ARTICLE AD BOX
ଇତିହାସର ପୃଷ୍ଠା ଓଲଟାଇଲେ ଅନେକ ସମୟରେ ଆମେ ଜଣେ ପୁରୁଷଙ୍କ ପାଖରେ ଅଟକିଯାଉ। ହୁଏତ ସେ ଜଣେ ବିଖ୍ୟାତ ଯୋଦ୍ଧା ବା ରାଜା ଯିଏ ଅନେକ ରାଜ୍ୟ ଜୟ କରିଛନ୍ତି, ସାମ୍ରାଜ୍ୟ ଗଠନ କରିଛନ୍ତି ଓ ନିଜ ସୁଶାସନ କୃତିତ୍ବକୁ ନେଇ ଶିଳାଲେଖା ନିର୍ମାଣ କରିଛନ୍ତି। ସେମିତି ନାରୀମାନେ ମଧ୍ୟ ପଛରେ ନାହାନ୍ତି। ଅନେକ ଅସାଧାରଣ ନାରୀଙ୍କ କୀର୍ତ୍ତି ଐତିହାସିକ ସ୍ମାରକୀ ଭାବେ କାଳକାଳ ଧରି ସଭିଙ୍କୁ ଅନୁପ୍ରାଣିତ କରୁଛି। ସେମାନଙ୍କୁ ଆଉ ଥରେ ମନେପକାଇବା ପାଇଁ ସୁଯୋଗଟିଏ ତିଆରି ହୋଇଛି। ଏହି ସ୍ମାରକଗୁଡ଼ିକ କେବଳ ପର୍ଯ୍ୟଟନ ସ୍ଥଳ ନୁହେଁ, ବରଂ ନାରୀ ସଶକ୍ତୀକରଣର ଜୀବନ୍ତ ପ୍ରତୀକ।
ଷ୍ଟାଚ୍ୟୁ ଅଫ୍ ଲିବର୍ଟି- ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ବିଶ୍ୱର ସବୁଠାରୁ ପ୍ରସିଦ୍ଧ ସ୍ମାରକୀମାନଙ୍କ ମଧ୍ୟରୁ ଗୋଟିଏ। ଏହା ଜଣେ ମହିଳାଙ୍କ ରୂପରେ ‘ଲେଡି ଲିବର୍ଟି’ଙ୍କୁ ଦର୍ଶାଏ ଯିଏ ସ୍ୱାଧୀନତା, ଆଶା, ସମାନତା ଏବଂ ଗଣତନ୍ତ୍ରର ପ୍ରତୀକ। ତାଙ୍କ ଡାହାଣ ହାତରେ ଥିବା ଜ୍ୱଳନ୍ତ ମଶାଲ ଜ୍ଞାନ ଓ ସ୍ୱାଧୀନତାର ଆଲୋକକୁ ସୂଚିତ କରେ, ଏବଂ ବାମ ହାତରେ ଥିବା ଫଳକ ଆଇନ ଓ ନ୍ୟାୟର ପ୍ରତୀକ। ପାଦ ତଳେ ଥିବା ଭଙ୍ଗା ଶୃଙ୍ଖଳ ଅତ୍ୟାଚାର ଓ ଦାସତ୍ୱରୁ ମୁକ୍ତିକୁ ପ୍ରକାଶ କରେ। ଏହି ସ୍ମାରକ ମହିଳାଙ୍କ ଶକ୍ତି, ସାହସ, ମର୍ଯ୍ୟାଦା ଏବଂ ସମାଜରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଏ। ସେଥିପାଇଁ ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ମହିଳାଙ୍କୁ ସମ୍ମାନ ଦେଉଥିବା ଏକ ଐତିହାସିକ ଓ ପ୍ରେରଣାଦାୟକ ସ୍ମାରକ ଭାବେ ଗଣାଯାଏ।
TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍ସି ନେତା
