲଡ୍ରିଙ୍କ୍ସର ଏକ ଛୋଟ ଗ୍ଲାସ୍ ପିଅନ୍ତି, ତେବେ ତା’ ବଦଳରେ ଜିରୋ-ସୁଗାର ଡ୍ରିଙ୍କ୍ସର ଏକ ଛୋଟ ପରିମାଣ ନେବା ଭଲ ବିକଳ୍ପ ହୋଇପାରେ। କିନ୍ତୁ ଯଦି ଆପଣ ପାଣି ବଦଳରେ ଦିନସାରା ଏହାକୁ ପିଇବାରେ ଲାଗନ୍ତି, ତେବେ ଶରୀରରେ କୃତ୍ରିମ ମିଠା ବା 'ନନ୍-ନ୍ୟୁଟ୍ରିଟିଭ୍ ସ୍ୱିଟେନର'ର ମାତ୍ରା ବଢ଼ିଯାଏ।
ରକ୍ତ ଶର୍କରା ଓ ଇନସୁଲିନ୍ ଉପରେ ପ୍ରଭାବ: କୃତ୍ରିମ ମିଠାରେ କ୍ୟାଲୋରୀ ନଥାଏ ଓ ଏହା ସିଧାସଳଖ ରକ୍ତରେ ଶର୍କରା ବଢ଼ାଏ ନାହିଁ। କିନ୍ତୁ ଯଦି ଏଥିରେ ବଲକିଂ ଏଜେଣ୍ଟ ଭାବେ ମାଲଟିଟଲ୍ କିମ୍ବା ମାଲଟୋଡେକ୍ସଟ୍ରିନ୍ ଥାଏ, ତେବେ ଏହା ଲୁକ୍କାୟିତ ଚିନି ଭଳି କାମ କରେ ଏବଂ ରକ୍ତ ଶର୍କରା ଓ ଇନସୁଲିନ୍ ସ୍ତରକୁ ବଢ଼ାଇପାରେ।
ପାଚନ ତନ୍ତ୍ର ଉପରେ ପ୍ରଭାବ: ଅଧିକ ପରିମାଣରେ ଏବଂ ଦୀର୍ଘ ଦିନ ଧରି ଏହି ପାନୀୟ ପିଇଲେ ଏଥିରେ ଥିବା ବଲକିଂ ଏଜେଣ୍ଟ ଯୋଗୁଁ ପେଟର ଭଲ ବ୍ୟାକ୍ଟେରିଆ ସନ୍ତୁଳନ ବିଗିଡ଼ିପାରେ ।
ପ୍ରତିଦିନ କୃତ୍ରିମ ମିଠା ଖାଇବା ସୁରକ୍ଷିତ କି?
ଜିରୋ-ସୁଗାର ପାନୀୟରେ ସାଧାରଣତଃ ଆସପାର୍ଟେମ୍, ସୁକ୍ରାଲୋଜ୍ ଓ ଆସେସଲଫେମ୍ ପୋଟାସିୟମ୍ ଭଳି କୃତ୍ରିମ ମିଠା ବ୍ୟବହାର କରାଯାଏ । ବିଶେଷଜ୍ଞଙ୍କ ମତରେ: ନିର୍ଦ୍ଧାରିତ ଦୈନିକ ସୀମା ମଧ୍ୟରେ ରହି ଏଗୁଡ଼ିକୁ ଗ୍ରହଣ କରିବା ସୁରକ୍ଷିତ। କିନ୍ତୁ ମନେରଖନ୍ତୁ ଯେ ଦିନସାରା ଆମେ ଖାଉଥିବା ଅନ୍ୟାନ୍ୟ ପ୍ୟାକେଟ୍ ଖାଦ୍ୟରେ ମଧ୍ୟ ଏହି ମିଠା ଥାଇପାରେ। କିଡନୀ ରୋଗୀ କିମ୍ବା ରକ୍ତରେ ଅଧିକ ପୋଟାସିୟମ୍ ଥିବା ବ୍ୟକ୍ତିମାନେ 'ଆସେସଲଫେମ୍-କେ' ଠାରୁ ଦୂରେଇ ରହିବା ଉଚିତ। ସେହିପରି ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ 'ସୁକ୍ରାଲୋଜ୍' ଯୁକ୍ତ ପାନୀୟ ଦେବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଜରୁରୀ।
