ARTICLE AD BOX
ବୈଶିଙ୍ଗା: ଲଗାଣ ବର୍ଷାରେ ଓଦା ହୋଇ ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘର ବାରଣ୍ଡାରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ମୟୂରଭଞ୍ଜଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଭୁଡୁରୁବଣି ଗ୍ରାମର ଭଗବାନ ଓଝାଙ୍କ ସ୍ତ୍ରୀ ଶୈଳ ଓଝା (୫୩)। ସୂଚନା ଅନୁସାରେ, ଗତକାଲି ରାତିରେ ଭୋଜନ ସାରି ଭଗବାନ ଓ ତାଙ୍କ ସ୍ତ୍ରୀ ଶୈଳ ନିଜ ଘର ବାରଣ୍ଡାରେ ଥିବା ଛୋଟ ତେଜରାତି ଦୋକାନର ଦୁଆର ନିକଟରେ ଶୋଇଥିଲେ। ତେବେ ବିଗତ ଦିନର ଲଗାଣ ବର୍ଷା ଯୋଗୁଁ ପୂର୍ବରୁ ଦୁର୍ବଳ ହୋଇଥିବା ପାଖ କାନ୍ଥ ହଠାତ୍ ମଧ୍ୟରାତ୍ରିରେ ଭୁଶୁଡ଼ି ଉଭୟଙ୍କ ଉପରେ ପଡ଼ିଥିଲା।
ପକ୍କା ଘର ଓ ଆର୍ଥିକ ସହାୟତା ପାଇଁ ପରିବାରର ଆକୁଳ ନିବେଦନ
ଏହି ଘଟଣାରେ ଭଗବାନ ସାମାନ୍ୟ ଆହତ ହୋଇଥିବା ବେଳେ କାନ୍ଥର ଏକ ଅଂଶ ଶୈଳଙ୍କ ଛାତି ଉପରେ ପଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରେମୁଣା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଭୋର ସମୟରେ ଶୈଳଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ପରେ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଶୈଳଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଭଗବାନଙ୍କ ତିନି ପୁଅ ଥିବା ବେଳେ ସମସ୍ତେ ଦିନମଜୁରି କରି ପରିବାର ଚଳାନ୍ତି। ଏଭଳି ପରିସ୍ଥିତିରେ ପରିବାର ଉପରେ ଆର୍ଥିକ ସଙ୍କଟ ଆହୁରି ଘନୀଭୂତ ହୋଇଛି। ଏହି ଦୁଃଖଦ ଘଟଣା ପରେ ପରିବାର ପକ୍ଷରୁ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ସହିତ ଆବାସ ଯୋଜନାରେ ଏକ ପକ୍କା ଘର ଯୋଗାଇଦେବାକୁ ନିବେଦନ କରାଯାଇଛି।
Chief Minister’s: ଡ୍ରେନ୍କୁ ପଶିଲା ମୁଖ୍ୟମନ୍ତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

1 hour ago
1


