Workshop: ଖଣିଅଞ୍ଚଳରେ ରାଜ୍ୟସ୍ତରୀୟ କର୍ମଶାଳା; ପ୍ରଶିକ୍ଷଣ ଦେଲେ ଖଣି ସୁରକ୍ଷା ନିର୍ଦ୍ଦେଶକ

3 hours ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଧାନବାଦ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଭୁବନେଶ୍ବର ଜୋନ ଆନୁକୂଲ୍ୟରେ ଇମ୍ଫା ସହଭାଗିତାରେ କାଳିଆପାଣି ମହାଗିରି ଏନକ୍ଲେଭ୍ ପ୍ରେକ୍ଷାଳୟରେ ୨ ଦିନିଆ ରାଜ୍ୟସ୍ତରୀୟ ଖଣି ସୁରକ୍ଷା କର୍ମଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି। କାଳିଆପାଣି ଖଣିଅଞ୍ଚଳରେ ପ୍ରଥମେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କର୍ମଶାଳକୁ ଖଣି ସୁରକ୍ଷା ନିର୍ଦ୍ଦେଶକ(ଡିଏମ୍‌ଏସ୍‌) ଅବନୀଶ କୁମାର ମିଶ୍ର ଉଦ୍‌ଘାଟନ କରି ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ।

ଖଣି ସୁରକ୍ଷା ଉପନିର୍ଦ୍ଦେଶକ ନିଲ୍ଲୀପ ମଲ୍ଲିକ, ସତ୍‌ନା ଏକେଏସ୍‌ ବିଶ୍ବବିଦ୍ୟାଳୟର ଯାନ୍ତ୍ରିକ ଓ ବୈଷୟିକ ବିଭାଗ ମୁଖ୍ୟ(ଡିନ) ଡ. ଜ୍ଞାନୀନ୍ଦ୍ର କୁମାର ପ୍ରଧାନ ଓ ଭୁବନେଶ୍ବର ସିଏମ୍‌ପିଡିଆଇର ଖଣି ପ୍ରବନ୍ଧକ ପ୍ରୀତରଞ୍ଜନ ସିଂହ ପ୍ରଶିକ୍ଷକ ଭାବେ ଖଣି ସୁରକ୍ଷାର ବିଭିନ୍ନ ଦିଗ‌କୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଥମ ଦିନରେ ଶିଳ୍ପ ସଂପର୍କ ସଂହିତା-୨୦୨୦, ସାମାଜିକ ନିରାପତ୍ତା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ସଂହିତା-୨୦୨୦ ବ୍ୟାଖ୍ୟା କରାଯାଇଥିଲା।

୧୯୫୨ ମସିହାର ଶିଳ୍ପ ସଂହିତା ଆଧାରରେ ତୁଳନାତ୍ମକ ଚିତ୍ର ଅବତାରଣା କରାଯାଇ ସବୁ ଖଣିରେ ବିଧିବଦ୍ଧ ଭାବେ ଶ୍ରମ ସଂହିତା-୨୦୨୦ ଅନୁପାଳନ ପାଇଁ ଡିଡିଏମ୍‌ଏସ୍ ଶ୍ରୀ ମଲ୍ଲିକ ଗୁରୁତ୍ବାରୋପ କରିଥିଲେ। ଇମ୍ଫାର ଖଣିଜ ଉତ୍ପାଦନ ପରିଚାଳନା ମୁଖ୍ୟ ବରିଷ୍ଠ ମହାପ୍ରବନ୍ଧକ ଇଂ ଲଲାଟେନ୍ଦୁ ମହାପାତ୍ର ଖଣିରେ ସୁରକ୍ଷା ସୁଦୃଢ଼ୀକରଣ ଅପରିହାର୍ଯ୍ୟ ଦର୍ଶାଇ ଏ ଦିଗରେ ଖଣି କର୍ତ୍ତୃପକ୍ଷ ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ। ସତ୍‌ନା ଏକେଏସ୍‌ ବିଶ୍ବବିଦ୍ୟାଳୟ ସହଭାଗିତାରେ ଅନୁଷ୍ଠିତ ଆଜିର କର୍ମଶାଳା ‘ଖଣିରେ ବିସ୍ଫୋରକର ନିରାପଦ ବ୍ୟବହାର’ ଶୀର୍ଷକ ଉପରେ ପର୍ଯ୍ୟବେସିତ ଥିଲା।