ଇତମାଦ-ଉଦ୍-ଦୌଲା- ଉତ୍ତରପ୍ରଦେଶର ଆଗ୍ରାରେ ଅବସ୍ଥିତ ଇତମାଦ-ଉଦ୍-ଦୌଲା ମୋଗଲ ସ୍ଥାପତ୍ୟ କଳାର ଏକ ଅନନ୍ୟ ଉଦାହରଣ। ଏହାକୁ ସମ୍ରାଜ୍ଞୀ ନୂରଜାହାନ ନିଜ ପିତା ମିର୍ଜା ଘିୟାସ ବେଗଙ୍କ ସ୍ମୃତିରେ ନିର୍ମାଣ କରାଇଥିଲେ। ସମ୍ପୂର୍ଣ୍ଣ ଧଳା ସଙ୍ଗମରମରରେ ନିର୍ମିତ ଏହି ସ୍ମାରକକୁ ‘ବେବି ତାଜ’ ବୋଲି ମଧ୍ୟ କୁହାଯାଏ। ପରବର୍ତ୍ତୀ ସମୟରେ ତାଜମହଲ ନିର୍ମାଣ ପାଇଁ ଏହି ସ୍ଥାପତ୍ୟ ଏକ ପ୍ରେରଣା ହୋଇଥିବା କୁହାଯାଏ।
ମିଲିସେଣ୍ଟ ଫାୱସେଟ୍ ପ୍ରତିମୂର୍ତ୍ତି- ବ୍ରିଟେନରେ ମହିଳାଙ୍କ ଭୋଟାଧିକାର ଆନ୍ଦୋଳନର ପ୍ରମୁଖ ନେତ୍ରୀ ମିଲିସେଣ୍ଟ ଫାୱସେଟ୍ଙ୍କ ସ୍ମୃତିରେ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାରରେ ଏହି ପ୍ରତିମା ସ୍ଥାପନ କରାଯାଇଛି। ଏହା ନାରୀ ସମାନତା ଓ ଗଣତାନ୍ତ୍ରିକ ଅଧିକାର ପାଇଁ ହୋଇଥିବା ଦୀର୍ଘ ସଂଘର୍ଷର ପ୍ରତୀକ। ତାଙ୍କ ସଂଘର୍ଷର ଫଳସ୍ୱରୂପ ବ୍ରିଟେନରେ ମହିଳାମାନେ ରାଜନୈତିକ ଅଧିକାର ପାଇବାର ପଥ ସୁଗମ ହୋଇଥିଲା। ହାରିଏଟ୍ ଟ୍ୟୁବମ୍ୟାନ୍ ସ୍ମାରକୀ- ଆମେରିକାର ନ୍ୟୁୟର୍କରେ ଥିବା ହାରିଏଟ୍ ଟ୍ୟୁବମ୍ୟାନ୍ ସ୍ମାରକୀ ଦାସ ପ୍ରଥା ବିରୋଧୀ ଆନ୍ଦୋଳନର ଜଣେ ଅସାଧାରଣ ନେତ୍ରୀଙ୍କ ସ୍ମୃତିକୁ ବହନ କରେ। ହ୍ୟାରିଏଟ୍ ଟ୍ୟୁବମ୍ୟାନ୍ ନିଜେ ଦାସତ୍ୱରୁ ମୁକ୍ତି ପାଇବା ପରେ ଶତାଧିକ ଦାସଙ୍କୁ ସୁରକ୍ଷିତ ଭାବେ ସ୍ୱାଧୀନତାର ପଥରେ ପହଞ୍ଚାଇଥିଲେ। ତାଙ୍କ ସାହସ, ମାନବିକତା ଓ ନେତୃତ୍ୱ ଆଜି ମଧ୍ୟ ସମଗ୍ର ବିଶ୍ୱ ପାଇଁ ପ୍ରେରଣା।
ରାଣୀ କି ଭାବ୍- ଗୁଜରାଟର ପାଟଣାରେ ଥିବା ରାଣୀ କି ଭାବ୍ ଭାରତର ସର୍ବଶ୍ରେଷ୍ଠ ବାଓଲିମାନଙ୍କ ମଧ୍ୟରୁ ଗୋଟିଏ। ୧୧ଶ ଶତାବ୍ଦୀରେ ରାଣୀ ଉଦୟମତୀ ନିଜ ସ୍ୱାମୀ ରାଜା ଭୀମଦେବଙ୍କ ସ୍ମୃତିରେ ଏହା ନିର୍ମାଣ କରାଇଥିଲେ। ସୂକ୍ଷ୍ମ ଖୋଦେଇ, ଦେବଦେବୀଙ୍କ ମୂର୍ତ୍ତି ଓ ଅଦ୍ଭୁତ କାରୁକାର୍ଯ୍ୟ ପାଇଁ ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଏହା ପ୍ରମାଣ କରେ ଯେ ନାରୀମାନେ କେବଳ ଶାସନ ନୁହେଁ, ସ୍ଥାପତ୍ୟ ଓ କଳାର ବିକାଶରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ନେଇଥିଲେ। ଆନ୍ନା