ପ୍ୟାକେଟ୍ କିମ୍ବା କ୍ୟାନ୍ କିଣିବା ପୂର୍ବରୁ ଲେବଲ୍ ପଢ଼ିବେ
ବର୍ତ୍ତମାନ ଯୁବପିଢ଼ି କେବଳ 'କମ୍ ଚିନି' ନୁହେଁ, ବରଂ 'କମ୍ ମିଠା' ଥିବା ପ୍ରାକୃତିକ ପାନୀୟ ଯେପରିକି ଫ୍ଲେଭର୍ଡ ସ୍ପାର୍କଲିଂ ୱାଟର କିମ୍ବା ବିନା ଚିନିର ଚା’ ଆଡ଼କୁ ମୁହାଁଉଛନ୍ତି। ଯେକୌଣସି ପାନୀୟ କିଣିବା ପୂର୍ବରୁ କେବଳ ସାମନା ପଟର ବିଜ୍ଞାପନ ନ ଦେଖି ପଛ ପଟର ଲେବଲ୍ ନିଶ୍ଚୟ ପଢ଼ନ୍ତୁ:
ଭାରତୀୟ ପ୍ୟାକେଟ୍ ଖାଦ୍ୟ ଲେବଲରେ କୃତ୍ରିମ ମିଠା ବିଷୟରେ ଉଲ୍ଲେଖ ରହିବା ବାଧ୍ୟତାମୂଳକ। ଲେବଲରେ ଆଇଏନ୍ଏସ୍ ୯୫୦, ୯୫୧, ୯୫୫ ଭଳି କୋଡ୍ କିମ୍ବା ସୁକ୍ରାଲୋଜ୍, ଆସପାର୍ଟେମ୍ ନାଁ ଲେଖାଅଛି କି ନାହିଁ ଦେଖନ୍ତୁ।
ନୋ ଆଡେଡ୍ ସୁଗାରର ଅର୍ଥ ଜିରୋ ସୁଗାର ନୁହେଁ। ଏଥିରେ ଫଳର ରସ କିମ୍ବା ସର୍ବିଟଲ୍ ଓ ମାଲଟିଟଲ୍ ଭଳି ସୁଗାର ଆଲକୋହଲ୍ ଥାଇପାରେ ।
କେବଳ ୧୦୦ ମିଲିଲିଟରର ତଥ୍ୟ ନ ଦେଖି ପୂରା କ୍ୟାନ୍ ବା ବୋତଲରେ କେତେ ଚିନି, କ୍ୟାଲୋରୀ, ସୋଡିୟମ୍ ଓ କ୍ୟାଫିନ୍ ଅଛି ତାହା ଯାଞ୍ଚ କରନ୍ତୁ। ଜିରୋ-ସୁଗାର ଡ୍ରିଙ୍କ୍ସ ସାଧାରଣ ଚିନିଯୁକ୍ତ ସୋଡ଼ା ଛାଡ଼ିବା ପାଇଁ ଏକ ସାମୟିକ ସିଡ଼ି ହୋଇପାରେ, କିନ୍ତୁ ଏହାକୁ ପାଣି କିମ୍ବା ପ୍ରାକୃତିକ ପାନୀୟର ବିକଳ୍ପ ଭାବେ ପ୍ରତିଦିନ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ ।
ଆହୁରି ପଢ଼ନ୍ତୁ: ହାଇକୋର୍ଟଙ୍କ ବଡ଼ ରାୟ, ଯେକୌଣସି ସମୟରେ ସନ୍ତାନଙ୍କୁ ଘରୁ ବାହାର କରିପାରିବେ ବାପା-ମାଆ

26 minutes ago
1


