ARTICLE AD BOX
ମୁମ୍ବାଇ: ମୁମ୍ବାଇ ଲୋକାଲ୍ ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ସହଯାତ୍ରୀଙ୍କ ଅସଦାଚରଣକୁ ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କୁ ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଯୁବତୀ ଜଣକ ନିଜର ବାମ ହାତ ହରାଇବା ସହ ତାଙ୍କ ମୁଣ୍ଡରେ ୧୬ଟି ଷ୍ଟିଚ୍ ପଡ଼ିଛି। ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ବୋରିଭାଲିରୁ ଭିରାର ଅଭିମୁଖେ ଯାଉଥିବା ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ବାରମ୍ବାର ଅସଦାଚରଣ କରିବା ସହ ଅଶୋଭନୀୟ ଭାବେ ସ୍ପର୍ଶ କରୁଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣକ ନିଜ ଚପଲରେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଟ୍ରେନଟି ନାଇଗାଓଁ ଷ୍ଟେସନରେ ପହଞ୍ଚିବା ପରେ ମଧ୍ୟ ଅଭିଯୁକ୍ତ ଜଣକ ତାଙ୍କୁ ଅସଦାଚରଣ ଜାରି ରଖିଥିଲା ଏବଂ ଝଗଡ଼ା ମଧ୍ୟରେ ଯୁବତୀଙ୍କୁ ଠେଲି ଦେଇଥିଲା। ଫଳରେ ସେ ଦୁଇଟି ବଗି ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ଖସି ପଡ଼ିଥିଲେ।
ସମ୍ପୂର୍ଣ୍ଣ କଟି ଯାଇଛି ହାତ
ସେ ପ୍ଲାଟଫର୍ମ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍ ଟ୍ରେନଟି ଚାଲିବାକୁ ଆରମ୍ଭ କରିଥିଲା ଏବଂ ତାଙ୍କ ବାମ ହାତଟି ଚକ ତଳେ ଚାପି ହୋଇଯାଇଥିଲା। ଫଳରେ କହୁଣୀ ନିକଟରୁ ତାଙ୍କ ହାତଟି ସମ୍ପୂର୍ଣ୍ଣ କଟି ଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପୁଲିସ କର୍ମଚାରୀ ଏବଂ ଅନ୍ୟ ଯାତ୍ରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି କୋଳାହଳର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲା, ମାତ୍ର ପୁଲିସ ତ୍ୱରିତ ପଦକ୍ଷେପ ନେଇ କିଛି ଘଣ୍ଟା ମଧ୍ୟରେ ତାକୁ ଗିରଫ କରିଛି।
କେନ୍ଦ୍ର ସରକାରଙ୍କ ଯାଞ୍ଚ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଡାକ୍ତରଖାନା ଶଯ୍ୟାରୁ ନିଜର ଦୁଃଖ ବଖାଣି ପୀଡ଼ିତା କହିଛନ୍ତି ଯେ, ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ ଏବଂ ଗୋଟିଏ ହାତ ହରାଇବା ପରେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ନଷ୍ଟ ହୋଇଯାଇଛି। ସେ ନିଜ ପାଇଁ ନ୍ୟାୟ ଓ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ପୁଲିସ ଏତଲାରେ ହତ୍ୟା ଉଦ୍ୟମ (ଧାରା ୧୦୯) ଦଫା ନଲଗାଇବାକୁ ନେଇ ପୀଡ଼ିତାଙ୍କ ପରିବାର ଲୋକେ ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଏନେଇ ପରିବାର ପକ୍ଷରୁ ମହାରାଷ୍ଟ୍ର ନବନିର୍ମାଣ ସେନାର ସହାୟତା ନିଆଯିବା ପରେ ଦଳୀୟ କର୍ମକର୍ତ୍ତାମାନେ ସରକାରୀ ରେଳ ପୁଲିସ (ଜିଆରପି) ର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ଏବଂ ଖୁବଶୀଘ୍ର ମାମଲାରେ ଆବଶ୍ୟକୀୟ କଠୋର ଦଫା ଯୋଡ଼ାଯିବ ବୋଲି ପୁଲିସ ଆଶ୍ୱାସନା ଦେଇଛି।

6 hours ago
3


