ARTICLE AD BOX
୧୪୯ ଜଣଙ୍କୁ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର, ୧୦୨ ଜଣଙ୍କ ପ୍ରସବ
ଛତ୍ରପୁର (ବସନ୍ତ କୁମାର ମହାରଣା): ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳାଙ୍କ ସୁରକ୍ଷା ନିମନ୍ତେ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରସବ ତାରିଖ ଥିବା ମହିଳାଙ୍କୁ ଆଗୁଆ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ନେବା ପ୍ରକ୍ରିୟା ଜୋରଦାର କରାଯାଇଛି। ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ମୋଟ ୧୧୫୦ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧୪୯ ଜଣଙ୍କୁ ମା’ ଗୃହ ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୦୨ ଜଣଙ୍କର ସଫଳ ପ୍ରସବ ହୋଇଛି।
ପ୍ରଶାସନିକ ତଥ୍ୟ ଅନୁଯାୟୀ, ଧରାକୋଟ ଓ ଖଲ୍ଲିକୋଟ ବ୍ଲକରେ ସର୍ବାଧିକ ୧୯ ଜଣ ଲେଖାଏଁ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜଗନ୍ନାଥପ୍ରସାଦ ଓ ପୁରୁଷୋତ୍ତମପୁର ବ୍ଲକରୁ ୧୪ ଜଣ ଲେଖାଏଁ ଏବଂ ପାତ୍ରପୁର ବ୍ଲକରୁ ୯ ଜଣଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୭୪ ଜଣ ଗର୍ଭବତୀ ଚିହ୍ନଟ ହୋଇଥିବାବେଳେ ୬ ଜଣଙ୍କୁ ସ୍ଥାନାନ୍ତର ଏବଂ ୬ ଜଣଙ୍କର ପ୍ରସବ ହୋଇଛି। ଅନ୍ୟପକ୍ଷରେ ବୁଗୁଡ଼ା, ଗଞ୍ଜାମ, ହିଞ୍ଜିଳିକାଟୁ ଓ କୁକୁଡ଼ାଖଣ୍ଡି ବ୍ଲକରେ ଏପର୍ଯ୍ୟନ୍ତ କୌଣସି ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇନାହିଁ।
ବିଶେଷକରି ଦୁର୍ଗମ ଓ ବନ୍ୟାପ୍ରବଣ ଅଞ୍ଚଳର ଗର୍ଭବତୀଙ୍କ ସୁରକ୍ଷା ଉପରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବା ଦୁର୍ଗମ ଗ୍ରାମରୁ ୧୭ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ପାତ୍ରପୁର ବ୍ଲକର ୪ ଜଣ ଓ ଧରାକୋଟ ବ୍ଲକର ୨ ଜଣଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ସେହିପରି ୧୦ଟି ବ୍ଲକର ବନ୍ୟାପ୍ରବଣ ଅଞ୍ଚଳରୁ ୫୦ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଧରାକୋଟ ବ୍ଲକରୁ ସର୍ବାଧିକ ୬ ଜଣ, ସାନଖେମୁଣ୍ଡିରୁ ୪ ଜଣ, ଶେରଗଡ଼ରୁ ୨ ଜଣ ଏବଂ ଆସିକା ଓ ପୁରୁଷୋତ୍ତମପୁରରୁ ଜଣେ ଲେଖାଏଁ ଗର୍ଭବତୀଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି।
ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଯେପରି କୌଣସି ଗର୍ଭବତୀ ମହିଳା ଚିକିତ୍ସା ସେବାରୁ ବଞ୍ଚିତ ନହୁଅନ୍ତି ଏବଂ ପ୍ରସବ ସମୟରେ ଯାତାୟାତଜନିତ ସମସ୍ୟା ନଉପୁଜେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ବ୍ୟବସ୍ଥା ସହ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଉଛି।

18 minutes ago
1