ଏଥିରେ ବିସ୍ଫୋରଣ(ବ୍ଲାଷ୍ଟିଂ) ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନ, ସୁରକ୍ଷା ମାନଦଣ୍ଡ, ଦୁର୍ଘଟଣା ନିବାରଣ, ଡିଜିଟାଲ୍‌ ବ୍ଲାଷ୍ଟିଂ ସିଷ୍ଟମ, ସ୍ବୟଂଚାଳନ ଓ ଶିଳ୍ପକ୍ଷେତ୍ର ଶ୍ରେଷ୍ଠ ଅଭ୍ୟାସ ଉପରେ ବିଭାଗୀୟ ମୁଖ୍ୟ(ଡିନ) ଡ. ପ୍ରଧାନ ବିଭିନ୍ନ ଉଦାହରଣ ଓ ଘଟଣାକ୍ରମ ଉପସ୍ଥାପନ କରି କ୍ରିୟାଶୀଳ ଖଣିରେ ସର୍ବଦା ସଜାଗ ରହି ସୁରକ୍ଷା ପଦ୍ଧତିର ବିସ୍ତୃତ ଆଲୋଚନା କରିଥିଲେ। ଇମ୍ଫା ଖଣି ଓ ବ୍ୟବସାୟୀକ ମୁଖ୍ୟ ଇଂ ସନ୍ଦୀପ ବାପୁରାଓଜୀ ନାରାଡ଼େ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ସହଆୟୋଜକ ଇମ୍ଫା ଅତିରିକ୍ତ ମହାନଦୀ କୋଇଲା କ୍ଷେତ୍ର(ଏମ୍‌ସିଏଲ୍‌), ଓଡ଼ିଶା ଖଣି ନିଗମ, ଟାଟାଷ୍ଟିଲ, ବେଦାନ୍ତ-ଫେକର, ଜିନ୍ଦଲ ଷ୍ଟେନଲେସ ଖଣି କର୍ତ୍ତୃପକ୍ଷ ଓ ପ୍ରାଧିକୃତ ବିସ୍ଫୋରକ ଯୋଗାଣକାରୀ ସଂସ୍ଥା ଓରିକା କମ୍ପାନି କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟର ୧୫ରୁ ଅଧିକ ଜିଲ୍ଲାରେ ଥିବା ୨୫ ରୁ ଅଧିକ ଖଣିର ଶତାଧିକ ଖଣି ସୁରକ୍ଷା ଅଧିକାରୀ ଓ ଖଣିଯନ୍ତ୍ରୀ ଏବଂ ବିସ୍ଫୋରକ ଅଧିକାରୀ ଓ ସହକର୍ମୀ ଯୋଗଦେଇ ଉତ୍ତମ ଅଭ୍ୟାସ ସଂପର୍କିତ ଅନୁଭୂତି ବିନିମୟ କରିଥିଲେ। ଫେକର-ବେଦାନ୍ତ ଖଣିମୁଖ୍ୟ ଇଂ ମୁଥୁମାରି ମଲାଇଚାମି ଓ ଟାଟାଷ୍ଟିଲ(ଏଫ୍‌ଏଏମ୍‌ଡି) ଖଣିମୁଖ୍ୟ ଇଂ ଶମ୍ଭୁନାଥ ଝା ଉପସ୍ଥିତ ଥିଲେ। ଶେଷ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇମ୍ଫା ଖଣିର ଉପମହାପ୍ରବନ୍ଧକ ଇଂ ଜଳନ୍ଧର ପାତ୍ର ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.