ARTICLE AD BOX
ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀକୁ ୫୧ ବର୍ଷ ପୂରିଯାଇଥିଲେ ବି ଆଜିଯାଏଁ ମା’ ହୋଇପାରିନି। ଗୋରୀ ପରି ୨୩ ବର୍ଷୀୟା ଧଳା କୁମ୍ଭୀର ମଲ୍ଲୀ ମଧ୍ୟ ଆବଦ୍ଧ ପୋଖରୀରେ ନିଃସଙ୍ଗ ଜୀବନ ବିତାଉଥିବାରୁ ମା’ ହୋଇ ପାରୁନି। ସେହିଭଳି ୬ ଫୁଟିଆ କୁଣ୍ଡରେ ଆବଦ୍ଧ ଜୀବନ ବିତାଉଥିବା ୭ ବର୍ଷର ଧଳା କୁମ୍ଭୀର ଶ୍ବେତାର ଜୀବନ ମଧ୍ୟ ସଙ୍କଟରେ। ଗୋରା ହୋଇ ଜନ୍ମ ହେବା ସେମାନଙ୍କ ପାଇଁ ଯେପରି ଅଭିଶାପ ପାଲଟିଛି। ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ଧଳା କୁମ୍ଭୀରଙ୍କୁ ନଦୀର ପ୍ରାକୃତିକ ପରିବେଶରେ ଛାଡ଼ିବାକୁ ପରିବେଶବିତ ଓ କୁମ୍ଭୀର ବିଶାରଦମାନେ ଦାବି କରିଛନ୍ତି। ଭିତରକନିକା ବଉଳା କୁମ୍ଭୀର ବ୍ୟବସ୍ଥାର ଜନକ କୁହାଯାଉଥିବା ସୁଧାକର କର କହିଛନ୍ତି ଯେ ଗୋରୀ ଆବଦ୍ଧ ପୋଖରୀରେ ରହିବା କାରଣରୁ ଆଜି ଯାଏଁ ମା’ ହୋଇପାରିଲା ନାହିଁ। ଆବଦ୍ଧ ପୋଖରୀରେ ଥିବା ମଲ୍ଲୀ ଓ ପ୍ରଜନନ କେନ୍ଦ୍ରରେ ଥିବା ଶ୍ବେତାକୁ ନଦୀରେ ଛାଡ଼ିଦେବା ପାଇଁ ପଦକ୍ଷେପ ନେବାକୁ ପିସିସିଏଫ୍କୁ ଜଣାଇଛନ୍ତି ବୋଲି ଶ୍ରୀ କର କହିଛନ୍ତି। ବନବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କିଛି ପ୍ରତିକ୍ରିୟା ଦିଆଯାଇନଥିଲେ ମଧ୍ୟ ଦୁଇ ଧଳା କୁମ୍ଭୀରଙ୍କୁ ମୁକ୍ତ କରାଯିବା ନେଇ ଆଲୋଚନା ଜାରି ରହିଥିବା ସୂଚନା ରହିଛି।
୨୨ ବର୍ଷ ହେଲା ନିଃସଙ୍ଗ ଜୀବନ ଜିଉଁଛି ମଲ୍ଲୀ
୭ ବର୍ଷ ହେଲା ୬ ଫୁଟିଆ କୁଣ୍ଡରେ ଶ୍ବେତା
୧୯୮୭ ମସିହାରେ ହାଇଦ୍ରାବାଦରୁ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନ ପାଇଁ ଉଦ୍ୟମ କରାଯାଇଥିଲା। ପରେପରେ ୧୯୯୦ ମସିହାରେ କାଣୀ ଓ ୧୯୯୨ରେ ଅଷ୍ଟ୍ରେଲିଆର ରଏଟର ନାମକ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ଏକତ୍ର ବସବାସ ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଗୋରୀ କାହାକୁ ସାଥୀଭାବେ ଗ୍ରହଣ କରିନଥିଲା। ଅନ୍ୟପଟେ ୨୩ ବର୍ଷୀୟା ମଲ୍ଲୀ ପାଇଁ ଉପଯୁକ୍ତ ସାଥୀ ଖୋଜିବା ପ୍ରକ୍ରିୟା ଆଜି ଯାଏଁ ଆରମ୍ଭ ହୋଇନାହିଁ। ୨୦୧୯ରେ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ କୃତ୍ରିମ ଭାବେ ଫୁଟା ଯାଇଥିବା ଅଣ୍ଡାରୁ ଶ୍ବେତା ଜନ୍ମ ନେଇଥିଲା। ଶ୍ବେତା ଏବେ ୪ ଫୁଟ ଲମ୍ବ ହେଲାଣି। ଏମାନଙ୍କୁ ପ୍ରାକୃତିକ ନଦୀ ପରିବେଶକୁ ଛାଡ଼ି ଦିଆଗଲେ ସେମାନେ ହୁଏତ ମା’ ହେବା ସହ ଧଳା କୁମ୍ଭୀର ବଂଶ ବୃଦ୍ଧିରେ ସହାୟକ ହେବେ ବୋଲି ଆଶା କରାଯାଉଛି।

1 hour ago
4