ୱାଲେଣ୍ଟିନୋଭିଚ୍ ସ୍ମାରକ- ପୋଲାଣ୍ଡର ଆନ୍ନା ୱାଲେଣ୍ଟିନୋଭିଚ୍ ଶ୍ରମିକ ଅଧିକାର ଆନ୍ଦୋଳନର ଏକ ପ୍ରମୁଖ ନାମ। ତାଙ୍କ ସଂଘର୍ଷ ଦେଶର ଗଣତାନ୍ତ୍ରିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ତାଙ୍କ ସ୍ମୃତିରେ ନିର୍ମିତ ସ୍ମାରକ ନ୍ୟାୟ, ସାହସ ଓ ଶ୍ରମିକ ଅଧିକାରର ପ୍ରତୀକ ହୋଇ ରହିଛି।
Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର
‘ଦ ମଦରଲ୍ୟାଣ୍ଡ କଲ୍ସ’- ରୁଷିଆର ଭୋଲଗୋଗ୍ରାଡରେ ଅବସ୍ଥିତ ପ୍ରାୟ ୮୫ ମିଟର ଉଚ୍ଚ ‘ଦ ମଦରଲ୍ୟାଣ୍ଡ କଲ୍ସ’ ପ୍ରତିମା ବିଶ୍ୱର ସବୁଠାରୁ ବିଶାଳ ପ୍ରତିମାମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଷ୍ଟାଲିନଗ୍ରାଡ ଯୁଦ୍ଧରେ ପ୍ରାଣବଳି ଦେଇଥିବା ସୈନିକମାନଙ୍କୁ ସମ୍ମାନ ଜଣାଇବା ସହ ମାତୃଭୂମିର ସାହସ ଓ ଆତ୍ମବଳର ପ୍ରତୀକ ଭାବେ ପରିଚିତ। ରାଣୀ ଲକ୍ଷ୍ମୀବାଇ ସମାଧି ସ୍ଥଳ- ରାଣୀ ଲକ୍ଷ୍ମୀବାଇ ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ସାହସୀ ବୀରାଙ୍ଗନା ଥିଲେ। ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ସେ ଅସାଧାରଣ ସାହସ ଓ ଦେଶପ୍ରେମର ପରିଚୟ ଦେଇଥିଲେ। ତାଙ୍କ ବୀରତାକୁ ସମ୍ମାନ ଜଣାଇ ଭାରତର ବିଭିନ୍ନ ସ୍ଥାନରେ ସ୍ମାରକୀ ଏବଂ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସବୁଠାରୁ ପ୍ରସିଦ୍ଧ ସ୍ମାରକ ହେଉଛି ଝାଁସୀର ରାଣୀ ଲକ୍ଷ୍ମୀବାଇ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତିରେ ରାଣୀ ଲକ୍ଷ୍ମୀବାଇଙ୍କୁ ଘୋଡ଼ା ଉପରେ ବସି ହାତରେ ତଲୱାର ଧରିଥିବା ଅବସ୍ଥାରେ ଦେଖାଯାଇଛି, ଯାହା ତାଙ୍କ ସାହସ, ବୀରତ୍ୱ ଏବଂ ଅଦମ୍ୟ ଦେଶପ୍ରେମର ପ୍ରତୀକ। ଗ୍ୱାଲିଅର୍ରେ ମଧ୍ୟ ତାଙ୍କ ସ୍ମୃତିରେ ଏକ ସୁନ୍ଦର ସ୍ମାରକ ନିର୍ମାଣ କରାଯାଇଛି, କାରଣ ସେଠାରେ ସେ ବୀରଗତି ପ୍ରାପ୍ତ କରିଥିଲେ।

1 day ago
2


