ARTICLE AD BOX
ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଓ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ କର୍ପୋରେସନ୍ର ମିଳିତ ସହଯୋଗରେ ଆଜି ଏକ ଏକଦିବସୀୟ କ୍ଷମତା ବିକାଶ କର୍ମଶାଳା ଆୟୋଜିତ ହୋଇଛି।
କର୍ମଶାଳାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ପାଇଁ 'ରାଜସ୍ୱ ମଡେଲ' ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହା ମାଧ୍ୟମରେ ୟୁବିଏଲ୍ମାନେ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନରହି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ନିଜ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ସୁଦୃଢ଼ କରିପାରିବେ। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ଏବଂ ୨୦୪୭ର ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣରେ ଓଡ଼ିଶାକୁ ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ପୌରସଂସ୍ଥାର ଅଧିକାରୀମାନଙ୍କୁ ସେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ କହିଥିଲେ ଯେ, ରାଜ୍ୟର ସହରାଞ୍ଚଳର ରୂପାନ୍ତରଣ ଦିଗରେ ଏହି କ୍ଷମତା ବିକାଶ କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ସ୍ଥାନୀୟ ନିକାୟ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକୁ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ହାସଲ କରିବାରେ ସକ୍ଷମ କରିବା।
ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୧୫ ଏପ୍ରିଲ ୨୦୨୬ରେ ଆରମ୍ଭ ହୋଇଥିବା ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ଏହି ଯୋଜନାରେ ଅନୁମୋଦିତ ପ୍ରକଳ୍ପ ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୂନ ୫୦ ପ୍ରତିଶତ ଅର୍ଥ ଋଣ, ମ୍ୟୁନିସିପାଲ ବଣ୍ଡ କିମ୍ବା ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ମାଧ୍ୟମରେ ସଂଗ୍ରହ କରାଯିବ।
ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ମଲିକଙ୍କ ପରଲୋକ
ବାକୁଠାରେ ଆୟୋଜିତ ୱାର୍ଲ୍ଡ ଅର୍ବାନ ଫୋରମ୍ ଅବସରରେ ଓଡ଼ିଶା ସରକାର ଓ HUDCO ମଧ୍ୟରେ ହୋଇଥିବା ସହଯୋଗୀତା ଚୁକ୍ତି ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅର୍ଥାୟନ ଓ ପ୍ରସ୍ତୁତିକରଣକୁ ସୁଦୃଢ଼ କରାଯାଉଛି। ଏହି ସହଯୋଗ ଅନୁଯାୟୀ HUDCO ପ୍ରକଳ୍ପ ମୂଲ୍ୟାଙ୍କନ, ଆର୍ଥିକ ସଂରଚନା, ଋଣ ସଂଗ୍ରହ ଏବଂ Urban Invest Window (UiWIN) ମାଧ୍ୟମରେ ବ୍ୟାଙ୍କଯୋଗ୍ୟ ପ୍ରକଳ୍ପ ପ୍ରସ୍ତୁତିରେ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରୁଛି।
ଓଡ଼ିଶା UCFର ପ୍ରଥମ ପର୍ଯ୍ୟାୟରେ ₹୪,୨୬୨ କୋଟି ମୂଲ୍ୟର ୧୨ଟି ପ୍ରକଳ୍ପ ନ୍ୟାସନାଲ ଆପେକ୍ସ କମିଟି ନିକଟରେ ଦାଖଲ କରିଛି। ଏଥିରେ ଡ୍ରେନେଜ୍ ବ୍ୟବସ୍ଥା, ସହରାଞ୍ଚଳ ପୁନଃବିକାଶ, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର, ପରିବହନ, ୱାଟରଫ୍ରଣ୍ଟ ବିକାଶ ଏବଂ ବର୍ଜ୍ୟଜଳ ପରିଚାଳନା ଭଳି ପ୍ରାଥମିକତା କ୍ଷେତ୍ରଗୁଡ଼ିକ ସାମିଲ ରହିଛି। ନ୍ୟାସନାଲ ଆପେକ୍ସ କମିଟି ଦ୍ୱାରା ରାଜ୍ୟର ଚାରିଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

1 hour ago
1


