ARTICLE AD BOX
ଓରେଗନ୍ (ଆମେରିକା): ଚଳିତ ବିଶ୍ବ ୨୦ ବର୍ଷରୁ କମ୍ ଦୌଡ଼କୁଦ ହାଇଜମ୍ପ୍ରେ ଭାରତୀୟ ଖେଳାଳି ବସନ୍ତ କୁମାର ମେଘୱାଲଙ୍କୁ ଐତିହାସିକ ରୌପ୍ୟ ପଦକ ମିଳିଛି। ଫଳରେ ବସନ୍ତ ପ୍ରଥମ ଭାରତୀୟ ଭାବେ ବିଶ୍ବ ୨୦ ବର୍ଷରୁ କମ୍ ଦୌଡ଼କୁଦ ପ୍ରତିଯୋଗିତାର ହାଇଜମ୍ପ୍ରେ ପ୍ରଥମ ପଦକ ଜିତିବାରେ ଗୌରବ ଅର୍ଜନ କରିଛନ୍ତି। ୧୯ ବର୍ଷୀୟ ବସନ୍ତ ବ୍ୟକ୍ତିଗତ ଶ୍ରେଷ୍ଠ ଜମ୍ପ୍ ୨.୨୧ ମିଟର ସହ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଅଲ୍ଜେରିଆର ୟୁନେସ ଆୟାଚି ସ୍ବର୍ଣ୍ଣ ଓ ଗ୍ରେଟ୍ ବ୍ରିଟେନ୍ର ଓଟିସ୍ ପୁଲେ କାଂସ୍ୟ ଜିତିଥିଲେ। ବସନ୍ତ ପୂର୍ବତନ ଭାରତର ମହିଳା ହାଇଜମ୍ପ୍ ରେକର୍ଡଧାରୀ ସାହାନା କୁମାରୀଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ ପ୍ରଶିକ୍ଷଣରେ ବସନ୍ତ ପୂର୍ବ ବ୍ୟାକ୍ତିଗତ ଶ୍ରେଷ୍ଠ ଜମ୍ପ୍ଠୁ ୧୦ ସେଣ୍ଟିମିଟର ଅଧିକ ଜମ୍ପ୍ କରିବାରେ ସଫଳ ହୋଇଛନ୍ତି।
ଲଙ୍ଗ୍ଜମ୍ପ୍ରେ ଶାହନୱାଜ ଖାନ୍ କାଂସ୍ୟ ଯୋଡ଼ି ଦେଶ ପାଇଁ ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ ଆଣିଛନ୍ତି। ଫଳରେ ଚଳିତ ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା ୩ (୨ ରୌପ୍ୟ, ୧ କାଂସ୍ୟ)ରେ ପହଞ୍ଚିଛି।ପୂର୍ବରୁ ଜାଭ୍ଲିନ୍ରେ ଆଶିଷ ଯାଦବ ରୌପ୍ୟ ପଦକ ଜିତିଥିଲେ।ଲଙ୍ଗ୍ଜମ୍ପ୍ ଫାଇନାଲ୍ରେ ୧୮ ବର୍ଷୀୟ ଶାହନୱାଜ ୭.୮୪ ମିଟର ଡେଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫାଇନାଲ୍ରେ ପହଞ୍ଚିଥିବା ଆଉ ଜଣେ ଭାରତୀୟ ଆର୍ସି ଜିତିନ ଅର୍ଜୁନାନ୍ (୭.୫୯ ମିଟର) ଅଷ୍ଟମ ସ୍ଥାନରେ ରହିଥିଲେ। ଇଟାଲିର ଡାନିଏଲ ଏଞ୍ଜୋଲି (୭.୯୭ ମିଟର) ଓ ଅଷ୍ଟ୍ରେଲିଆର ମାସୁନ ମ୍ୟାକ୍ଗ୍ରଡର (୭.୯୬ ମିଟର) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ।
BWF World Tour Winner: ଅସ୍ମିତାଙ୍କ ପ୍ରଥମ ବିଡବ୍ଲ୍ୟୁ ଟୁର୍ ମୁକୁଟ: ଜିତିଲେ କୋରିଆ ମାଷ୍ଟର୍ସ

6 days ago
3


