ARTICLE AD BOX
ସାନା: ୟେମେନର ସାନା ପ୍ରଦେଶରେ ସାଉଦି ନେତୃତ୍ୱାଧୀନ ମେଣ୍ଟର ଏୟାର ଷ୍ଟ୍ରାଇକ୍ରେ ୧୩ ଶିଶୁ ଏବଂ ଆଠ ମହିଳାଙ୍କ ସମେତ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ହୁତି ଅଧିକାରୀମାନେ ଏନେଇ ଦାବି କରିଛନ୍ତି। ଏହି ଆକ୍ରମଣରେ ୩୯ ଜଣ ଆହତ ହୋଇଛନ୍ତି। ହୁତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅନିସ୍ ଅଲ୍-ଆସବାହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ସାଉଦି ନେତୃତ୍ୱାଧୀନ ମିଳିତ ମେଣ୍ଟ ୟେମେନର ରାଜଧାନୀ ସାନାର ପୂର୍ବରେ ଥିବା ଅଲ୍-ସାରିଆ ଗ୍ରାମକୁ ଟାର୍ଗେଟ କରିଛନ୍ତି।
ଆକ୍ରମଣ ପରେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ବିମାନଗୁଡ଼ିକ ଉଦ୍ଧାର କର୍ମୀଙ୍କୁ ଟାର୍ଗେଟ କରି ଦୁଇଥର ଆକ୍ରମଣ କରିଥିଲେ। ଅଲ୍-ଆସବାହି କହିଛନ୍ତି, ମୃତକଙ୍କ ମଧ୍ୟରେ ୧୨ ପୁରୁଷ, ଆଠ ମହିଳା ଏବଂ ୧୩ ଶିଶୁ ଅଛନ୍ତି। ଆହତଙ୍କ ମଧ୍ୟରେ ୧୬ ପୁରୁଷ, ୧୦ ମହିଳା ଏବଂ ୧୩ ଶିଶୁ ଅଛନ୍ତି।
ଟାର୍ଗେଟ କରି ଦୁଇଥର ଆକ୍ରମଣ
ଇରାନ ସମର୍ଥିତ ହୁତି ଗୋଷ୍ଠୀର ଅଲ-ମାସିରା ଟିଭି ମଧ୍ୟ ଆକ୍ରମଣର ଏକ ଭିଡିଓ ପ୍ରସାରଣ କରିଛି। ଚ୍ୟାନେଲ ଅନୁଯାୟୀ, ଭିଡିଓଟି ଅଲ-ସାରିଆ ଗାଁରେ ସୁଟିଂ କରାଯାଇଥିଲା। ଏଥିରେ ଆକ୍ରମଣ ସ୍ଥାନରୁ ଧୂଆଁ ଉଠୁଥିବା, ନିକଟରେ ଥିବା ଭଗ୍ନାବଶେଷ ଗଦା ଏବଂ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଦେଖାଯାଇଛି। ସାଉଦି ଆରବ ଆକ୍ରମଣର ଦାବି ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ।
ୟେମେନରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସରକାରଙ୍କ ସମର୍ଥନରେ ଲଢୁଥିବା ସାଉଦି ଆରବ ବିମାନ ଆକ୍ରମଣର ରିପୋର୍ଟ ଉପରେ ନୀରବ ରହିଛି। ଦେଶରେ ପୁଣି ଥରେ ଗୃହଯୁଦ୍ଧ ଆରମ୍ଭ ହେବା ମଧ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜାତିସଂଘ ଅନୁଯାୟୀ, ୟେମେନରେ ସଂଘର୍ଷ ପୁଣି ଆରମ୍ଭ ହେବା ପରଠାରୁ ୧୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି, ଯେତେବେଳେ ୩ ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି।

5 days ago
3


