ARTICLE AD BOX
ଭୁବନେଶ୍ୱର: ପ୍ରତିଦିନ ଆମେ ବଜାରରୁ ବିଭିନ୍ନ ପ୍ରକାରର ପନିପରିବା କିଣି ଆଣିଥାଉ। ରୋଷେଇ କରିବା ପୂର୍ବରୁ ଅଧିକାଂଶ ଲୋକ ନଳ ପାଣିରେ ପନିପରିବା ଧୋଇଦିଅନ୍ତି। ହେଲେ କେବଳ ପାଣି ଢାଳିଦେଲେ ପନିପରିବା ସମ୍ପୂର୍ଣ୍ଣ ସଫା ହୋଇଯାଏ କି? ପନିପରିବାରେ ଲାଗିଥିବା ମାଟି, ଧୂଳି ଓ କୀଟନାଶକର ଅବଶିଷ୍ଟକୁ କମାଇବା ପାଇଁ ସଠିକ୍ ଭାବେ ଧୋଇବା ଜରୁରୀ। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ)ର ପରାମର୍ଶ ଅନୁସରଣ କରିବା ଉଚିତ।
ଏଫ୍ଏସ୍ଏସ୍ଏଆଇର ପରାମର୍ଶ ଅନୁଯାୟୀ, ପନିପରିବାକୁ ସଫା ଓ ପାନୀୟ ଉପଯୋଗୀ ପାଣିରେ ଭଲ ଭାବରେ ଧୋଇବା ଆବଶ୍ୟକ। କେବଳ କିଛି ସମୟ ପାଣି ଢାଳିଦେବା ପରିବର୍ତ୍ତେ ହାତରେ ଧୀରେ ଘଷି ମଇଳା ସଫା କରନ୍ତୁ। ଆଳୁ, ଗାଜର ଓ ମୂଳା ଭଳି ପନିପରିବାରେ ଅଧିକ ମାଟି ଲାଗିଥିଲେ ସଫା ବ୍ରଶ୍ ବ୍ୟବହାର କରିପାରିବେ। ପାଳଙ୍ଗ, ମେଥି ଓ ଧନିଆ ଭଳି ପତ୍ରଯୁକ୍ତ ପନିପରିବାରୁ ପଚା ଓ ଖରାପ ପତ୍ର କାଢ଼ି ଭଲ ଭାବରେ ଧୋଇବା ଉଚିତ। ବନ୍ଧାକୋବି ଭଳି ପନିପରିବାର ବାହାର ପତ୍ର କାଢ଼ି ଭିତର ଅଂଶକୁ ସଫା କରନ୍ତୁ।
ହ୍ୟାଣ୍ଡୱାସ୍ ବ୍ୟବହାର କରନ୍ତୁ ନାହିଁ
କିଛି କ୍ଷେତ୍ରରେ ୨ ପ୍ରତିଶତ ଲୁଣ ପାଣି ପନିପରିବାର ବାହ୍ୟ ପୃଷ୍ଠରେ ଥିବା କେତେକ କୀଟନାଶକ ଅବଶିଷ୍ଟକୁ କମାଇବାରେ ସାହାଯ୍ୟ କରିପାରେ। କିନ୍ତୁ ଏହା ସମସ୍ତ କୀଟନାଶକକୁ ଦୂର କରିପାରେ ନାହିଁ। ସେହିପରି ପନିପରିବା ଧୋଇବା ପାଇଁ ସାବୁନ, ଡିଟରଜେଣ୍ଟ କିମ୍ବା ହ୍ୟାଣ୍ଡୱାସ୍ ବ୍ୟବହାର କରନ୍ତୁ ନାହିଁ।
କାଟିବା ପୂର୍ବରୁ ଧୋଇବା ଜରୁରୀ
ପନିପରିବାକୁ ସର୍ବଦା କାଟିବା ପୂର୍ବରୁ ଧୋଇ ନିଅନ୍ତୁ। ଏହାଦ୍ୱାରା ବାହାର ପୃଷ୍ଠରେ ଥିବା ମାଟି ଓ ମଇଳା ଛୁରୀ କିମ୍ବା କଟିଂ ବୋର୍ଡ ମାଧ୍ୟମରେ ଅନ୍ୟ ଖାଦ୍ୟକୁ ବ୍ୟାପିବାର ଆଶଙ୍କା କମିଥାଏ। ଧୋଇବା ପରେ ପନିପରିବାକୁ ସଫା ପାତ୍ରରେ ରଖନ୍ତୁ। ମନେରଖନ୍ତୁ, ସଫା ପାଣିରେ ଭଲ ଭାବରେ ଧୋଇବା ଖାଦ୍ୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
CPR Guide: ସିପିଆର୍ କ'ଣ, କେତେବେଳେ ଏବଂ କିପରି ଦେବା ଉଚିତ୍? ଜାଣନ୍ତୁ ସଠିକ୍ ପଦ୍ଧତି

48 minutes ago
1


