ARTICLE AD BOX
ଦକ୍ଷିଣ ଆମେରିକୀୟ ଦେଶ କଲୋମ୍ବିଆର ଉଚ୍ଚ ସଦନ (ସିନେଟ୍)କୁ ଏଥର ଜଣେ ସଦସ୍ୟ ଖୁବ୍ ରୋଚକ ଢଙ୍ଗରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ଭୋଟଦାନର କିଛି ଦିନ ପୂର୍ବରୁ ତାଙ୍କ ଅସଲ ପରିଚୟ ସଂପୂର୍ଣ୍ଣ ଗୋପନୀୟ ଥିଲା। ସେ ‘ଏଲିଫାଣ୍ଟେ ବ୍ଲାଙ୍କୋ’ ବା ‘ଧଳା ହାତୀ’ ନାମରେ ପରିଚିତ। ଏହି ପରିଚୟ ନେଇ ସେ କିଛି ବର୍ଷ ହେଲା ଦୁର୍ନୀତି ବିରୋଧରେ ଲଢ଼ିଆସୁଛନ୍ତି। ୩୪ ବର୍ଷୀୟ କାର୍ଲସ୍ ରୁଆ ଇଲେକ୍ଟ୍ରିକାଲ୍ ଇଞ୍ଜିନିଅରିଂ ପଢ଼ିବା ପରେ ପେରେଇରା ସହରର ମେୟର୍ଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ। ସେଠାରେ ସରକାରୀ କ୍ଷମତାର ଦୁରୁପଯୋଗ ଦେଖିବା ପରେ ସେ ଚାକିରି ଛାଡ଼ି ସାମାଜିକ ଗଣମାଧ୍ୟମରେ ସପ୍ରମାଣ ଦୁର୍ନୀତି ଉଜାଗର କରିବା ଆରମ୍ଭ କଲେ। କ୍ରମେ ଦୁର୍ନୀତି ବିରୋଧୀ କର୍ମୀ ଭାବେ ସେ ତାଙ୍କ ଦେଶରେ ପ୍ରସିଦ୍ଧ ହୋଇଗଲେ। ସାମାଜିକ ଗଣମାଧ୍ୟମରେ ତାଙ୍କ ନାମ ‘ଏଲିଫାଣ୍ଟେ ବ୍ଲାଙ୍କୋ’- ସ୍ଥାନୀୟ ଭାଷାରେ ଏହା ଅସଂପୂର୍ଣ୍ଣ ବ୍ୟୟବହୁଳ ସରକାରୀ ପ୍ରକଳ୍ପକୁ ଦର୍ଶାଇଥାଏ।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
କଲୋମ୍ବିଆରେ ଦୁର୍ନୀତି ବିରୋଧୀ କର୍ମୀ ହେବା ବିପଜ୍ଜନକ ହୋଇଥିବାରୁ ନିଜର ସୁରକ୍ଷା ପାଇଁ ସେ ଏକ ଧଳା ହାତୀର ବେଶପୋଷାକକୁ ଆୟୁଧ କଲେ। ଏହି ରୂପରେ ସେ ତାଙ୍କ ଦେଶର ବିଭିନ୍ନ ଅସଂପୂର୍ଣ୍ଣ ସରକାରୀ ପ୍ରକଳ୍ପ ସ୍ଥଳକୁ ଯାଇ ଭିଡିଓ ପ୍ରସ୍ତୁତ କରିଆସୁଛନ୍ତି। ଏହା ଦ୍ବାରା ଅନେକ ଦୁର୍ନୀତି ଉଜାଗର ହୋଇଛି, ଅଟକି ରହିଥିବା କାମ ଅଗ୍ରସର ହୋଇପାରିଛି। ଏହି କାମ ପାଇଁ ଖର୍ଚ୍ଚ ଉଠାଇବା କଷ୍ଟକର ହେବାରୁ ସେ ଅନୁଗାମୀମାନଙ୍କ ପ୍ରସ୍ତାବକ୍ରମେ ସିନେଟର୍ ପଦ ପାଇଁ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇଥିଲେ। ସେ ସାମାଜିକ ଗଣମାଧ୍ୟମରେ ହିଁ ତାଙ୍କ ଦୁର୍ନୀତି ବିରୋଧୀ କାର୍ଯ୍ୟର ସଫଳତା ବ୍ୟାଖ୍ୟା କରି ପ୍ରଚାର କରିଥିଲେ। ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ସର୍ବାଧିକ ଭୋଟ୍ ପାଇଥିବା ସିନେଟର୍ ମଧ୍ୟରୁ ଜଣେ ହୋଇଛନ୍ତି। ଗତ ମାସ ସେ ଧଳା ହାତୀ ରୂପ ଧାରଣ କରି ସିନେଟର୍ ଭାବେ ଶପଥ ଗ୍ରହଣ କରିଛନ୍ତି। ଧାର୍ଯ୍ୟ ଦରମା ଓ ସୁରକ୍ଷା ଭଳି ସୁବିଧା ବଳରେ ସେ ଆଗକୁ ଦୁର୍ନୀତି ବିରୋଧରେ ନିଜର ଲଢ଼େଇକୁ ଶାଣିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ।

5 days ago
4


